March 13, 2025
Home » ବିଏମ୍ ସି ଅଂଚଳର 126 ମହିଳା ଆରୋଗ୍ୟ ସମିତି ପୁରସ୍କୃତ

ବିଏମ୍ ସି ଅଂଚଳର 126 ମହିଳା ଆରୋଗ୍ୟ ସମିତି ପୁରସ୍କୃତ

0

ଭୁବନେଶ୍ୱର ମହାନଗର ନିଗମସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୟୁନିଟ୍-4ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସି ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, କର୍ପୋରେଟର ଅଲିଅଳି ମଲିକ ,ଅତିରିକ୍ତ ନିର୍ଦ୍ଦେଶକ ସହରାଂଚଳ ସ୍ୱାସ୍ଥ୍ୟ ଡାକ୍ତର ପୁଷ୍ପିତା ମହାନ୍ତି, ମୁଖ୍ୟ ମହାନଗର ନିଗମ ଚିକିତ୍ସା ଅଧିକାରୀ ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟ, ଅଧିକ୍ଷକ ୟୁନିଟ୍-4 ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସୁବ୍ରତ ନାୟକ, ଅର୍ବାନ ପବ୍ଲିକ ହେଲଥ ଅଫିସର ଡାକ୍ତର ଶ୍ୟାମା ନାୟକ, ବରିଷ୍ଠ ପରାମର୍ଶଦାତା ଡାକ୍ତର ସୁଶାନ୍ତ ନାୟକ, ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ ପରିଚାଳିକା ଏଲିନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଗୋଷ୍ଠୀ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ ତଥା ସୁଦୃଢ କରିବା ପାଇଁ ଗଠନ ହୋଇଥିବା ମହିଳା ଆରୋଗ୍ୟ ସମିତିର ଆଜି ଥିଲା ସମ୍ମିଳନୀ । ଏଥିରେ ମହାନଗର ଅଂଚଳର 4 ଶହରୁ ଅଧିକ ମହିଳା ଆରୋଗ୍ୟ ସମିତି ସଦସ୍ୟା ଯୋଗଦେଇଥିଲେ । 50ରୁ 100 ପରିବାର ବା 5 ଶହ ଜନ ସଂଖ୍ୟାକୁ ନେଇ ଏକ ମହିଳା ଆରୋଗ୍ୟ ସମିତି ଗଠନ କରାଯାଇଥାଏ । ଏହି ସମିତିରେ 11ରୁ 15 ଜଣ ସଦସ୍ୟା ରହିଥାନ୍ତି । ଏଥିରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଅଙ୍ଗନଓ୍ୱାଡି କର୍ମୀ ପ୍ରମୁଖ ସଦସ୍ୟା ଭାବେ ରହୁଥିବାବେଳେ ଆଶାକର୍ମୀ ଏହାର ସଂପାଦିକା ଭାବେ କାର୍ଯ୍ୟକରିଥାନ୍ତି । ଗୋଷ୍ଠୀ ମଧ୍ୟରେ ସଚେତନତା ଓ ସରକାରୀ ସ୍ୱାସ୍ଥ୍ୟ ସେବାର ଚାହିଦାକୁ ବଢାଇବା ପାଇଁ ମହିଳା ଆରୋଗ୍ୟ ସମିତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ । ମୁଖ୍ୟତଃ ବସ୍ତି ଅଂଚଳରେ ପରିମଳ, ସ୍ୱାସ୍ଥ୍ୟ, ଟିକାକରଣ ଏବଂ ମାଆ ଓ ଶିଶୁ ସ୍ୱାସ୍ଥ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ସମିତି ସଦସ୍ୟାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।


ବିଭିନ୍ନ ମାନାଙ୍କକୁ ନେଇ ଉଲ୍ଲେଖନୀୟକ କାର୍ଯ୍ୟ କରିଥିବା 126ଗୋଟି ମହିଳା ଆରୋଗ୍ୟ ସମିତିକୁ ପୁରସ୍କୃତ କରାଯାଇଛି । ମାନନୀୟା ମେୟର ସେମାନଙ୍କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ।
ମହାନଗର ନିଗମ ଅଂଚଳରେ ବସବାସ କରୁଥିବା ସବୁ ବର୍ଗର ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଆରୋଗ୍ୟ ସମିତି ସଦସ୍ୟାମାନେ ଉଦ୍ୟମ କରନ୍ତୁ । ସ୍ୱାସ୍ଥ୍ୟ ସେବା ପାଇଁ ଯେପରି କାହାରି ଜୀବନ ହାନୀ ନ ହେଉ, ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । ଗୋଷ୍ଠୀ ସ୍ୱାସ୍ଥ୍ୟ ରକ୍ଷାକୁ ସେ ଗୁରୁତ୍ୱ ଦେଇଛନ୍ତି ।
ବିନା ପାରିଶ୍ରମିକରେ ମହିଳା ସଦସ୍ୟାମାନେ ଲୋକମାନଙ୍କୁ ସ୍ୱେଚ୍ଛାକୃତ ଭାବେ ଲୋକମାନଙ୍କ ଯୋଗାଇଦେଉଥିବାରୁ ଉଚ୍ଚ ପ୍ରସଂଶା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ । ଏହି ସ୍ୱେଚ୍ଛାକୃତ ସେବାର ପାରିଶ୍ରମିକ କେହି ଦେଇପାରିବେ ନାହିଁ । ଜରୁରୀ ସମୟରେ ସମିତି ସଦସ୍ୟାମାନେ ସରକାରଙ୍କୁ ସହାୟତା କରୁଥିବାରୁ ସେମାନେ ସଦା ସର୍ବଦା ଧନ୍ୟବାଦର ପାତ୍ର ବୋଲି କହିଥିଲେ ।
ୟୁନିଟ୍ 4 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବି ଏମ୍ ସି ହସ୍ପିଟାଲ ର ମିଳିତ ଆୟୋଜନରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l
ୟୁନିଟ୍ 4 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ପ୍ରକାଶ ସାମଲ ଏବଂ ବି ଏମ୍ ସି ହସ୍ପିଟାଲ ର ଜନସ୍ୱାସ୍ଥ୍ୟ ପରିଚାଳକ ରଞ୍ଜିତ ସ୍ଵାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l

Leave a Reply

Your email address will not be published. Required fields are marked *