ପ୍ରିୟ ଖବରର ଏକାଦଶ ତମ ସ୍ୱନକ୍ଷତ୍ର ସମାଜର ବିକାଶ ପାଇଁ ଖବର ପରିବେଷଣ କରାଯାଉ

ଭୁବନେଶ୍ୱର: ସ୍ୱାଧୀନତା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ସମାଜ ତଥା ଦେଶର ବିକାଶ ପାଇଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ସମ୍ବାଦପତ୍ର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ । ସେତେବେଳେ ହାତଗଣତି କେତୋଟି ଖବର କାଗଜ ପ୍ରକାଶ ପାଉଥିଲା । ହେଲେ ଗଠନମୂଳକ ଖବର ପ୍ରକାଶ ପାଉଥିଲା, ଯାହା ସମାଜର ହିତ ସାଧନ କରୁଥିଲା । ଏବେ ଅନେକ ପରିବର୍ତ୍ତନ ହୋଇଛି । ଡିଜିଟାଲ ସହିତ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ସଙ୍ଗେ ସଙ୍ଗେ ଖବର ପ୍ରକାଶ କରୁଛନ୍ତି ସତ, ହେଲେ ସେଥିରେ ସତ୍ୟତା କେତେ ତାହା ଜାଣିବା ମୁସ୍କିଲ୍ । ଗୋଟିଏ ଖବର କାଗଜର ବୟସ କେତେ ହୋଇଛି ତାହା ବଡ଼କଥା ନୁହେଁ, ଖବର କାଗଜରେ କେଉଁ ବର୍ଗଙ୍କ ପାଇଁ କଣ ଅଛି ଓ ସମାଜର କେତେ ହିତ ସାଧନ କରୁଛି, ତାହା ଜାଣିବା ଉଚିତ୍ । ସମାଜର ବିକାଶ ପାଇଁ ନିରପେକ୍ଷ ଖବର ପରିବେଷଣ କରାଯିବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଜୟଦେବ ଭବନରେ ପ୍ରିୟ ଖବରର ଏକାଦଶତମ ସ୍ୱନକ୍ଷତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗଦେଇ କହିଥିଲେ ଯେ, ପ୍ରିୟ ଖବର ସମସ୍ତଙ୍କର ପ୍ରିୟ ହେଉ । ଏଥିରେ ଅନୁସନ୍ଧାନମୂଳକ ଓ ସତ୍ୟ ଖବର ଉପସ୍ଥାପନା କରାଯାଉ । କାରଣ ସାମ୍ବାଦିକମାନଙ୍କ କାମ ହେଲା- ସତ୍ୟ, ନିର୍ଭିକ, ନିରପେକ୍ଷ ଓ ଗଠନମୂଳକ ଖବର ପରିବେଷଣ କରିବା । ଏହାଦ୍ୱାରା ସମାଜର ମଙ୍ଗଳ ହେବ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହିଥିଲେ ଯେ, ଗୋଟିଏ ଖବର କାଗଜକୁ ବଞ୍ଚାଇ ରଖିବା ଏବେ କଷ୍ଟକର ବ୍ୟାପାର । ପ୍ରିୟ ଖବର ଦୀର୍ଘ 11 ବର୍ଷ ହେଲା ତାର ପ୍ରକାଶନ ଜାରି ରଖିଛି । ମୁକ୍ତ କଣ୍ଠରେ ମୁକ୍ତ କଲମ ଚାଳନାରେ ସେ ତାଙ୍କର ଖବର ପରିବେଷଣ କରୁଛନ୍ତି । ହେଲେ ସତ୍ୟ ଖବର ପରିବେଷଣ ସମୟରେ ନଜର ରଖିବା ଉଚିତ୍ । ସମାଜର କ୍ଷତି କଲାଭଳି ଖବର ପରିବେଷଣ କରିବା ଉଚିତ୍ ନୁହେଁ । ସମାଜର ହିତ ଓ ବ୍ୟବସ୍ଥାର ସୁଧାର ପାଇଁ ଖବର ପ୍ରସାରଣ ହେବା ଉଚିତ୍ । ବହୁଳ ପ୍ରସାରିତ ଖବର କାଗଜ ଯେଉଁ ଖବରକୁ ଗୁରୁତ୍ୱ ଦିଏନାହିଁ, କ୍ଷୁଦ୍ର ଓ ମଧ୍ୟମ ଖବର କାଗଜ ତାକୁ ଗୁରୁତ୍ୱ ଦେଇ ସମାଜର ହିତ ସାଧନ କରିଥାଏ ବୋଲି ଶ୍ରୀ ମୁଦୁଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଖବର କାଗଜର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରିୟ ଖବର ସବୁବେଳେ ପାଠକଙ୍କ ରୁଚିକୁ ଗୁରୁତ୍ୱ ଦେଉଥିବାବେଳେ ଦୀର୍ଘ ବର୍ଷ ହେଲା ନିରବିଚ୍ଛିନ୍ନ ଭାବେ ପ୍ରସାରିତ ହେଉଛି । ପ୍ରିୟ ଖବରର ସମ୍ପାଦକ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ହର ପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ଲୋକକଳା, ଘୋଡ଼ାନାଚ ଓ ପାଇକ ଆଖଡ଼ା ପରିବେଷଣ କରାଯାଇଥିଲା । ଏଥିସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହାସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା.