ବିଏମ୍ ସି ହସ୍ପିଟାଲରେ ଯୋଡି ହେଲା ଆଉ ଏକ ସେବା

ଭୁବନେଶ୍ୱର;:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଡାକ୍ତରଖାନାରେ ଖୋଲିଲା କ୍ୟାନସର ରୋଗ ଚିହ୍ନଟ ଓ ଚିକିତ୍ସା ବିଭାଗ । ପ୍ରତି ମଙ୍ଗଳବାର ଦିନ କ୍ୟାନସର ରୋଗୀଙ୍କର ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ସହ ସେମାନଙ୍କର ଚିକିତ୍ସା କରାଯିବ । ଏଥିପାଇଁ ସପ୍ତାହର ନିର୍ଦ୍ଧାରିତ ଦିନରେ 5ଜଣ ଡାକ୍ତର ଉପସ୍ଥିତ ରହି ରୋଗୀଙ୍କୁ ପରୀକ୍ଷା କରିବା ସହ ଉପଲବ୍ଧ ବ୍ୟବସ୍ଥା ଅନୁଯାୟୀ ଚିକିତ୍ସା କରିବେ କିମ୍ବା ପରାମର୍ଶ ଦେବେ । ପ୍ରତି ମଙ୍ଗଳବାର ସକାଳ 9 ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଡାକ୍ତରମାନେ ଉପସ୍ଥିତ ରହିବେ । ପୂର୍ବରୁ ବିଏମ୍ ସି ପକ୍ଷରୁ କ୍ୟାନସର ରୋଗର ଚିକିତ୍ସା ପଣ୍ଡା କ୍ୟୁରୀ ଦ୍ୱାରା କରାଯାଉଥିଲା । ପଣ୍ଡା କ୍ୟୁରୀ ପକ୍ଷରୁ ଜଣେ ମାତ୍ର ଡାକ୍ତର ଆସୁଥିଲେ ଏବଂ କ୍ୟାନସର ରୋଗୀମାନଙ୍କୁ ଦେଖି, କେବଳ ପରାମର୍ଶ ଦେଉଥିଲେ ।
ମାତ୍ର ଏବେ ବିଭିନ୍ନ ବିଭାଗର 5 ଜଣ ଡାକ୍ତର ଆସିବେ । ଏଠାରେ ରୋଗ ଚିହ୍ନଟ ସହ ସାଧାରଣ ଚିକିତ୍ସା କରାଯିବ । ପଣ୍ଡା କ୍ୟୁରୀର ଚୁକ୍ତି ଅବଧି ଶେଷ ହୋଇଯିବା ପରେ ଏବେ ବିଏମ୍ ସି ପକ୍ଷରୁ ସିଧାସଳଖ ଏହି ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ବିଭାଗର ଆଜି ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଏମ୍ ସି ଡାକ୍ତରଖାନାରେ କ୍ୟାନସର ବିଭାଗର ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସ୍ଥାନୀୟ କର୍ପୋରେଟର ଶ୍ରୀ ଚନ୍ଦ୍ରଶେଖର ମଲ୍ଲିଆ, ପୌରାଞ୍ଚଳ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟ, କ୍ୟାନସର ବିଭାଗର ମୁଖ୍ୟ ଡାକ୍ତରଙ୍କ ସହ ଅନ୍ୟାନ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ ।
ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ଷ୍ଟେରିଲାଇଜେସନ ମେସିନର ମଧ୍ୟ ଆଜି ଶୁଭ ଉଦଘାଟନ ହୋଇଯାଇଛି । ଏହି ମେସିନରେ ଅପରେସନରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତିର ଷ୍ଟେରିଲାଇଜେସନ କରାଯିବ ।