ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ

କେନ୍ଦ୍ରାପଡ଼ା: ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ । ଦୀର୍ଘଦିନ ଧରି ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଦେବେନ୍ଦ୍ରଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ୬୬ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କେନ୍ଦ୍ରାପଡ଼ା ଆଳି ବିଧାନସଭା ଆସନରୁ ଲଢ଼ି ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ ଦେବେନ୍ଦ୍ର । ଗତ ୨୦୨୪ ନିର୍ବାଚନରେ ଦେବେନ୍ଦ୍ରଙ୍କ ଝିଅ ଦେବସ୍ମିତା ଶର୍ମା କଂଗ୍ରେସ ଦଳରୁ ବିଧାୟିକା ପ୍ରାର୍ଥୀ ହୋଇଥିଲେ ।
କଂଗ୍ରେସର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଦେବେନ୍ଦ୍ର ଶର୍ମା । କଟକରେ ୧୮ ମାର୍ଚ୍ଚ ୧୯୫୯ରେ ଜନ୍ମଗ୍ରହଣ କରିଥିଲେ ଦେବେନ୍ଦ୍ର । ରେଭେନ୍ସା କଲିଜିଏଟ ସ୍କୁଲରେ ପାଠପଢ଼ା ଶେଷ ପରେ ମୟୂରଭଞ୍ଜ ଆଇନ କଲେଜରୁ ୧୯୮୨ ମସିହାରେ ଗ୍ରାଜୁଏସନ ଶେଷ କରିଥିଲେ । ଦେବେନ୍ଦ୍ରଙ୍କ ବାପା ଡ଼. ଦିବାକର ଶର୍ମା କଂଗ୍ରେସର ଜଣେ ପ୍ରମୁଖ ନେତା ଥିଲେ । ସେ ମଧ୍ୟ ଆଳି ବିଧାନସଭା ଆସନରୁ ୧୯୬୭ରେ ବିଧାୟକ ହୋଇଥିଲେ । ବାପାଙ୍କୁ ଅନୁସରଣ କରି ଜାତୀୟ କଂଗ୍ରେସରେ ସାମିଲ ହୋଇଥିଲେ ଦେବେନ୍ଦ୍ର । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ମୁଖ୍ୟ ଏବଂ AICC ଏବଂ OPCCର ସଦସ୍ୟ ରହିଥିଲେ । ୨୦୧୪ ନିର୍ବାଚନରେ ସେ ଆଳି ବିଧାନସଭା ଆସନରୁ କଂଗ୍ରେସ ଟିକଟରୁ ଲଢ଼ି ବିଜେଡିର ପ୍ରତାପ କେଶରୀ ଦେବଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ।
ଦେବେନ୍ଦ୍ର ଶର୍ମା ଓଡ଼ିଶା କ୍ରିକେଟ୍ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ । ଏହାସହ କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଭାରତ ଏବଂ ଓଡ଼ିଶାରେ ଫୁଟବଲ୍ କ୍ଷେତ୍ରରେ ତାଙ୍କର ବଳିଷ୍ଠ କାର୍ଯ୍ୟ ପାଇଁ ବେସ ଜଣାଶୁଣା ଥିଲେ । ସସ୍ମିତା ମଲ୍ଲିକଙ୍କ ପରି ଅନେକ ଷ୍ଟାର ମହିଳା ଭାରତୀୟ ଫୁଟବଲ୍ ଖେଳାଳିଙ୍କୁ ଖେଳ ଜଗତରେ ସ୍ବତନ୍ତ୍ର ପରିଚୟ ଦେଇଥିଲେ ଦେବେନ୍ଦ୍ର । ସେ ଗରିବଶ୍ରେଣୀ ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ଥିବା ଡକ୍ଟର ଦିବାକର ଶର୍ମା ବାଳିକା ଉଚ୍ଚ ବିଦ୍ୟାଳୟ ଚଳାଉଥିଲେ । ଏହାସହ ଆଳିରେ ଗରିବଶ୍ରେଣୀର ପିଲାଙ୍କ ପାଇଁ ଥିବା ସତ୍ୟ ସାଇ ସ୍କୁଲର ପରିଚାଳନା କରୁଥିଲେ ଦେବେନ୍ଦ୍ର । ସେ ଆଳି କଲେଜର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ସ୍ବର୍ଗତ ଦେବେନ୍ଦ୍ର ଶର୍ମା ନିଜର ରାଜନୀତି ଜୀବନ କଂଗ୍ରେସ ଦଳରୁ ଆରମ୍ଭ କରି ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେହି ଗୋଟିଏ ଦଳରେ ହିଁ ରହିଥିଲେ । ଆଳି ନିର୍ବାଚନ ମଣ୍ଡଳୀର ତିନି ତିନି ଥରର ବିଧାୟକ ତଥା ପ୍ରଭାବୀ ଭେଟେରାନ ନେତା ବିଜେଡିର ପ୍ରତାପ କେଶରୀ ଦେବଙ୍କୁ ୨୦୧୪ ମସିହାରେ ପରାସ୍ତ କରିଥିଲେ ଦେବେନ୍ଦ୍ର । ଏହା ବ୍ୟତୀତ ଦୀର୍ଘ ବର୍ଷ ଧରି ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦାୟିତ୍ବ ତୁଲାଇଥିବା ବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସଦସ୍ୟ ଥିଲେ ଦେବେନ୍ଦ୍ର ।
ବୟସାଧିକ ଓ ଶାରୀରିକ ଅସୁସ୍ଥତା କାରଣରୁ ଗତ ୨୦୨୪ ସାଧାରଣ ନିର୍ବାଚନରେ ନିଜେ ନ ଲଢ଼ି କଂଗ୍ରେସରୁ ପ୍ରାର୍ଥିନୀ ହୋଇଥିବା ଦେବେନ୍ଦ୍ରଙ୍କ ଝିଅ ଦେବସ୍ମିତା ଶର୍ମାଙ୍କ ପାଇଁ ଆଳି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିଲେ ଦେବେନ୍ଦ୍ର । ଶାରୀରିକ ଅସୁସ୍ଥତା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଦେବେନ୍ଦ୍ର ଶର୍ମା । ଆଜି ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର