January 21, 2025
Home » ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ

0

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଆଜି ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିଲା । ରାତି ୮ଟା ୬ ମିନିଟରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଓ ଏମ୍ସ ପକ୍ଷରୁ ରାଜି ୯ଟା ୫୧ ମିନିଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

୯୨ ବର୍ଷୀୟ ମନମୋହନ ସିଂହ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ଏହା ପୂର୍ବରୁ ସେ ଭାରତର ଅର୍ଥମନ୍ତ୍ରୀ , ଅର୍ଥ ସଚିବ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ରହିଥିଲେ। ଦେଶର ଅର୍ଥନୀତିକୁ ସଂକଟରୁ ଉଦ୍ଧାର କରି ଆଗକୁ ନେବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ବିବେଚନା କରାଯାଏ । ୧୯୯୧ରେ ଆରମ୍ଭ ହୋଇଥିବା ଦେଶର ଅର୍ଥନୈତିକ ସଂସ୍କାରକୁ ଆଗକୁ ବଢ଼ାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛଥିଲେ।

ଡ. ସିଂ ୨୬ ସେପ୍ଟେମ୍ବର ୧୯୩୨ରେ ପାକିସ୍ତାନର ପଶ୍ଚିମ ପଂଜାବର ଚକଓ୍ବାଲ ଜିଲ୍ଲାର ସ୍ଥିତ ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୪୭ରେ ଦେଶ ବିଭାଜନ ପରେ ତାଙ୍କ ପରିବାର ଭାରତକୁ ଚାଲି ଆସିଥିଲେ । ମନମୋହନ ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଅଧ୍ୟୟନ କରିଥିଲେ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡି.ଫିଲ ଡିଗ୍ରୀ ନେଇଥିଲେ।

ମନମୋହନ ସିଂହଙ୍କ ରାଜନୈତିକ ଯାତ୍ରା ୧୯୯୦ ଦଶକର ପ୍ରାରମ୍ଭରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ଭାରତୀୟ ଅର୍ଥନୀତିକୁ ଉଦାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅନ୍ୟପ୍ରକାରେ କହିଲେ ଭାରତରେ ଥିବା ଲାଇସେନ୍ସରାଜକୁ ଲୋପ କରି ଅର୍ଥନୀତିକୁ ଖୋଲିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା । ୧୯୯୧ ମସିହାରେ ଦେଶ ସମ୍ମୁଖୀନ ହୋଇଥିବା ଗମ୍ଭୀର ଅର୍ଥନୈତିକ ସଙ୍କଟକୁ ଦୂର କରିବାର କ୍ରେଡିଟ ତାଙ୍କୁ ଦିଆଯାଏ ।ଅର୍ଥମନ୍ତ୍ରୀ ହେବା ପରେ ସେ କିଛି ବର୍ଷ ଧରି ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ । ପରେ ୨୦୦୪ରେ ସେ ୧୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *