ବସ୍ ଓ ବୁଲେଟ୍ ମଧ୍ୟରେ ଧକ୍କା, ଦୁଇ ବୁଲେଟ ଆରୋହୀ ମୃତ
l
ସୁବର୍ଣ୍ଣପୁର –ଗୁରୁବାର ବିଳମ୍ବିତ ରାତି ରେ ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥ ନଂ 57 ର ବାଉଁଶୁଣୀ ଥାନା ଗଜରାଜପୁର ଗାଁ ନିକଟରେ ଘଟିଛି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ସହ ବୁଲେଟ୍ ଧକ୍କା ହେବା ଫଳରେ 2 ବୁଲେଟ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ପିଙ୍ଗଳାବେଡ଼ା ଗ୍ରାମର ଅମିତ ଝାଙ୍କର ଓ ତାଙ୍କ ସମ୍ପର୍କୀୟ ଭଣଜା ବୌଦ୍ଧ ଥାନା କୃଷ୍ଣପାଲି ଗ୍ରାମର ସିଦ୍ଧାନ୍ତ ପ୍ରଧାନ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅମିତ ଝାଙ୍କର ଓ ତାଙ୍କ ସମ୍ପର୍କୀୟ ଭଣଜା ସିଦ୍ଧାନ୍ତ ପ୍ରଧାନ ଏକ ବୁଲେଟ୍ ଯୋଗେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଭୁବନେଶ୍ୱରରୁ ଉମରକୋଟ ଅଭିମୁଖେ ଯାଉଥିବା ରଘୁନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସହ ଗଜରାଜପୁର ନିକଟରେ ଧକ୍କା ହୋଇଥିଲା । ଫଳରେ ଉଭୟ ବୁଲେଟ୍ ଆରୋହୀ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ 108 ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବାଉଁଶୁଣୀ ପୁଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ମହାପ୍ରୟାଣ ଗାଡ଼ି ସାହାଯ୍ୟରେ ବୌଦ୍ଧ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବାଉଁଶୁଣୀ ପୁଲିସ ଏକ ମାମଲା ରୁଜୁ କରି ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
