August 27, 2025
Home » ପୂର୍ବତନ ସରପଞ୍ଚ ଙ୍କୁ ନିର୍ମମ ହତ୍ୟା: କାରଣ ଖୋଜୁଛି ପୋଲିସ

ପୂର୍ବତନ ସରପଞ୍ଚ ଙ୍କୁ ନିର୍ମମ ହତ୍ୟା: କାରଣ ଖୋଜୁଛି ପୋଲିସ

0
WhatsApp Image 2025-07-11 at 4.31.10 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ର ରାମପୁର ଥାନା ତଥା ଡୁଙ୍ଗୁରିପାଲି ବ୍ଳକର ଗଜବନ୍ଧ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ଥିବା ବାସନ୍ତୀ କ୍ଷେତୀଙ୍କ ସ୍ବାମୀ ବଲ୍ଲଭ କ୍ଷେତି ଙ୍କୁ ଗତ ରାତିରେ ଅତି ନିର୍ମମ ଭାବରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଗତ ସଂଧ୍ୟାରେ ଗଜବନ୍ଧ ଛକଠାରେ ତାଙ୍କର କେତେକ ବନ୍ଧୁମାନଙ୍କ ସହିତ ରାତି ପ୍ରାୟ ୯.୩୦ ପର୍ଯ୍ୟନ୍ତ ରହିଥିଲେ । ଫେରିବାବେଳେ ସେ ଅନ୍ୟ ଜଣକୁ ତାଙ୍କ ଘରକୁ ଛାଡି ଆସି ନିଜ ଗ୍ରାମ ଗଜବନ୍ଧ ପଂଚାୟତ କେନ୍ଦୁପାଲିକୁ ବାଇକ ଯୋଗେ ଯାଉଥିଲେ । ପ୍ରାୟ ରାତି ୧୦ଟା ସମୟରେ ଗଜବନ୍ଧଠାରୁ ୨କି.ମି. ଦୂର ବ୍ରାହ୍ମଣିପାଲି, ପଣ୍ଡରାପାଲି ଓ କେନ୍ଦୁପାଲି ଗ୍ରାମର ମଧ୍ଯଭାଗରେଥିବା ଛକ ନିକଟରେ କେତେ ଜଣ ଦୁର୍ବୁତ୍ତ ଛପି ରହିଥିଲେ । ସେଠାରେ ପହଂଚିବା ପରେ ତାଙ୍କୁ ଅତର୍କିତ ଭାବରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଖଣ୍ଡା ଚୋଟରେ ସେ ତଳେ ପଡି ଯାଇଥିଲେ । ଖବର ପାଇ ପରିବାର ଏବଂ ସଂପର୍କୀୟମାନେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଳାଳେ ଏହି ଖବର ପ୍ରଚାରିତ ହେବା ପରେ ବ୍ଳକର ବିଭିନ୍ନ ଗ୍ରାମର ଲୋକେ ତଥା ଜିଲ୍ଲା ସରପଞ୍ଚ ସଂଘ ର କର୍ମକର୍ତ୍ତା ଡାକ୍ତର ଖାନା ରେ ପହଂଚିଥିଲେ । ସ୍ୱର୍ଗତ କ୍ଷେତୀ ଗତ ଥର ଉକ୍ତ ପଂଚାୟତର ସରପଞ୍ଚ ରହିଥ‌ିବା ବେଳେ ଚଳିତ ଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥ‌ିବାରୁ ତାଙ୍କ ସ୍ତ୍ରୀ ବାସନ୍ତୀ କ୍ଷେତୀ ସରପଞ୍ଚ ରହିଛନ୍ତି । ଏଥିରୁ ସେ ଅଞ୍ଚଳରେ ବେଶ ଲୋକପ୍ରିୟତା ଥିବା ଜଣାପଡ଼ିଛି । ସେ ଜଣେ ପରୋପକାରୀ, ସଂଗଠକ, ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଉକ୍ତ ଘଟଣା ପରେ ରାମପୁର ପୁଲିସ ସନ୍ଦେହରେ ୨ଜଣକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ତାଙ୍କର