December 23, 2024
Home » ପୂର୍ତ୍ତ ବିଭାଗର ସବୁ ପ୍ରକଳ୍ପ ଅସମ୍ପୂର୍ଣ୍ଣ,,ଅଧାଗଢା ଅବସ୍ଥାରେ ରିଂରୋଡ୍‌

ପୂର୍ତ୍ତ ବିଭାଗର ସବୁ ପ୍ରକଳ୍ପ ଅସମ୍ପୂର୍ଣ୍ଣ,,ଅଧାଗଢା ଅବସ୍ଥାରେ ରିଂରୋଡ୍‌

0

ସୁବର୍ଣ୍ଣପୁର: ସୋନପୁର ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ହାତକୁ ନେଇ ଅଧପନ୍ତରିଆ ଭାବେ ପୂର୍ତ୍ତ ବିଭାଗ ପକାଇ ରଖିଛି । ବର୍ଷ ବର୍ଷ ପର୍ଯ୍ୟନ୍ତ ଅଧାଗଢା ଅବସ୍ଥାରେ ବହୁ ପ୍ରକଳ୍ପ ପଡି ରହିଥିଲେ ମଧ୍ୟ କାମର ଅଗ୍ରଗତି ହେଉନାହିଁ । ଏହି ଅଧପନ୍ତରିଆ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକେ ବହୁ ହଇରାଣ ହେଉଛନ୍ତି । ଲୋକେ ଯେତେ ଅସୁବିଧାରେ ପଡିଲେ ମଧ୍ୟ ସ୍ଥାନୀୟ ଅଧିକାରୀ ନିଦା ବିଷ୍ଣୁ ସାଜିଛନ୍ତି ।
ପୂର୍ତ୍ତ ବିଭାଗ ର ନିର୍ମାଣାଧୀନ ମହାନଦୀ ବ୍ରିଜ୍ ଠାରୁ ତେଲନଦୀ ବ୍ରିଜ୍ ଯାଏଁ ଚାରିଥାକିଆ ରାସ୍ତା ଧାର୍ଯ୍ୟ ସମୟଠାରୁ ବହୁ ବିଳମ୍ବରେ ସଂପୂର୍ଣ୍ଣ ହୋଇଥିଲା । ସୁରେଶ୍ୱରୀ ମନ୍ଦିର-ସୁବର୍ଣ୍ଣମେରୁ ମନ୍ଦିର ରାସ୍ତାର ବ୍ରିଜ୍ ନିର୍ମାଣ କାମ ସରି ପାରୁନାହିଁ । ସେହିଭଳି ସୋନପୁର ସହର ପାଇଁ ଗୁରୁତ୍ୱ ବହନ କରୁଥିବା ରିଂରୋଡ୍ ନିର୍ମାଣ କାମ ମଧ୍ୟ ତ୍ୱରାନ୍ୱିତ ହୋଇ ପାରୁନାହିଁ । ଅଧପନ୍ତରିଆ ଭାବେ ପୂର୍ତ୍ତ ବିଭାଗ କାମ ପକାଇ ରଖିଛି l ଏହି ରିଂରୋଡ୍ ନିର୍ମାଣ ପାଇଁ ବିଭିନ୍ନ ଘାଟରେ ଖୋଳାଖୋଳି କରି ଦେଇଥିବାରୁ ସ୍ନାନ ଓ ଶୌଚ ପାଇଁ ସ୍ଥାନୀୟ ଅଧିବାସୀ ମାନେ ବହୁ ହଇରାଣ ହେଉଛନ୍ତି । କାହାର ଗୋଡ ଖସି ଯାଉଛି ତ କିଏ ସ୍ନାନ ପାଇଁ ଘାଟକୁ ଓହ୍ଲାଇ ପାରୁନାହିଁ ।
୨୦୨୨ରେ ଏହି ରିଂରୋଡ୍ କାର୍ଯ୍ୟ ସଂପୂର୍ଣ୍ଣ ହେବା କଥା, ଏବେ ୨୦୨୪ ଜୁଲାଇ ମାସ ଶେଷ ହେଲାଣି ହେଲେ ଏହି ପ୍ରକଳ୍ପ ଅଧାଗଢା ଅବସ୍ଥାରେ ପଡି ରହିଛି । ପୋର୍ଟାଲ୍ ଫ୍ରେମ୍ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ରିଂରୋଡ୍ ନିର୍ମାଣ କାମ ତ୍ୱରାନ୍ୱିତ ହୋଇ ପାରୁନାହିଁ । ମହାନଦୀ ପଟୁ ଘୋଡାଘାଟପଡା ଏବଂ ତେଲନଦୀ ପଟୁ କୁମ୍ଭାରପଡାଠାରେ ଅଟକି ଯାଇଛି ରିଂରୋଡ । କୁମ୍ଭାରପଡାଠାରୁ ଦଶମତୀ ଘାଟ ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ପୋର୍ଟାଲ ଫ୍ରେମ ବ୍ରିଜ ନିର୍ମାଣ ପାଇଁ ଖୋଳାଖୋଳି କରି ପକାଇ ରଖିଛନ୍ତି । ପ୍ରଥମେ ଜଳସଂପଦ ବିଭାଗ ପକ୍ଷରୁ ୨୦୧୧ରେ ଏହି ରିଂରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଜଳସଂପଦ ବିଭାଗଠାରୁ ପୂର୍ତ୍ତ ବିଭାଗକୁ ରିଂରୋଡ ନିର୍ମାଣ କାମ ହସ୍ତାନ୍ତର ହୋଇଥିଲା । ପୂର୍ତ୍ତ ବିଭାଗ ପକ୍ଷରୁ କାମ ତ୍ୱରାନ୍ୱିତ ହେବ ବୋଲି ଲୋକେ ଆଶା କରୁଥିଲେ କିନ୍ତୁ ଫଳ ତାର ବିପରୀତ ହେଲା । ପୂର୍ତ୍ତ ବିଭାଗ ଦିନ ଗଡାଇ ଚାଲିଲା । ତେବେ ଆଶ୍ଚର୍ଯ୍ୟ କଥା ପୂର୍ତ୍ତ ବିଭାଗର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଇଂ. ଦାମୋଦର କୈବର୍ତ୍ତଙ୍କ ସମୟରେ ରିଂରୋଡ୍ କାମ ଆରମ୍ଭ ହୋଇଥିଲା । କାମ ଅଧପନ୍ତରିଆ ହୋଇ ରହିଗଲା ସିନା ହେଲେ ଇଂ. ଦାମୋଦର କୈବର୍ତ୍ତ ପଦୋନ୍ନତି ପାଇ ନିର୍ବାହୀ ଯନ୍ତ୍ରୀରୁ ଅଧୀକ୍ଷଣ ଯନ୍ତ୍ରୀ ହୋଇଗଲେ । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ତେଲନଦୀ ପଟରୁ ୨୪୦୦ ମିଟର ଏବଂ ମହାନଦୀ ପଟରୁ ୧୫୦୦ ମିଟର ପିଚୁ ରାସ୍ତା ନିର୍ମାଣ ହୋଇଛି । ଏହାସହ ଦୁଇଟି ବ୍ରିଜ ଏବଂ ରିଟେନିଂ ୱାଲ ମଧ୍ୟ ନିର୍ମାଣ କରାଯାଇଛି । ଏହା ନିର୍ମାଣ ହେବା ସତ୍ତ୍ୱେ ମଧ୍ୟ ଏହି ରିଂରୋଡ ଲୋକଙ୍କ କାମରେ ଆସୁନାହିଁ । ଏସଂପର୍କରେ ଜାଣିବା ପାଇଁ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଦାମୋଦର କୈବର୍ତ୍ତଙ୍କୁ ଗଣମାଧ୍ୟମ ପ୍ରତିନିଧି କଲ୍ କଲେ କଲ୍ ରିସିଭ୍ କରୁନାହାନ୍ତି କି ଅଫିସ୍‌କୁ ଗଲେ ଦେଖା ଦେଉନହାନ୍ତି । ଏପଟେ ରିଂରୋଡ୍ କାମ ଶୀଘ୍ର ନସରିଲେ ଆନ୍ଦୋଳନ ପାଇଁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed