ବିଏମ୍ ସି ରିକ୍ରେସନ କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର; ସ୍ୱାୟତ୍ତ ଶାସନ ଦିବସ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ରିକ୍ରେସନ କ୍ଲବର ସାଧାରଣ ପରିଷଦ ବୈଠକ ଆଜି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି କମିଶନର ତଥା ରିକ୍ରେସନ କ୍ଲବର ସଭାପତି ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ନିର୍ଦେଶ କ୍ରମେ ଅତିରିକ୍ତ କମିଶନର ତଥା ଉପସଭାପତି ଶ୍ରୀ ଶୁଭେନ୍ଦୁ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସଂପାଦକ ଶ୍ରୀ ଶୁଭକାନ୍ତ ପାଢୀ, କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ନାଟ୍ୟ ସଂପାଦକ ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ, ଯୁଗ୍ମ ସଂପାଦକ ଶ୍ରୀମତୀ ସସ୍ମିତା ନାୟକ, ସମସ୍ତ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟ/ସଦସ୍ୟା ତଥା ବହୁ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । 2025 ମସିହା ସ୍ୱାୟତ୍ତ ସାଶନ ଦିବସ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରୀଡା ପ୍ରତିଯୋଗିତା ସଂପର୍କରେ ଆଲୋଚନା କରାଯାଇଥିଲା । ପୂର୍ବ ବର୍ଷଗୁଡିକ ଭଳି ଚଳିତ ବର୍ଷ କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଯଥା-କ୍ରିକେଟ, ଫୁଟବଲ୍, କ୍ୟାରେମ, ବ୍ୟାଡ୍ ମିଣ୍ଟନ, ଚେସ୍, ମ୍ୟୁଜିକ୍ ଚେୟାର, 100 ମିଟର ଦୌଡ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଛି । ଏହା ବ୍ୟତିତ ଚଳିତ ବର୍ଷ ନୂତନ ଭାବେ ମେୟର ଏକାଦଶ, କମିଶନର ଏକାଦଶ, କର୍ମଚାରୀ ଏକାଦଶ ଓ ଆଉଟସୋର୍ସିଂ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହା ବ୍ୟତୀତ ପୂର୍ବବର୍ଷ ପରି ତିନି ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ଆଲୋଚନା ହୋଇଛି ।
ପୁରାତନ କର୍ମକର୍ତ୍ତା ଯଥା ସଂପାଦକ, କୋଷାଧ୍ୟକ୍ଷ ଏବଂ ନାଟ୍ୟ ସଂପାଦକଙ୍କର କାର୍ଯ୍ୟକାଳ 3 ବର୍ଷ ପୂର୍ଣ୍ଣ ହୋଇଯାଇଥିବାରୁ ସେମାନେ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଉପସ୍ଥିତ ସଦସ୍ୟ/ସଦସ୍ୟା ପୁନର୍ବାର ସାଧାରଣ ସଂପାଦକ ଭାବେ ଶ୍ରୀ ଶୁଭକାନ୍ତ ପାଢୀ, କୋଷାଧ୍ୟକ୍ଷ ଭାବେ ଶ୍ରୀ ସନ୍ତୋଷ କୁମାର ମହାନ୍ତି ଏବଂ ନାଟ୍ୟ ସଂପାଦକ ଭାବେ ଶ୍ରୀ ଅକ୍ଷୟ କୁମାର ସ୍ୱାଇଁଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରିଥିଲେ ଏବଂ ପୂର୍ବ ବର୍ଷଗୁଡିକ ଭଳି ଦାୟିତ୍ୱ ନେଇ ସୂଚାରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟ/ସଭ୍ୟା ଅନୁରୋଧ କରିଥିଲେ । ଚଳିତ ବର୍ଷ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବା କ୍ଷେତ୍ରରେ ସମସ୍ତ ସଦସ୍ୟ, ସଦସ୍ୟା, କର୍ମଚାରୀ ସହଯୋଗ କରିବା ପାଇଁ ସାଧାରଣ ସଂପାଦକ ଶ୍ରୀ ପାଢୀ ଅନୁରୋଧ କରିଥିଲେ ।