ହତ୍ୟା କାଣ୍ଡକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି । କେତେକ ପୂର୍ବ ଶତୃତାରୁ ଏହା ଘଟିଥ‌ିବା ଆଲୋଚନା ହେଉଥିବା ବେଳେ ଆଉ କେତେକ ଜମିବାଡିକୁ ନେଇ ମଧ୍ଯ ନାନା କଥା ଶୁଣିବାକୁ ମିଳୁଛି । ସେ ବିଜେଡି ଦଳର ଜଣେ ଆଗଧାଡିର ନେତା ଭାବରେ ଜଣାଶୁଣା। ଏହି ଘଟଣାକୁ ନେଇ ଡୁଙ୍ଗୁରିପାଲି ବ୍ଲକ ସରପଞ୍ଚ ସଂଘ ନିନ୍ଦା କରିଛି। ଏଭଳି ଭାବରେ ଜଣେ ସରପଞ୍ଚ ଙ୍କୁ ହତ୍ୟା କରାଯାଉଛି ତାହେଲେ ସାଧାରଣ ଜନତାଙ୍କ କଥା କିଏ ପଚାରେ ବୋଲି ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ସ୍ମରଣଯୋଗ୍ୟ ଯେ ଗତବର୍ଷ ୨ ଇଚ୍ଛାପୁର ସରପଞ୍ଚ ଙ୍କୁ ବ୍ଳକ କାର୍ଯ୍ୟାଳୟ ତଥା ବିଡିଓଙ୍କ ସରକାରୀ ବାସଭବନ ସମ୍ମୁଖରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ବର୍ଷେ ମଧ୍ୟରେ ଜଣେ ଲୋକ ପ୍ରତିନିଧିକୁ ମରଣାନ୍ତକ ଆକ୍ରମଣ ଓ ଜଣକୁ ନିର୍ମମ ହତ୍ୟା ଘଟଣା ଅଂଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ସରପଂଚ ସଂଘ ସଭାପତି ମନୋଜ ପୁରୋହିତ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ବଲାଙ୍ଗିର ସାଇଣ୍ଟିଫିକ ଦଳ ଡୁଙ୍ଗୁରିପାଲି ଡାକ୍ତରଖାନା ଏବଂ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ମଧ୍ଯ ଘଟଣା ସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତ ଆସାମୀମାନଙ୍କୁ ଧରି ଘଟଣାର ପର୍ଦ୍ଦାଫାସ କରିବା ରାମପୁର ପୁଲିସ ପାଇଁ ଏକ ଚେଲେଞ୍ଜ ସୃଷ୍ଟି କରିଛି । ଗାଁ ଗାଁରେ ଅବାଧ ମଦ ବିକ୍ରୀ, ଖୁଲମଖୁଲା ନିଶାକାରବାର, ହୁଗୁଳା ଆଇନ ବ୍ୟବସ୍ଥା ଯୋଗୁଁ ଦିନକୁ ଦିନ ଅସାମାଜିକ କାର୍ଯ୍ୟ, ଚୋରି, ଡକାୟତି, ରାହାଜାନୀ, ହତ୍ୟା ବଢିବାରେ ଲାଗିଛି । ରାମପୁର ପୁଲିସ ଶବ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଛନ୍ତି । ରାମପୁର ଥାନାରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇ ଥାନାଧିକାରୀ ପଦ୍ମାସିନୀ ମେହେର ନିଜେ ଦାୟିତ୍ୱ ନେଇ ତଦନ୍ତ ଜାରି ରଖିଛନ୍ତି । ଖୁବ ଶୀଘ୍ର ସମସ୍ତ ଆସାମୀମାନଙ୍କୁ ଧରାଯିବ ବୋଲି ସେ ତାଙ୍କ ପତିକ୍ରିୟା ରେ ପ୍ରକାଶ କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *