ବାଣିବିହାର ଛକରେ ବିଏମ୍ ସିର ମେଗା ଗଣସଫେଇ
ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବିଏମ୍ ସିର ଆଉ ଏକ ପଦକ୍ଷେପ । ବାଣିବିହାର ଛକ ଭେଣ୍ଡିଂ ଜୋନ୍ ଅଂଚଳରେ ଆଜି ହେଲା ମେଗା ଗଣ ସଫେଇ । ଗଣ ସଫେଇରେ ମାନ୍ୟବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ,ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ, ସ୍ଥାନୀୟ କର୍ପୋରେଟର ଓ ବିଏମ୍ ସିର ବରିଷ୍ଠ ଅଧିକାରୀଙ୍କ ସହ ସାମିଲ ହେଲେ ଶହ ଶହ ନାଗରିକ । ବାଣିବିହାର ଫ୍ଲାଏ ଓଭର ସହିଦ ନଗର ପାର୍ଶ୍ୱ ଅଂଳରେ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ମେଗା ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମେଟ୍ରୋ ବିଲ୍ଡିଂ ପାଖରେ ଥିବା ଭେଣ୍ଡିଂ ଜୋନ ଅଂଚଳକୁ ସଫେଇ କରାଯାଇଥିଲା । ଏଥିରେ ମାନ୍ୟବର ବିଧାୟକ, ମାନନୀୟା ମେୟର, ସ୍ଥାନୀୟ କର୍ପୋରେଟର, ବିଏମ୍ ସିର ଅତିରିକ୍ତ କମିଶନର, ଡେପୁଟି କମିଶନରଙ୍କ ସହ ଟିମ୍ ବିଏମ୍ ସି, ଆଓ୍ୱାର ଲାଣ୍ଡ, ଜାଗୃତିର କର୍ମଚାରୀଙ୍କ ସହ ସ୍ୱେଚ୍ଛାସେବୀ ସଂଗଠନ ଫିଡବ୍ୟାକର ବହୁ ସ୍ୱେଚ୍ଛାସେବୀ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ, ଏସ୍ଏଚ୍ ଜି, ବରିଷ୍ଠ ନାଗରିକ, ରୂପାଲି ଭେଣ୍ଡିଂ ଜୋନର କର୍ମକର୍ତ୍ତା, ବିଭିନ୍ନ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ଭେଣ୍ଡିଂ ଜୋନ୍ ଆସୋସିଏସନର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଜାତୀୟ ରାଜପଥରୁ ରାଜଧାନୀ ମଧ୍ୟକୁ ପ୍ରବେଶ କରିବାର ଏହା ଏକ ପ୍ରମୁଖ ଛକ ହୋଇଥିବାରୁ ଏ ଅଂଚଳକୁ ସଦାସର୍ବଦା ସ୍ୱଚ୍ଛ ରଖିବା ପାଇଁ ସ୍ଥାନୀୟ ଦୋକାନୀଙ୍କୁ ତାଗିଦ କରିଛନ୍ତି ମାନନୀୟା ମେୟର । ବାଣୀବିହାର ଛକରୁ ରସୁଲଗଡ ଆଡକୁ ଯିବାରାସ୍ତାର ଡାହାଣ ପାର୍ଶ୍ୱବର୍ତ୍ତୀ ଅଂଚଳକୁ ସଫା କରାଯାଇଥିଲା ।

ଗଣ ସଫେଇରେ ସାମିଲ ହୋଇଥିବା ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ “ଆମ ଭୁବନେଶ୍ୱର; ହେବ ଏକ ନମ୍ବର” ନାରା ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ । ସେଠାରେ ଥିବା ଜିଭିପିଗୁଡିକୁ ହଟାଇ ଦିଆଯାଇଛି । ଏଠାରେ ପ୍ରାୟ 6 ଟ୍ରିପ ବା 18 ଟନରୁ ଅଧିକ ବର୍ଜ୍ୟ ବାହାରି ଥିଲା । ଦୋକାନ ଆଖପାଖକୁ ପରିଷ୍କାର ରଖିବା ପାଇଁ ଦୋକାନୀମାନଙ୍କୁ ତାଗିଦ କରାଯାଇଛି । ଭୁବନେଶ୍ୱରର ପ୍ରତ୍ୟେକ ଦୋକାନୀ ଓ ନାଗରିକ ସଚେତନ ହେବା ଦରକାର । ନିଜ ନିଜର ପରିବେଶକୁ କିପରି ସ୍ୱଚ୍ଛ ଓ ସୁନ୍ଦର ରଖିବା ସେଥିପାଇଁ ସହର ପ୍ରତ୍ୟେକ ବ୍ୟକ୍ତି କାର୍ଯ୍ୟ କରିବା ଦରକାର । ପରିବେଶ ପ୍ରଦୂଷଣ ଯୋଗୁଁ ସଂପ୍ରତି ବାୟୁମଣ୍ଡଳ ସହ ଋତୁଚକ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି । ବାୟୁମଣ୍ଡଳ ପ୍ରଦୂଷଣ ହେବା ଦ୍ୱାରା ଭୁବନେଶ୍ୱରର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି । ତେଣୁ ଏବେଠାରୁ ସମସ୍ତେ ସତର୍କ ହେବା ସହ ପରିବେଶକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ମାନନୀୟା ମେୟର । ଉଡ୍ର ଫାଉଣ୍ଡେସନ ସହିତ ଭିଜୁଆଲ୍ ଆର୍ଟିଷ୍ଟ ଫିରଦୌସି ତବସୁମଙ୍କ ଦ୍ୱାରା ପରିବେଶଗତ ଏକ ଆକର୍ଷଣୀୟ କଳାକୃତିକୁ ମାନ୍ୟବର ବିଧାୟକ ଓ ମେୟର ଉଦଘାଟନ କରିଥିଲେ । ଭୁବନେଶ୍ୱରର ଏହି ପ୍ରମୁଖ ପ୍ରବେଶ ପଥରେ ଏପରି କଳାକୃତୀ ପ୍ରତ୍ୟେକ ଲୋକଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି ମାନନୀୟା ମେୟର । ଏହି ଅବସରରେ ବାଣିବିହାର ଭେଣ୍ଡିଂ ଜୋନରେ କେତେକ ଦୋକାନୀ ସେମାନଙ୍କର ବାର୍ଷିକ ୟୁଜର୍ସ ଫି ସ୍ୱତଃପ୍ରବୃତ ଭାବେ ପ୍ରଦାନ କରିଥିଲେ ।
