ବିଏମ୍ ସି ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିଟେକ୍ ମ୍ୟାଚ୍ ଅନୁଷ୍ଠିତ

ଭୁବନେଶ୍ୱର;ତା 17.8.2025ରିଖ:ସ୍ୱାୟତ୍ତ ଶାସନ ଦିବସ ଅବସରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ରିକ୍ରିଏସନ କ୍ଲବ ପକ୍ଷରୁ ଆଜି ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । କିଟ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିଣି କମିଶନର ଏକାଦଶ ବ୍ୟାଟିଂ ସାଇଡ୍ ନେଇଥିଲା । ପ୍ରଥମେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ବଲ୍ ପକାଇ ଖେଳର ଶୁଭାରମ୍ଭ କରିଥିବା ବେଳେ କମିଶନର ଶ୍ରୀ ଚଞ୍ଚଳ ରାଣା ବ୍ୟାଟିଂର ଶୁଭାରମ୍ଭ କରିଥିଲେ ।
12 ଓଭର ବିଶିଷ୍ଟ ଏହି ମ୍ୟାଚରେ ଓପନର ଭାବେ କମିଶନର ଏକାଦଶର କ୍ୟାପଟେନ ତଥା କମିଶନର ଶ୍ରୀ ଚଞ୍ଚଳ ରାଣା ଓ ଭାଇସ୍ କ୍ୟାପଟେନ ତଥା ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ପଡିଆକୁ ଓହ୍ଲାଇଥିଲେ । ଅଧିନାୟକ ଶ୍ରୀ ରାଣା ଆକର୍ଷଣୀୟ. ଛକା ମାରି ସମସ୍ତଙ୍କୁ ସମ୍ଭିଭୁତ କରିଥିଲେ । ଜୋନାଲ କମିଶନର ଶ୍ରୀ ରାକେଶ ପାତ୍ର, ଇଂଜିୟର ତାରସ ମାରାଣ୍ଡି, ଜୋନାଲ କମିଶର ମନ୍ମଥ କୁମାର ନାୟକ, ଧନଞ୍ଜୟ ମହାନ୍ତ ପ୍ରମୁଖ ଭଲ ଖେଳ ପ୍ରଦର୍ଶନ କରିଥିଲେ । 5 ଓ୍ୱିକେଟ୍ ବିନିମୟରେ କମିଶନର ଏକାଦଶକୁ 176 ରନରେ ଶାନ୍ତ ହେବାକୁ ପଡିଥିଲା
177 ରନ୍ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ମେୟର ଏକାଦଶର କ୍ୟାପଟେନ ମହିର କୁମାର ରାଉତ ଓ ତାଙ୍କ ଟିମ୍ । ଅଲ ରାଉଣ୍ଡର ଶେକ୍ ନୁର୍ ହାସନ ଛକା ଚୌକାର ବର୍ଷା କରି ଦଳକୁ 151 ରନରେ ପହଞ୍ଚାଇ ଦେଇଥିଲେ । ସେ ବ୍ୟକ୍ତିଗତ ଭାବେ ଏକାକି 70 ରନ୍ କରି ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଛନ୍ତି । ମେୟର ଏକାଦଶ ପକ୍ଷରୁ ବିରଞ୍ଚି ନାରାୟଣ ମହାସୂପକାର, ରାମଚନ୍ଦ୍ର ରଣସିଂହ, ଅଜିତ୍ ବେହେରା, ନୃପେଶ କୁମାର ନାୟକ, କୁମାରେନ୍ଦ୍ର ମହାପାତ୍ର, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଏଥିରେ ଭଲ ଖେଳ ପ୍ରଦର୍ଶନ କରିଥିଲେ ।
ବେଶ ଆନନ୍ଦ ଉଲ୍ଲାସର ସହ ଆଜିର ଏହି ବନ୍ଧୁତାପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ସଂପର୍କକୁ ନିବିଡ କରିବା ସହ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚର ଉଦେଶ୍ୟ । କେବଳ ସେତିକି ନୁହେଁ, ଅଧିକାରୀ ଓ କର୍ମଚାରୀମାନେ ବର୍ଷସାରା କାର୍ଯ୍ୟରେ ନିମଗ୍ନ ରହୁଛନ୍ତି । ସେମାନଙ୍କ ମନରେ ଟିକିଏ ଆନନ୍ଦ ଦେବାରେ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ ।
କର୍ମକ୍ଲାନ୍ତ ଜୀବନରେ ଟିକିଏ ଅପନୋଦନ ସହ ପରସ୍ପର ମଧ୍ୟରେ ସଂପର୍କକୁ ସୁଦୃଢ କରିବା ପାଇଁ ପ୍ରଶାସକ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଏପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ମ୍ୟାଚ୍ ପ୍ରତିବର୍ଷ ଅନୁଷ୍ଠିତ ହେବା ଦରକାର । ଏହା ଦ୍ୱାରା ପରସ୍ପର ମଧ୍ୟରେ ଥିବା ସମସ୍ତ ମନୋମାଳିନ୍ୟ ଦୂର ହୋଇଥାଏ ବୋଲି କହିଛନ୍ତି ବିଏମ୍ ସି କମିଶନର ଶ୍ରୀ ରାଣା ।
ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁଙ୍କ ସହ ବହୁ କର୍ପୋରେଟର, ବିଏମ୍ ସି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଏମ୍ ସି ରିକ୍ରିଏସ କ୍ଲବର ସାଧାରଣ ସଂପାଦକ ଶୁଭକାନ୍ତ ପାଢୀ ।