ବାରବାଟୀ ଷ୍ଟାଡିୟମ ରେ ଦିନିକିଆ କ୍ରିକେଟ ମ୍ଯାଚ ନିମନ୍ତେ ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା

କଟକ ତା ୦୭.୦୨.୨୦୨୫ ରିଖ : ବାରବାଟୀ ଷ୍ଟାଡିୟମ ଠାରେ ଆସନ୍ତା ୯ ତାରିଖ ରବିବାର ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଦିନିକିଆ କ୍ରିକେଟ ମ୍ଯାଚ ର ସଫଳ ଆୟୋଜନ ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ସମ୍ପର୍କରେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ , ଓଡିଶା କ୍ରିକେଟ ସଂଘ ଓ ଓଡିଶା ଅଲମ୍ପିକ ସଂଘ ର କର୍ମକର୍ତ୍ତାଙ୍କୁ ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଷ୍ଟାଡିୟମ ପରିସରରେ ଏକ ସମୀକ୍ଷା ବୈଠକ କରିଥିଲେ। ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ମେଡିକାଲ ଟିମ ସହ ଆମ୍ବୁଲାନ୍ସ ଏବଂ ମେଡିକାଲ ଷ୍ଟଲ୍ ଓଭୟ ପଡିଆ ବାହାରେ ଏବଂ ଭିତରେ ସ୍ଥାପନ କରାଯିବା ନେଇ ସୁନିଶ୍ଚିତ କରାଇଥିଲେ। ଯଥେଷ୍ଟ ପରିମାଣର ପିଇବା ପାଣି ମହଜୁଦ ରଖିବା, ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା, ବ୍ୟବହୃତ ବିଦ୍ୟୁତ ଉପକରଣର ପ୍ରମାଣପତ୍ର ହାସଲ, ଅସ୍ଥାୟୀ ନିର୍ମାଣ ର ପ୍ରମାଣପତ୍ର ହାସଲ, ଖାଦ୍ଯ ସୁରକ୍ଷା ନିମନ୍ତେ ଖାଦ୍ଯ ର ମାନ ପରୀକ୍ଷା ପୂର୍ବକ ପ୍ରମାଣପତ୍ର ହାସଲ ଆଦି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯାନବାହନ ରହଣି ସ୍ଥଳରେ ଚଳିତ ଥର ପୂର୍ବାପେକ୍ଷା କମ ଭଡା ଧାର୍ଯ୍ୟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଷ୍ଟାଡିୟମ ବାହ୍ୟ ଅଞ୍ଚଳରେ ସୌନ୍ଦର୍ଜିକରଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କଟକ ମହାନଗର ନିଗମ ର ଯୁଗ୍ମ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ବିଶିଷ୍ଟ ଅତିଥିମାନଙ୍କର ଯାତାୟାତ ନିମନ୍ତେ ସାଧାରଣ ଦର୍ଶକଙ୍କ ଗମନା ଗମନ ଯେପରି ପ୍ରଭାବିତ ନ ହୁଏ ସେଥିପ୍ରତି ବିଶେଷ ଦ୍ରୁଷ୍ଟି ଦବାକୁ ସେ କହିଥିଲେ। ଓ ସି ଏ ପକ୍ଷରୁ ଗଣ ମାଧ୍ୟମର ପାର୍କିଂ ପାଇଁ କେମ୍ବ୍ରିଜ ସ୍କୁଲ ନିକଟରେ ଏବଂ ଓ ବି ଭ୍ୟାନ ରଖିବା ନିମନ୍ତେ ହର୍ଷ ଗେଟ ନିକଟରେ ହୋଇଥିବା ବ୍ୟବସ୍ଥା ସେ ପଚାରି ବୁଝିଥିଲେ। ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଷ୍ଟାଡିୟମ ରେ ବିଭିନ୍ନ ଅଞ୍ଚଳ ବୁଲି ସମସ୍ତ ବ୍ୟବସ୍ଥା ଯାଞ୍ଚ କରିଥିଲେ। ମ୍ଯାଚ ପରଦିନ ପରିମଳ ବ୍ୟବସ୍ଥା ଷ୍ଟାଡିୟମ ଭିତରେ ଓ ସି ଏ ଦ୍ଵାରା ଏବଂ ବାହ୍ୟ ଅଞ୍ଚଳରେ କଟକ ମହାନଗର ନିଗମ ଦ୍ଵାରା ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଆନ୍ତର୍ଜାତୀୟ ମ୍ଯାଚ ସମଗ୍ର ବିଶ୍ଵବାସୀ ଦେଖିବାକୁ ଥିବାବେଳେ କୌଣସି ପ୍ରକାରର ଅବହେଳା କୁ ସୁଯୋଗ ନ ଦେଇ ନିଜ ଦାୟିତ୍ଵକୁ ସୂଚାରୁ ରୂପେ ବହନ କରିବା ନିମନ୍ତେ ସେ ସମ୍ପୃକ୍ତ ସମସ୍ତ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ସଦର ଉପଜିଲ୍ଲାପାଳ ଶ୍ରୀ ଜ୍ଯୋତି ଶଙ୍କର ରାୟ, କଟକ ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ଶ୍ଵେତପଦ୍ମା ଶତପଥୀ, ସଦର ତହସିଲଦାର ଶ୍ରୀ ସୁଜୟ କୁମାର ପତି, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିରଞ୍ଚି ଅଧିକାରୀ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଆଶିଷ ନାୟକ, ଓଡିଶା ଅଲମ୍ପିକ ସଂଘ ଓ ଓଡିଶା କ୍ରିକେଟ ସଂଘ ର କର୍ମକର୍ତ୍ତା ତଥା ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଭାଗ ନେଇଥିଲେ।