ବିଏମ୍ ସିର ବର୍ଜ୍ୟ ଓ ମଳ ପରିଚାଳନା ବୁଲି ଦେଖିଲେ ବିହାରର ପ୍ରତିନିଧି ଦଳ
ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଅଂଚଳ ବୁଲି ଦେଖିଲେ ବିହାର ଚାପ୍ରା ମହାନଗର ନିଗମର ମେୟର ଓ ତାଙ୍କ ଟିମ୍ । ବିଏମ୍ ସି ଅଂଚଳରେ ବର୍ଜ୍ୟ ପରିଚାଳନା, ସ୍ୱଚ୍ଛତା ଓ ସବୁଜିମା ଦେଖି ଭୂୟସୀ ପ୍ରଶଂସା କଲେ । ବିହାର ଚାପ୍ରା ମହାନଗର ନିଗମର ମେୟର ଶ୍ରୀ ଲକ୍ଷ୍ମୀ ନାରାୟଣ ଗୁପ୍ତାଙ୍କ ସହ ଏକ ଟିମ୍ ବିଏମ୍ ସିର ବର୍ଜ୍ୟ ଓ ମଳ ପରିଚାଳନା, ସହରର ସ୍ୱଚ୍ଛତା ଓ ସବୁଜିମା ପରିଦର୍ଶନ କରିବା ପାଇଁ ଆସିଥିଲେ । ଏହି ଅବସରରେ ବିଏମ୍ ସି ମୁଖ୍ୟାଳୟଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର ପ୍ରମୁଖ ଉପସ୍ଥିତ ଥିଲେ । ଚାପ୍ରା ମହାନଗର ନିଗମର ପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବିଏମ୍ ସି ଅଂଚଳରେ କିପରି ବର୍ଜ୍ୟ ଓ ମଳ ପରିଚାଳନା ହେଉଛି, ସହରର ସବୁଜିମା ରକ୍ଷା କରିବା ପାଇଁ କିପରି ଜଙ୍ଗଲ ସୃଷ୍ଟି କରାଯାଉଛି, ପ୍ରମୁଖ ରାସ୍ତାରେ ଧୁଳି ନ ରହିବା ପାଇଁ କିପରି ରାତିରେ ମେକାନିକାଲ ସଫେଇ କରାଯାଉଛି ସେ ସଂପର୍କରେ ଅବଗତ କରାଇଥିଲେ । ଲୋକମାନଙ୍କୁ ସଚେତନ କରାଇବା ସହ ନିୟମିତ ବ୍ୟବଧାନରେ ଗଣସଫେଇ କରାଯାଉଛି । ମେୟର, କମିଶନରଙ୍କ ସହ କର୍ପୋରେଟରମାନେ ମଧ୍ୟ ନିଜ ନିଜ ଓ୍ୱାର୍ଡରେ ପରିମଳ ବ୍ୟବସ୍ଥାର ଯାଞ୍ଚ କରିବା ଏବଂ ନେତୃତ୍ୱ ନେଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରୁଥିବା ସଂପର୍କରେ ଅବଗତ କରାଇଥିଲେ । ପରେ ସେମାନେ ଟିଟିଏସ, ବାସୁଆଘାଇସ୍ଥିତ ମଳ ପରିଚାଳନା କେନ୍ଦ୍ର ଓ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବିଭିନ୍ନ ପୁଷ୍କରିଣୀ ଯଥା-ନୟାପଲ୍ଲୀ ହଜ, ସ୍ପିଙ୍ଗ ଟ୍ୟାଙ୍କ, ଆଦି ବୁଲି ଦେଖିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ବିଏମ୍ ସି ପକ୍ଷରୁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରିୟବ୍ରତ ବେହେରା ସେମାନଙ୍କୁ ବିଭିନ୍ନ ସ୍ଥାନ ବୁଲି ଦେଖାଇଥିଲେ । ବିଭିନ୍ନ କାର୍ଯ୍ୟ ଦେଖିବା ପରେ, ସହରରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ “ଭୁବନେଶ୍ୱର ଏକ ସ୍ୱଚ୍ଛ ଓ ସବୁଜ ସହର” ବୋଲି ମତବ୍ୟକ୍ତ କରିଥିଲେ ଚାପ୍ରା ମହାନଗର ନିଗମର ମେୟର ଶ୍ରୀ ଗୁପ୍ତା ।
