December 27, 2025
Home » ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0
WhatsApp Image 2025-12-27 at 12.29.53 PM

କଟକ:ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟିକ ବିବା‌ଦକୁ ନେଇ ଜଲ୍‌ଧି ଓଭରସିଜ୍‌ ପିଟିଇ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମଭି ଦି’ ପାଟ୍ରୋନ (ଆଇଏମଓ ୯୪୮୧୪୩୯) ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଆବେଦନକାରୀ ସଂସ୍ଥାର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ସାମୁଦ୍ରିକ ବିବାଦ ସଂପର୍କିତ ମୂଳ ମାମଲାରେ ପ୍ରତିପକ୍ଷ ଏମଭି ଦି ପାଟ୍ରୋନ (ଆଇଏମଓ ୯୪୮୧୪୩୯)କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ୨୦୨୬, ଜାନୁଆରି ୫ରେ ଆରମ୍ଭ ହେବାକୁ ଥିବା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରତିପକ୍ଷ ଜାହାଜଟି ଖୁବ ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲିଯାଇ ପାରେ ବୋଲି ଆବେଦନକାରୀ ଦର୍ଶାଇବା ସହିତ ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। ଯଦି ପାରାଦୀପ ବନ୍ଦରରୁ ଜାହାଜ ଅନ୍ୟତ୍ର ଚାଲିଯାଏ ତେବେ ଏହି ମାମଲା ଅପ୍ରାସଂଗିକ ହୋଇଯିବ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏହାପରେ ଅବକାଶକାଳୀନ ଖଣ୍ଡପୀଠ ଦିନ ୪ଟା ୪୫ରେ ମାମଲାର ଶୁଣାଣି କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ଏମଭି ଦି’ ପାଟ୍ରୋନ (ଆଇଏମଓ ୯୪୮୧୪୩୯) ବିରୋଧରେ ୨୦୨,୦୦୦ ଆମେରିକୀୟ ଡଲାର ଅର୍ଥ ଦାବି କରି ଆବେଦନକାରୀ ସଂସ୍ଥା ହାଇକୋର୍ଟରେ ଏହି ମାମଲା ଦାୟର କରିଛି। ମୂଳ ସାମୁଦ୍ରିକ ବିବାଦ ମାମଲା ବିଚାରାଧୀନ ଥିବା ବେଳେ ଜାହାଜକୁ ଆରେଷ୍ଟ କରାଯାଉ ବୋଲି ଦର୍ଶାଇ ଆବେଦନକାରୀ ଅନ୍ତରୀଣ ଆବେଦନ ଦାୟର କରିଥିଲେ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *