December 18, 2025
Home » ବାରବାଟୀ ଷ୍ଟାଡ଼ିୟମରୁ ବିଶ୍ୱ ଏକତାର ବାର୍ତ୍ତା

ବାରବାଟୀ ଷ୍ଟାଡ଼ିୟମରୁ ବିଶ୍ୱ ଏକତାର ବାର୍ତ୍ତା

0
WhatsApp Image 2025-12-12 at 7.03.45 PM

ଭାଇଚାରାର ସ‌ହର ଆମ କଟକ । ଐତିହ୍ୟ ଓ ପରାକ୍ରମର ସହର କଟକ । ବ୍ୟବସାୟିକ ରାଜଧାନୀ ହେଲା ଆମ କଟକ । କୁହାଯାଏ ‘କଟକ’ ଶବ୍ଦ ସଂସ୍କୃତ ଶବ୍ଦ ‘କଟକ’ରୁ ଉଦ୍ଭବ । ଯାହାର ଅର୍ଥ ହେଲା ‘ସେନା ଶିବିର ଓ ସରକାରଙ୍କ ଆସ୍ଥାନ ଯାହାକି ସୈନ୍ୟମାନଙ୍କ ଦ୍ବାରା ସୁରକ୍ଷିତ ବା ଦୁର୍ଗ । ଓଡ଼ିଶା ଇ‌ତିହାସରେ ବାରବାଟୀ ଦୁର୍ଗ ଖୁବ ପରିଚିତ । ଜଗନ୍ନାଥ ମନ୍ଦିରର ମାଦଳା ପାଞ୍ଜିରେ ଲେଖାଅଛି ଯେ କେଶରୀ ବଂଶର ରାଜା ନୃପ କେଶରୀଙ୍କ ଦ୍ୱାରା ୯୮୯ ଖ୍ରୀ.ଅ.ରେ ଏକ ସେନା ଛାଉଣୀ ଭାବରେ କଟକର ପ୍ରତିଷ୍ଠା ହୋଇଥିଲା । କଟକ ଇତିହାସର ମୂକସାକ୍ଷୀ ଓଡ଼ିଶା ବିଦିତ ପୂରାତନ ବାରବାଟୀ ଦୁର୍ଗ ଏଯାବତ୍ ସଗର୍ବେ ଆମ ଗହଣରେ ଦଣ୍ଡାୟମାନ । ଏହି ଦୁର୍ଗ ନାମରେ ନାମିତ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୁକ୍ତ ବାରବାଟୀ ଷ୍ଟାଡ଼ିୟମ । ମଙ୍ଗଳବାର ହୋଇଥିଲା କଟକ ସହର ଚଳଚଞ୍ଚଳ । ସେ ଦିନ ଥିଲା, ଭାରତ ଓ ଦକ୍ଷିଣ ଆଫ୍ରିକାର ପ୍ରଥମ ଟି୨୦ ମ୍ୟାଚ୍ । ମ୍ୟାଚକୁ ସଫଳତା ସ‌ହ ଆୟୋଜନ କରି ପୂର୍ବରୁ ରହିଥ‌ିବା କଳଙ୍କିତ ଅଧ୍ୟାୟକୁ ଏବେ ଧୁଆଯାଇଛି । କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିଛି ଭାରତୀୟ ଦଳ । ବାରବାଟୀ ମ୍ୟାଚକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଣ୍ଟି ବଜାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ମ୍ୟାଚ ସମୟରେ ବାରବାଟୀ ଷ୍ଟାଡ଼ିୟମର କ୍ଲକ୍ ଟାୱାରରେ ପତିତପାବନ ବାନା ବନ୍ଧା ହୋଇଥିବାର ଦେଖା ଯାଇଥିଲା । ଖେଳ, କୁସ୍ତି ଓ କସରତ ମଣିଷର ଶାରିରୀକ ଓ ମାନସିକ ସ୍ଥିତିକୁ ନିୟନ୍ତ୍ରଣ ରଖିଥାଏ । ଖେଳ-କୁଦ ଓ ଯୋଗଭ୍ୟାସ ସର୍ବଦା ମଣିଷର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ସେ ଦିନ ମୁଁ ଏବଂ ମୋ ଦୁଇ ବନ୍ଧୁଙ୍କ ସହ ଖେଳ ଦେଖିବାକୁ ଯାଇଥିଲି । ରାସ୍ତା ତମାମ ଖେଳପ୍ରେମୀଙ୍କ ଉତ୍ସାହ ଓ ଗହଳି ମୋତେ ଆହୁରୀ ଉତ୍ସାହିତ କରିଥିଲା । ଗେଟ ଭିତରକୁ ଯିବା ପାଇଁ ଧାଡ଼ିରେ ଛିଡ଼ା ହୋଇ ଆଗକୁ ଯାଉଥିଲି । ଭିନ୍ନ ଭିନ୍ନ କ୍ରିକେଟ ପ୍ରେମୀ ରଙ୍ଗ-ବିରଙ୍ଗର ପେଣ୍ଟିଙ୍ଗ କରି ଆସୁଥାନ୍ତି । ଭାରତ ଦଳର ବିଭିନ୍ନ ଖେଳାଳିଙ୍କ ନାମରେ ଟି-ସାର୍ଟ ପିନ୍ଧିଥାନ୍ତି । କେତେ ଜଣ ଭିନ୍ନ ଭିନ୍ନ ବାର୍ତ୍ତା ବହନ କରିଥିବା କାଗଜ ପୋଷ୍ଟର ଧରି ଯାଉଥାନ୍ତି । ମୁଁ ଦେଖିଲି ତିନି ଜଣ ଯୁବକ ହାତରେ ଦୁଇଗୋଟି କାଗଜ ବୋର୍ଡ଼ । ସେଥ‌ିରେ ଇଂରାଜୀ ଭାଷାରେ ଲେଖାଥିଲା “ଦେଶପ୍ରେମ ଧର୍ମ ବିଶ୍ଵାସର ଏକ ଅବିଚ୍ଛେଦ୍ୟ ଅଙ୍ଗ” ଏବଂ ଅନ୍ୟଟି ଥିଲା, “ପ୍ରେମ ସଭିଙ୍କ ପାଇଁ ଘୃଣା କାହାକୁ ନାହିଁ” । ସେହି ଲେଖାକୁ ଦେଖି ବହୁ ଲୋକେ ପ୍ରଶଂସା କରୁଥିଲା ବେଳେ, ଦୋକାନ କଡ଼ରେ ବସିଥିବା ଜଣେ ବୟଜେଷ୍ଠ ମୁରବୀ ଦେଖି କହିଲେ, ବାବାରେ ଏ ବାର୍ତ୍ତା ବହୁତ ଉଚ୍ଚକୋଟିର ଲେଖା । ଏହାର ମର୍ମ ହୃଦୟସ୍ପର୍ଶୀ । କିନ୍ତୁ ଏ ମିଡ଼ିଆ ଦୁନିଆକୁ ରଙ୍ଗ-ବିରଙ୍ଗର ଓ ଚଟପଟା ଖବର ଦେଖେଇବାକୁ ଭାରି ତତପର ଓ ଇଚ୍ଛୁକ । ଏଭଳି ଲେଖା ଓ ବାର୍ତ୍ତାକୁ କେବେ ହେଲେ ଦେଖାଇବ ନାହିଁ ।

ଲେଖା ଥିବା ସେହି ବାର୍ତ୍ତାକୁ ପଢି ମୋ ମନେ ପଡ଼ିଗଲା ପାଠଶାଳାରେ ପଢିଥିବା ଏଇଭଳି କେତେକ କଥା । ପଢିଥିଲି ଏକତା ହିଁ ଅଖଣ୍ଡତା । ଆମେ ଭାରତବାସୀ ସଭିଏଁ ଏକ । ବ୍ରହ୍ମ ଏକ । ସୂର୍ଯ୍ୟ ଏକ । ଚନ୍ଦ୍ର ଏକ । ତାରା ଅନେକ । ଏକରୁ ହୋଇଥାଏ ଅନେକ । ଜାଣିବାକୁ ପାଇଲି, ଋଗବେଦରେ ଲେଖାଅଛି, ଏକାଠି ରହିବା ଓ ଏକ ମନ ହୋଇରହିବା । ଆମର ଆକାଂକ୍ଷା, ହୃଦୟ ଓ ମନ ସମାନ ହେବା ଉଚିତ୍ । ଏପରି ଏକତା ହିଁ ସଫଳତା ଦେଇଥାଏ । ମିଳିମିଶି ସମସ୍ତେ ମଙ୍ଗଳ କାମନା କଲେ ହିଁ ଏକତା ଓ ସୁଖ-ଶାନ୍ତି ସ୍ଥାପିତ ହେବ । ମହାଭାରତ ପୁରାଣରେ ଲେଖାଯାଇଛି, ଅହିଂସା, ମୈତ୍ରୀ ଓ ସଦଭାବନା ମାନବ ଧର୍ମର ସର୍ବୋଚ୍ଚ ଗୁଣ । ଏହା ଭାଇଚାରାକୁ ବୁଝାଇଥାଏ । ଭାଗବତ ପୁରାଣରେ ଲେଖାଅଛି, ପ୍ରତ୍ୟେକ ଜୀବରେ ଭଗବାନଙ୍କ ଅଂଶ ରହିଛି । ତେଣୁ ଆମେ ସମସ୍ତେ ଭଗବାନଙ୍କ ସନ୍ତାନ ଭାଇଭାଇ । ସମସ୍ତଙ୍କୁ ସମ୍ମାନ କରିବା ଓ ସମସ୍ତଙ୍କ ସହ ସଦ୍‌ବ୍ୟବ‌ହାର କରିବା ଉଚିତ୍ । ମନୁସ୍ମୃତି କହେ ସମସ୍ତଙ୍କ ସହ ମୈତ୍ରତା ସ୍ଥାପନ କର । କାହାରି ପ୍ରତି ଦ୍ବେଷ ମନ ଭାବ ରଖ ନାହିଁ । କ୍ଷମା, କରୁଣା ଓ ମୈତ୍ରତା ହିଁ ପରମ ଧର୍ମ । ବାଇବେଲରେ ଲେଖାଅଛି, ଭାଇଚାରାର ଭାବ ବହୁତ ସୁନ୍ଦର । ଏକତା ଓ ଅଖଣ୍ଡତା ହିଁ ଶୁଭ ଓ ଆନନ୍ଦମୟ ହୋଇଥାଏ । ଆମେ ସମସ୍ତେ ଏକ ପିତାଙ୍କ ସନ୍ତାନ । ମହାପୁରୁଷ ଅବତାର ଯୀଶୁ କୁହନ୍ତି, ପରସ୍ପର ମଧ୍ୟରେ ପ୍ରେମ କର । ଏହା ମୋର ଆଦେଶ । ତୁମେ ସମସ୍ତେ ଏକ । ଏଠାରେ କେହି ଅଲଗା ନୁହନ୍ତି । ଗୁରୁ ଗୋବିନ୍ଦ ସିଂ କହିଛନ୍ତି, ମନୁଷ୍ୟ ଜାତି ଏକ । ସମସ୍ତଙ୍କୁ ସମାନ ମଣିବା ଦାରକାର । ପବିତ୍ର ଗୁରୁଗ୍ରନ୍ଥରେ ଲେଖାଅଛି, କେହି ନୁହେଁ ପର, ସମସ୍ତେ ଆପଣାର । ଆମେ ସମସ୍ତେ ଭାଇଭାଇ । ସେଇଥି ପାଇଁ ଶିଖ ଧର୍ମରେ ଲଙ୍ଗର(ଅତିଥି ସତ୍କାରର) ବ୍ୟବସ୍ଥା ବହୁତ ସୁଦୃଢ । ଏଥିରେ ରାଜା-ପ୍ରଜା, ଧନି-ଗରୀବ, ଉଚ୍ଚ-ନିଜ ତଥା ସକଳ ଜାତି ବିନା ଭେଦଭାବରେ ଏକାଠି ବସି ଭୋଜନ ଗ୍ରହଣ କରିଥାନ୍ତି । ସେବା,ପ୍ରେମ ଓ ଦୟା ଦ୍ୱାରା ଭାଇଚାରା ସ୍ଥାପନ ହୋଇଥାଏ । ଇସଲାମ ଧର୍ମ କୁହେ, ସମସ୍ତ ମାନବ ଏକ ଆତ୍ମାରୁ ସୃଷ୍ଟି । ସମସ୍ତ ସୃଷ୍ଟଜ ପ୍ରଭୁଙ୍କ ସୃଷ୍ଟି । ସେଥି ପାଇଁ ଆମେ ସବୁ ଭାଇଭାଇ । ସମସ୍ତ ମାନବ ଜାତି ଏକ ପରିବାର । ଏଥିରେ କୌଣସି ଭେଦ-ଭାବ ନାହିଁ । ଜାତି-ଉପଜାତି କେବଳ ପରିଚୟ ମାତ୍ର । ତୁମମାନଙ୍କ ମଧ୍ୟରେ ଭଗବତଭୟ, ସତ୍ୟନିଷ୍ଠ ଓ ଧର୍ମପରାୟଣ ବ୍ୟକ୍ତି ହିଁ ଶ୍ରେଷ୍ଠ । ମଣିଷ ଏକ ଶରୀର ସଦୃଶ୍ୟ । ଯେପରି ଶରୀରର ଏକ ଅଙ୍ଗ କ୍ଷତି ହେଲେ ଅନ୍ୟ ଅଙ୍ଗକୁ କଷ୍ଟ ଲାଗିଥାଏ । କାହାରିକୁ କଷ୍ଟ ଦେବା ଉଚିତ୍ ନୁହେଁ । କାହାରି ଉପରେ ଅନ୍ୟାୟ ଓ ଅତ୍ୟାଚାର କରିବା ଉଚିତ୍ ନୁହେଁ । ଅହମଦୀୟା ମୁସଲିମ ସଂଗଠନ ଏକ ଶିକ୍ଷିତ, ସଭ୍ୟ ଓ ଶାନ୍ତିପ୍ରୀୟ ସଂଗଠନ । ସେମାନେ ସର୍ବଦା ସ୍ବଚ୍ଛତା, ନୈତିକତା,ଏକାଗ୍ରତା ଏବଂ ସମାଜସେବା ଓ ମାନବକଲ୍ୟାଣକାରୀ ଯୋଜନାକୁ ପ୍ରାଧାନ୍ୟତା ଦେଇଥାନ୍ତି । ହଜରତ ମିର୍ଜା ଗୁଲାମ ଅହମଦ ପ୍ରତିଷ୍ଠାତା ଅହମଦୀୟା ମୁସଲିମ ସଂଗଠନ କୁହନ୍ତି, ମାନବସେବା ହିଁ ଈଶ୍ୱର ଉପାସନାର ଅଂଶବିଶେଷ । ମୋର ଆସିବାର ଉଦ୍ଦେଶ୍ୟ ହେଲା, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରିବା । ସଂସାରରେ ପ୍ରେମ, ଦୟା ଓ ସୁଖ-ଶାନ୍ତି ସୃଷ୍ଟି କରିବା । ଏକତା ଦ୍ଵାରା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ । ସଂସାରକୁ ରକ୍ଷା କରିବାକୁ ହେଲେ ମାନବତାକୁ ଏକତାର ସୂତରେ ବାନ୍ଧିବାକୁ ହେବ । ପ୍ରକୃତ ବିଜୟ ହେଲା ହୃଦୟର ବିଜୟ । ଆସନ୍ତୁ ଏଇ ବାରବାଟା ଆନ୍ତର୍ଜାତୀୟ ଖେଳ ଆମକୁ ଭାଇଚାରାର ଯେଉଁ ଅମୂଲ୍ୟ ବାର୍ତ୍ତା ଦେଇଛି, ଦେଶପ୍ରେମର ଯେଉଁ ଉତ୍ସାହ ମନରେ ଭରିଦେଇଛି ତଥା ଏକତା ହିଁ ଅଖଣ୍ଡତାର ପାଠ ପଢାଇଛି ତାକୁ ଆମେ ଆମ ଘରେ, ଗାଁରେ, ସହରରେ, ରାଜ୍ୟରେ, ଦେଶରେ ଏବଂ ଆନ୍ତର୍ଜାତିକ ସ୍ତରରେ ଆପଣାଇବା ପାଇଁ ଉଦ୍ୟମ ଜାରି ରଖିବା । ଏହି ବିଜୟ ଆମକୁ ଆତ୍ମବଳ ପ୍ରଦାନ କରିଛି ଏବଂ ଭାଇଚାରା ଓ ବିଶ୍ଵଶାରିର ବାର୍ତ୍ତାକୁ ନିଶ୍ଚିତ ଆମେ ଆପଣାଇବାକୁ ଉଦ୍ୟମ ଜାରି ରଖିବା । ଏହାହିଁ ଆମର କାମନା । ଆମ ରାଜ୍ୟରେ ଏଇଭଳି ସଫଳ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ନିଶ୍ଚିତ ଭାବରେ ଆମ ପାଇଁ ଗର୍ବ ଓ ଗୌରବର କଥା । ଭାରତୀୟ ଦଳର ବିଜୟ ପାଇଁ କ୍ରିକେଟ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଆମ ଖେଳାଳିମାନଙ୍କ ନିଷ୍ଠାପର ପ୍ରୟାସ ଏବଂ ଉତ୍କୃଷ୍ଟ ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ପ୍ରତୀକ ।

rajkishor rout nka report epa news

Leave a Reply

Your email address will not be published. Required fields are marked *