March 14, 2025
Home » ବସନ୍ତ ର ଆଗମନରେ ପଲସା ଫୁଲର ସମ୍ଭାର

ବସନ୍ତ ର ଆଗମନରେ ପଲସା ଫୁଲର ସମ୍ଭାର

0

ସୁବର୍ଣ୍ଣପୁର: ଋତୁରାଜ୍ ବସନ୍ତର ଆଗମନରେ ଚାରିଆଡେ ବେଶ୍ ଶୋଭା ପାଉଛି ପଲସାଫୁଲ । ପ୍ରକୃତି ଓ ପରିବେଶ ମଧ୍ୟରେ ରହିଛି ନିବିଡ ସମ୍ପର୍କ । ପଲସାଫୁଲର ରଙ୍ଗୀନ ରଙ୍ଗରେ ଧରାପୃଷ୍ଠରେ ଭରିଦେଇଛି ସୌନ୍ଦର୍ଯ୍ୟ । ଲାଲ ବର୍ଣ୍ଣର ଏହି ପଲସାଫୁଲ ସୁବର୍ଣ୍ଣପୁର ଜିଲ୍ଲାର ବିଭନ୍ନ ଗାଁର , ନଦୀ ନାଳ , ରାସ୍ତା କଡ଼ରେ ଦେଖବାକୁ ମିଳୁଛି ଅପୂର୍ବ ସୌନ୍ଦର୍ଯ୍ୟ ର ମନୋରମ ଦୃଶ୍ୟ । ପ୍ରକୃତିର ଏପରି ଅପରୂପ ସୌନ୍ଦର୍ଯ୍ୟକୁ ଦେଖୁ କବି ଓ ଭାବୁକ ହେଉଛନ୍ତି ଆନମନା l ଯୁଆଡେ ଦେଖିଲେ ଲାଲ ରଙ୍ଗରେ ରଙ୍ଗୀନ ହୋଇଛି ପଲସାଫୁଲ । ଗାଁ ହିଡ ଅବା ଗାଁ ମୁଣ୍ଡ ଜଙ୍ଗଲ ଅବା ପୋଖରୀ ତୁଠ ସବୁଠି ଏବେ ପଲସାଫୁଲ ର ସମ୍ଭାର । ଥିରିଥିରି ପବନର ସ୍ପର୍ଶରେ ଉତ୍ତୁଳିତ ହୋଇଉଠୁଛି ପଲସାଫୁଲ । ଚାରିଆଡେ କୋଇଲିର କୁହୁ କୁହୁ ଶବ୍ଦ ସାଙ୍ଗକୁ ମନ ମତାଣିଆ ସ୍ବର ସୃଷ୍ଟି କରୁଛି ଅପୂର୍ବ ମୂର୍ଚ୍ଛନା । କ୍ଲାନ୍ତି କୃଷକ ଟିଏ ହେଉ ଅବା ତୃଷାର୍ଥ ପଥିକଟିଏ ହେଉ ପଲସାଫୁଲକୁ ଦେଖିବା କ୍ଷଣି ଭୁଲିଯାଏ ଦୁଃଖ ଓ କଷ୍ଟ । ଭରିଦିଏ ମନରେ ଅସୁମାରି ଆନନ୍ଦ । ଖାଲି ସେତିକି ନୁହେଁ ପ୍ରକୃତି ସହିତ ପରିବେଶ ର ଏହି ପରିପୂରକ ପଲସାଫୁଲର ଅପୂର୍ବ ମନୋରମ ଦୃଶ୍ୟକୁ ଦେଖି କେତେ ଯେ କବି ଅତ୍ମହରା ହୋଇଛନ୍ତି ଆଉ ଭାବୁକ ହେଇଛି ଭାବମୟ । ବେଳେ ବେଳେ ସାଧାରଣ ମଣିଷ ଟିଏ ଏପରି ଅପରୂପ ଦୃଶ୍ୟ କୁ ଦେଖୁ ହୋଇଯାଏ ଆନମନା l ବସନ୍ତ ରୁତୁର ଶୋଭାମୟ ପରିବେଶକୁ ବିମୋହିତ କରିଦେଇଛି ପଲସାଫୁଲ । ସୁପ୍ରଭାତର ସୁନେଲି କିରଣରେ ଆଲେକିତ ହୋଇଯାଏ ପଲସାଫୁଲ । ଦୂରରୁ ଦେଖାଯାଏ ଲାଲର ଚାଦରଭଳି । ଆକାଶର ଖଣ୍ଡଖଣ୍ଡ ଭସା ବାଦଲ ଓ ପୃଥିବୀର ଲାଲ ଚିକଚିକ କରୁଥିବା ପଲସାଫୁଲ ସତେଯେମିତି ପରସ୍ପରକୁ ଚାହିଁ ରହିଛନ୍ତି ଚାତକପରି । ଚାରି ଆଡେ ଏବେ ଖୁସିର ଆସର ।। ଆଉ ଚୈତ୍ର ମାସର ମା ମଙ୍ଗଳାଙ୍କ ପୂଜାରେ ଓ ଦଣ୍ଡ ଯାତ୍ରାରେ ପଲସାଫୁଲର ବ୍ୟବହାର କରାଯାଇଥାଏ । ସେହିପରି ପଲସାଫୁଲ ର ରହିଛି ଅନେକ ଔଷଧୀୟ ଗୁଣ । ପ୍ରକୃତିର ଏହି ମନୋରମ ଅପୂର୍ବ ଦୃଶ୍ୟ ସବୁଜିମା କୋଳରେ ବେଶ୍ ଶୋଭା ପାଉଛି । ପ୍ରକୃତି ଓ ପରିବେଶ ଓ ସାହିତ୍ୟ ସହିତ ପଲସାଫୁଲ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଛି ।ପଲସାଫୁଲ ବାସ୍ନା ନ ଥିଲେ ବି ଏହାର ସୌନ୍ଦର୍ଯ୍ୟ ସମସ୍ତଙ୍କୁ କରିଥାଏ ଆନମନା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *