ଫୁଲନଖରା ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲରେ ‘ହାର୍ଣ୍ଣିଆ ମାଷ୍ଟର କ୍ଲାସ’

ଭୁବନେଶ୍ୱର: ହାର୍ଣ୍ଣିଆ ରୋଗର ଉପଚାର ନିମନ୍ତେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଫୁଲନଖରା ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨ ଠାରେ ମଙ୍ଗଳବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ‘ହାର୍ଣ୍ଣିଆ ମାଷ୍ଟର କ୍ଲାସ୍’ ଭାବେ ନାମିତ ଏହି କର୍ମଶାଳାରେ ହସ୍ପିଟାଲର ଶଲ୍ୟ ଚିକିତ୍ସକ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ନୂଆଦିଲ୍ଲୀ ସ୍ଥିତ ମାକ୍ସ ସୁପରସ୍ପେଶିଆଲିଟି ହସ୍ପିଟାଲର ଲେଜର, ଲାପ୍ରାସ୍କୋପିକ ଓ ରୋବୋଟିକ ସର୍ଜନ ପ୍ରଫେସର (ଡାକ୍ତର) ନୀରଜ ଗୋୟଲ ଏହି କର୍ମଶାଳାରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ନିଜର ବକ୍ତବ୍ୟରେ ପ୍ରଫେସର (ଡାକ୍ତର) ଗୋୟଲ ହାର୍ଣ୍ଣିଆ ଅସ୍ତ୍ରୋପଚାରରେ ବ୍ୟବହୃତ ହେଉଥିବା ନୂତନ ପ୍ରୟୋଗ ବିଷୟରେ ଆଲୋଚନା କରି ନୂତନ ଧରଣର ଆବଡୋମିନାଲ୍ ମେଶ ବିଷୟରେ ତଥ୍ୟ ରଖିଥିଲେ। ଏହି କର୍ମଶାଳାର ଆରମ୍ଭରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ଶଲ୍ୟ ଚିକିତ୍ସକ ପ୍ରଫେସର (ଡାକ୍ତର) ମାନସ ରଞ୍ଜନ ସାହୁ ଯୋଗ ଦେଇ ଏହି ପ୍ରକାର କର୍ମଶାଳାର ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏପରି କର୍ମଶାଳାର ଅନେକ ଗୁରୁତ୍ୱ ରହିଥିବା ପ୍ରକାଶ କରିଥିଲେ। ଏପର୍ଯ୍ୟନ୍ତ ସୋଆ ବିଶ୍ୱବିଦ୍ୟାଳୟରେ ୫୫୦ରୁ ଊର୍ଦ୍ଧ୍ୱ କର୍ମଶାଳା ଓ ଆଲୋଚନାଚକ୍ର ଓ ୯୦ ରୁ ଅଧିକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଥିବା ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ଫୁଲନଖରା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ-୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା, ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ମହମ୍ମଦ ଜାଭେଦ ଅଖତାର ଓ ସର୍ଜରୀ ବିଭାଗ ଆସୋସିଏଟ୍ ପ୍ରଫେସର (ଡାକ୍ତର) ଚିନ୍ମୟ ରଞ୍ଜନ ବେହେରା ବକ୍ତବ୍ୟ ରଖିଥିଲେ।
esternpress agency