ପୌର ପରିଷଦ ଅର୍ଥ ହେରଫର ମାମଲା :ଅବସରପ୍ରାପ୍ତ ସହକାରୀ ଟିକସ ଅସୁଲକାରୀ ଶିବରାମ ସାହୁ ଙ୍କୁ ଦୁଇ ବର୍ଷ ଜେଲ ଓ ଦଶ ହଜାର ଜରିମାନା

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ପୌର ପରିଷଦ ଟିକସ ଅର୍ଥ ଆତ୍ମସାତ ମାମଲା ର ବିଚାର କରି ବଲାଙ୍ଗୀର ଭିଜିଲାନ୍ସ ର ସ୍ୱତନ୍ତ୍ର ଜଜ ମଳୟ ରଞ୍ଜନ ଦାଶ ପୂର୍ବତନ ଆସିଷ୍ଟାଣ୍ଟ ଟ୍ୟାକ୍ସ କଲେକ୍ଟର ( ସହକାରୀ ଟିକସ ଅସୁଲକାରୀ ) ଶିବରାମ ସାହୁ ଙ୍କୁ 2 ବର୍ଷ ସଶ୍ରମ କାରାଦଣ୍ଡ ସହ 10 ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l ଶିବରାମ ସାହୁ ସୁବର୍ଣ୍ଣପୁର ପୌର ପରିଷଦ ରେ ସହକାରୀ ଟିକସ ଅସୁଲକାରୀ ଦାୟିତ୍ୱ ରେ ଥିଲେ l 2008-09 ମସିହା ରେ ସେ ପୌରାଞ୍ଚଳ ର ବିଭିନ୍ନ କରଦାତା ଙ୍କ ଠାରୁ ଜଳ ଯୋଗାଣ ସଂଯୋଗ, କ୍ୟାବିନ ଲାଇସେନ୍ସ, ସାପ୍ତାହିକ ମାର୍କେଟ ଓ ପାର୍କିଂ ବାବଦରେ ଟିକସ ଅସୁଲ କରିଥିଲେ l ଶିବରାମ କରଦାତା ଙ୍କୁ ଟଙ୍କା ର ରସିଦ ପ୍ରଦାନ କରିଥିବା ବେଳେ ଓଡିଶା ମ୍ୟୁନିସିପାଲିଟି ନିୟମ -1953 ଅନୁଯାୟୀ ପୌର ପରିଷଦ ର ଦୈନିକ ସଂଗ୍ରହ ଖାତା ରେ ତାହା ଉଲ୍ଲେଖ କରି ନ ଥିଲେ l ଲୋକାଲ ଫଣ୍ଡ ଅଡିଟ ରୁ ଏହି ଦୁର୍ନୀତି ଜଣାପଡିଥିଲା l 2011 ମସିହା ରେ ସମ୍ବଲପୁର ଭିଜିଲାନ୍ସ ରେ ଏ ନେଇ ଅଭିଯୋଗ ହେବା ପରେ ଏକ ମାମଲା U/s-13(2)r/w13 (I)(c)( d)PC Act, 1988/409 IPC ରେ ରୁଜୁ ହୋଇଥିଲା l ଏହି ମାମଲା ଭିଜିଲାନ୍ସ କୋର୍ଟ ରେ ବିଚାରାଧୀନ ଥିଲା l ରାୟ ପ୍ରକାଶ ପରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଶିବରାମ ସାହୁ ଙ୍କ ପେନସନ ବନ୍ଦ କରିବା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି l ଶ୍ରୀ ସାହୁ କିଛି ବର୍ଷ ପୂର୍ବରୁ ଚାକିରୀ ରୁ ଅବସର ଗ୍ରହଣ କରିବା ସହ ନିକଟରେ ଏକ ଜାତୀୟ ରାଜନୈତିକ ଦଳ ରେ ଯୋଗଦାନ କରିଛନ୍ତି l ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜୟକୃଷ୍ଣ ସାହୁ ଏହି ମାମଲା ପରିଚାଳନା କରୁଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର