ପୌରାଣିକ ମହେନ୍ଦ୍ରଗିରି ପର୍ବତରୁ ମଶାଲ ଶୋଭାଯାତ୍ରାରୁ ଗଜପତି ଉତ୍ସବର ଶୁଭାରମ୍ଭ
ଚଳିତ ମାସ ୧୮ରୁ୨୨ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଠାଡିୟମ ଠାରେ ଅନୁଷ୍ଠିତ ହେବ । ଗଜପତି ଉତ୍ସବ-୨୦୨୫ର ଶୁଭାରମ୍ଭ ହୋଇଛି । ଉତ୍ସବ ପାଳନର ଅତୀତର ପରମ୍ପରା ଅନୁଯାୟୀ ମଶାଲ ଶୋଭାଯାତ୍ରାରୁ ଗଜପତି ଉତ୍ସବ ପ୍ରାରମ୍ଭ ହୋଇଥାଏ । ଏଥି ସକାଶେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ମଶାଲ କମିଟି ଓ ପ୍ରଚାରପ୍ରସାର କମିଟିର ଦାୟିତ୍ୱରେ ଥିବା ସଦସ୍ୟ ମାନେ ରାୟଗଡ ବ୍ଲକର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଅଭିମୂଖେ ବାହାରିଥିଲେ ।

ମହେନ୍ଦ୍ରଗିରି ପର୍ବତ ଉପରେ ଥିବା ଗୋକର୍ଣ୍ଣେଶ୍ୱର ତଥା କୁନ୍ତି ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ମଶାଲରେ ଅଗ୍ନି ସଂଯୋଗ କରାଯାଇ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା । ମଶାଲ ଶୋଭାଯାତ୍ରା କଇଁପୁର ଠାରେ ପହଞ୍ଚିବା ପରେ ରାୟଗଡ ବ୍ଲକ, ଆର.ଉଦୟଗିରି ଠାରେ ଆର.ଉଦୟିଗିର ବ୍ଲକ, ଛେଳିଗଡ ଠାରେ ମୋହନା ବ୍ଲକ, ଖଜୁରୀପଦା ଠାରେ ନୂଆଗଡ ବ୍ଲକ, କାଣ୍ଟ୍ରାଗଡ ଠାରେ ପାରଳାଖେମୁଣ୍ଡି ବ୍ଲକ(ଗୋଷାଣି) ଏବଂ ପାରଳାଖେମୁଣ୍ଡି ଠାରେ ଗୁମ୍ମା ଓ କାଶୀନଗର ବ୍ଲକ ନିିଜନିଜର ଉତ୍ସବ ପାଳନ ନିମନ୍ତେ ମୁଖ୍ୟ ମଶାଲରୁ ବ୍ଲକସ୍ତରୀୟ ମଶାଲ ପ୍ରଜ୍ଜଳନ କରି ମହାଆଡମ୍ବରରେ ନେଇଥିଲେ । ରାୟଗଡ ବ୍ଲକର କଇଁପୁର, ଆର.ଉଦୟଗିରି ବ୍ଲକର ମଙ୍ଗରାଜପୁର, ସୁବଲଡା, ରାମଗିରି, ଶବରପଲ୍ଲୀ, ଆର.ଉଦୟଗିରି, ନୂଆଗଡ ବ୍ଲକର ଖଜୁରୀପଦା, ପାରଳାଖେମୁଣ୍ଡି ବ୍ଲକ(ଗୋଷାଣୀ)ର କାଣ୍ଟ୍ରାଗଡ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ନିର୍ବାଡିତ ପ୍ରତିନିଧି, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ବହୁସଂଖ୍ୟାରେ ଜନସାଧାରଣ ମଶାଲ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ ।

ଅପରାହ୍ନରେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୌରପରିଷଦ ତରଫରୁ ନାଚ,ପାରମ୍ପରିକ ଓ ଆଦିନିକ ବାଜବାଜଣାରେ ଭିନ୍ନ ଢଙ୍ଗରେ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନାଗା, ଉପଜିଲ୍ଲାପାଳ ଅନୂପ ପଣ୍ଡା, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୃଥ୍ୱିରାଜ ମଣ୍ଡଳ, ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, କାଉନସିଲରଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲେ । ଜଗନ୍ନାଥ ମନ୍ଦିରରେ ମଶାଲକୁ ରଖାଯାଇଥିଲା ।

ସେଠାରେ ଗଜପତି ଉତ୍ସବ ସ୍ମରଣିକା କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ତଥା ମଞ୍ଚ କମିଟିର ଅଧ୍ୟକ୍ଷ ଡ୍ୱିଜେନ ପାଢୀଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
