ପ୍ରଦୂଷଣ ବଳୟରେ କାଳିମାଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଟାୟାର ଫ୍ୟାକ୍ଟ୍ରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଯୋଡା, କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବଡ କାଳିମାଟି ଗ୍ରାମ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ପ୍ରଦୂଷଣର ଗଭୀର ସମସ୍ୟାରେ ପଡ଼ିଥିବା ଅଭିଯୋଗ ଉଠିଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଏକ ଟାୟାର ରିଶୋଲିଂ ଫ୍ୟାକ୍ଟ୍ରିରୁ ନିର୍ଗତ ବିଷାକ୍ତ କଳା ଧୂଆଁ ସମଗ୍ର ଅଞ୍ଚଳକୁ ଦୂଷିତ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏହି ଫ୍ୟାକ୍ଟ୍ରିରେ ଦିନରାତି ଟାୟାର ପ୍ରସ୍ତୁତି କାମ ଚାଲିଥାଏ। ଏଥିପାଇଁ ଥିବା ଉଚ୍ଚ ଚିମିନିରୁ ଅବିରତ ଭାବେ ବିଷାକ୍ତ ଧୂଆଁ ବାହାରୁଛି, ଯାହା ଆସପାସର ବାୟୁମଣ୍ଡଳକୁ ଗଭୀର ଭାବେ ପ୍ରଦୂଷିତ କରୁଛି। ଏହାସହ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଧୂଳି ଓ ଧୂଆଁର ମିଶ୍ରଣ ଲୋକଙ୍କ ପାଇଁ ଅସହ୍ୟ ପରିସ୍ଥିତି ସୃଷ୍ଟି କରିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଫ୍ୟାକ୍ଟ୍ରିରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ ଓ ଧୂଆଁ ଯୋଗୁଁ ଶ୍ୱାସକଷ୍ଟ, ଚର୍ମ ରୋଗ ଇତ୍ୟାଦି ସମସ୍ୟା ବଢ଼ୁଛି। ବିଶେଷକରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀମାନେ ଏହି ପରିବେଶରେ ଅଧିକ ପ୍ରଭାବିତ ହେଉଥିବା କୁହାଯାଉଛି।କାଳିମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରମଣୀ ରଂଜନ ପାତ୍ର କହିଛନ୍ତି ଯେ, ଏଠାରେ ଦିନକୁ ଦିନ ଶ୍ୱାସ ଓ ଚର୍ମ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ପାଇଁ ଏହି ପରିବେଶ ଅତ୍ୟନ୍ତ କ୍ଷତିକାରକ ବୋଲି ସେ ମତ ପ୍ରକାଶ କରିଛନ୍ତି।ସ୍ଥାନୀୟ ବାସିନ୍ଦାମାନେ ଦୀର୍ଘଦିନ ଧରି ଏହି ଫ୍ୟାକ୍ଟ୍ରି ବେଆଇନ ଭାବେ ପ୍ରଦୂଷଣ କରୁଥିବା ଅଭିଯୋଗ କରି ଏହାକୁ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି।ଏ ସମ୍ପର୍କରେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ କହିଛନ୍ତି ଯେ, ଘଟଣା ବିଷୟରେ ସୂଚନା ମିଳିଛି ଓ ଶୀଘ୍ର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
