November 13, 2025
Home » ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କୁ ଭେଟିଲା ଇପିଏଫ୍ ପେନସନର୍ସ ସଙ୍ଘ

ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କୁ ଭେଟିଲା ଇପିଏଫ୍ ପେନସନର୍ସ ସଙ୍ଘ

0
WhatsApp Image 2025-08-02 at 4.00.32 PM

ଭୁବନେଶ୍ୱର : ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟଙ୍କର ଏକ ପ୍ରତିନିଧି ଦଳ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କୁ ଗୁରୁବାର ରାଜ୍ୟ ଅତିଥି ଭବନଠାରେ ସାକ୍ଷାତ କରି ଇପିଏଫ୍ ପେନସନ୍ ଭୋଗୀଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ଓଡ଼ିଶା ସମେତ ସାରା ଦେଶରେ ଥିବା ୮୦ଲକ୍ଷ ପାଖାପାଖି ଏହି ବର୍ଗର ପେନସନଭୋଗୀଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ସେପ୍ଟେମ୍ବର ୨୦୧୪ ମସିହାରେ ଏକ ହଜାର ଟଙ୍କା ସର୍ବନିମ୍ନ ପେନସନ ଲାଗୁ କରିଛନ୍ତି। ଏହି ସ୍ୱଳ୍ପ ପେନସନ ସହ ଦରଦାମ ବୃଦ୍ଧିର ଭରଣା ଲାଗି ମହଙ୍ଗା ଭତ୍ତା ମଧ୍ୟ ଲାଗୁ କରିନାହାନ୍ତି। ବିଡ଼ମ୍ବନାର କଥା, ୪୦ଲକ୍ଷ ପାଖାପାଖି ପେନସନ୍ ଭୋଗୀ ଏକ ହଜାର ଟଙ୍କାରୁ କମ ପେନସନ୍ ପାଇ ଆର୍ଥିକ ଅଭାବ ଅନାଟନ ମଧ୍ୟରେ ଦିନ କାଟୁଛନ୍ତି। ପେନସନ୍ ବୃଦ୍ଧିଲାଗି ଭଗତସିଂ ଖୋସିୟାରୀ କମିଟି ଏବଂ କେନ୍ଦ୍ର ୭ମ ଷ୍ଟାଣ୍ଡିଙ୍ଗ କମିଟି ଦୀର୍ଘ ଦିନରୁ ସୁପାରିଶ କରିଥିଲେ ମଧ୍ୟ ଅର୍ଥ ଅଭାବର ଆଳ ଦେଖାଇ କେନ୍ଦ୍ର ସରକାର ଏହା ମଧ୍ୟରେ ଏଗାର ବର୍ଷ ବିତିଯାଇଥିଲେ ମଧ୍ୟ ପେନସନ୍ ବୃଦ୍ଧି କରୁନାହାନ୍ତି। ଯାହାଫଳରେ ଉପଯୁକ୍ତ ଖାଦ୍ୟ ଓ ଔଷଧ ଅଭାବରେ ଇପିଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକ ମାନେ ଦୁର୍ଦଶାମୟ ଜୀବନ ବିତାଉଛନ୍ତି। ପେନସନ୍ ବୃଦ୍ଧି ବାବଦରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ଇପିଏଫ୍ ପେନସନ୍ ଭୋଗୀଙ୍କ ସଂଗଠନ ସମେତ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଲୋକସଭାର ଉଭୟ ଗୃହର କିଛି ସଦସ୍ୟଙ୍କ ସମେତ ବିଭିନ୍ନ ମହଲରୁ ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ଦେଶର ୮୦ଲକ୍ଷ ଇପିଏଫ୍ ପେନସନଭୋଗୀ ପରିବାରବର୍ଗଙ୍କ ମଧ୍ୟରେ ଘୋର ଅସନ୍ତୋଷ ଓ ନୈରାଶ୍ୟ ଦେଖାଦେଇଥିବା ବିଷୟ ସଙ୍ଘ ତରଫରୁ ପିସିସି ସଭାପତି ଶ୍ରୀ ଦାସଙ୍କୁ ଅବଗତ କରାଯାଇଥିଲା।

କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ପାଉଥିବା ପେନସନର ଅନୁରୂପ ଭାବେ ସର୍ବନିମ୍ନ ପେନସନ୍ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା ଓ ନିଃଶୁଳ୍କ ଚିକିତ୍ସା ସୁବିଧା ଦାବିକୁ କେନ୍ଦ୍ର ସରକାର ଟାଳି ଚାଲୁଛନ୍ତି। ସମସ୍ତ ବିଷୟ ଅବଗତ ହେବା ପରେ ପେନସନ୍ ବୃଦ୍ଧି ବାବଦରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ରାଜ୍ୟସଭାର ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଏବାବଦରେ ଅବଗତ କରିବା ଲାଗି ପିସିସି ସଭାପତି ପ୍ରତିଶୃତି ଦେଇଥିଲେ।
ଏହି ଆଲୋଚନାରେ ଆସୋସିଏସନର ସଭାପତି ବିଜୟ କୁମାର ଜେନା, ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମାଙ୍କ ସମେତ ପ୍ରଫୁଲ୍ଲ କୁମାର ଦାସ, ବିକ୍ରମ ଛୋଟରାୟ, ସରୋଜକାନ୍ତ ମଲ୍ଲିକ, ଅଗାଧୁ ଚରଣ ପ୍ରଧାନ, ଧୀରେନ୍ଦ୍ର ପ୍ରତାପ, ସଚ୍ଚିଦାନନ୍ଦ ସାମନ୍ତରାୟ,ପ୍ରକାଶ କୁମାର ପଟ୍ଟନାୟକ, ଗୀତାଞ୍ଜଳି ପାତ୍ର, ଉର୍ବଶୀ ମିଶ୍ର, ବସନ୍ତ କୁମାର ପରିଡା, ମନମୋହନ ରାୟ, ପ୍ରଭାକର ପରିଡା,ଅଲେଖ ଚରଣ ରାଉତ, ପ୍ରଶାନ୍ତ କୁମାର ରାଉତ, ଗଗନ ପାଇକରାୟ ଓ ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭାଗ ନେଇଥିଲେ। ଶେଷରେ ଶ୍ରୀ ବ୍ରହ୍ମା ପିସିସି ସଭାପତିଙ୍କୁ ଏହି ସାକ୍ଷାତ ଆଲୋଚନା ଲାଗି ଧନ୍ୟବାଦ ଦେବାସହ ସମସ୍ୟାର ସମାଧାନ ଲାଗି ତାଙ୍କର ସହଯୋଗ କାମନା କରିଥିଲେ।

Leave a Reply

Your email address will not be published. Required fields are marked *