March 12, 2025
Home » ବିକଶିତ ଓଡ଼ିଶା- ୨୦୩୬ ଓ ବିକଶିତ ଭାରତ- ୨୦୪୭ ନିମନ୍ତେ ସଂସ୍କୃତି ବିଭାଗର ପରାମର୍ଶ ବୈଠକ

ବିକଶିତ ଓଡ଼ିଶା- ୨୦୩୬ ଓ ବିକଶିତ ଭାରତ- ୨୦୪୭ ନିମନ୍ତେ ସଂସ୍କୃତି ବିଭାଗର ପରାମର୍ଶ ବୈଠକ

0

 

ସଂସ୍କୃତିକୁ ଆମ ଦୈନନ୍ଦିନ ଜୀବନଶୈଳୀ ଓ ଜୀବିକା ସହ ସଂଶ୍ଳିଷ୍ଟ କରିପାରିଲେ ବିକଶିତ ଓଡ଼ିଶା ଓ ଭାରତର ଲକ୍ଷ୍ୟ ପୂରଣ ହେବ

ଭୁବନେଶ୍ୱର, (୦୪/୧୦) : ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି “ବିକଶିତ ଓଡ଼ିଶା-୨୦୩୬ ଓ ବିକାଶିତ ଭାରତ-୨୦୪୭ : ସଂସ୍କୃତି ଓ ଐତିହ୍ୟ”ର ଭିଜନ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ବୈଠକର ପ୍ରାରମ୍ଭରେ ଶ୍ରୀ ସେଠୀ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ୱାଗତ ଜଣାଇବା ସହ ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି ଏବଂ ଐତିହ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ।

ସେ କହିଥିଲେ ଯେ, ଓଡ଼ିଶାର ଜଗନ୍ନାଥ ସଂସ୍କୃତି, କଳା ଓ ଭାସ୍କର୍ଯ୍ୟ ପାଇଁ ଆମେ ଓଡ଼ିଶାବାସୀ ଆଜି ବିଶ୍ୱଦରବାରରେ ପରିଚିତ। ଓଡ଼ିଶାର ଆଞ୍ଚଳିକ ଭାଷା, ପାରମ୍ପରିକ ଜୀବନଶୈଳୀ, ଲୋକକଳା,ସଙ୍ଗୀତ, ନୃତ୍ୟ, ନାଟକ, ଜନଜାତି ସମ୍ପ୍ରଦାୟର ସଂସ୍କୃତିକୁ ସଂରକ୍ଷଣ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ। ତେଣୁ ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ର ଭିଜନ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ଆମ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଧାନ୍ୟ ଦେବା ସହ ବିକଶିତ ଓଡ଼ିଶା ଓ ଭାରତ ନିର୍ମାଣରେ ଏହା ଯେପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ସେଥିପାଇଁ ଆମେ ସମସ୍ତେ ନିରନ୍ତର ପ୍ରସାୟରତ ରହିବା ଆବଶ୍ୟକ।

 

ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ତଥା ପ୍ରଫେସର କିଶୋର କେ ବାସା ବୈଠକରେ ଯୋଗଦେଇ ଆଗାମୀ ଭବିଷ୍ୟରେ ଓଡିଶାରେ ଥିବା ବିଭିନ୍ନ ଐତିହାସିକ ପର୍ଯ୍ୟଟନସ୍ଥଳୀ ଯେପରି ଅନ୍ତର୍ଜାତୀୟ ମାନ୍ୟତା ପାଇପାରିବ, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା, ଓଡ଼ିଆ ଏନ୍‌ସାଇକ୍ଲୋପିଡିଆର ପ୍ରକାଶନ, ଓଡ଼ିଆ ଚଳଚିତ୍ର, ଲୋକନୃତ୍ୟ, ଓଡ଼ିଆ ନାଟକ, ପଟ୍ଟଚିତ୍ର ଆଦିର ବହୁଳ ପ୍ରଚାର ପ୍ରସାର ସହ ଏହାକୁ ଯେପରି ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ଆମେ କାର୍ଯ୍ୟ କରିବା ସେ ଦିଗରେ ଆଲୋଚନା କରିଥିଲେ। ଏଥିସହ ସଂସ୍କୃତିକୁ ଆମ ଦୈନନ୍ଦିନ ଜୀବନ ଓ ଜୀବିକା ସହ ସଂଶ୍ଳିଷ୍ଟ କରିପାରିଲେ ଆମେ ବିକଶିତ ଓଡ଼ିଶା ଓ ଭାରତର ଲକ୍ଷ୍ୟ ପୂରଣ କରିପାରିବା ବୋଲି ସେ ମତପ୍ରକାଶ କରିଥିଲେ।

ଆଜିର ବୈଠକରେ ବିଭିନ୍ନ ସଂସ୍କୃତି ବିଶାରଦ, ସାହିତ୍ୟିକ, କଳାକାର, ଚିତ୍ରଶିଳ୍ପୀ, ନୃତ୍ୟଶିଳ୍ପୀ, ପଦ୍ମଶ୍ରୀ, ସଙ୍ଗୀତ ନାଟକ ଏକାଡେମୀ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷ ଆଦି ଯୋଗଦାନ କରି ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ପୂର୍ତ୍ତି ନିମନ୍ତେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ଯୋଗଦାନ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିଥିଲେ। ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ସଂସ୍କୃତି ଆଲୋଚନା ଚକ୍ର ଆୟୋଜିତ ହେବା, କବିତା ଆବୃତ୍ତି, ନାଟକ ପ୍ରଦର୍ଶନ, ପ୍ରେକ୍ଷାଳୟ ନିର୍ମାଣ, ବିଭିନ୍ନ ଦୁର୍ଗ, ଗୁମ୍ଫା ଏବଂ ଐତିହାସିକ ସ୍ଥାନର ସଂରକ୍ଷଣ, ସାହିତ୍ୟ ଆଲୋଚନା, ପାରମ୍ପରିକ ପର୍ବପର୍ବାଣୀ ପାଳନ, କଣ୍ଢେଇ ନୃତ୍ୟ, ପଟ୍ଟଚିତ୍ର ଆଦିର ଲୋକପ୍ରିୟତାକୁ ବୃଦ୍ଧି କରିବା ଦିଗରେ ଯଥୋଚିତ ପଦେକ୍ଷପ ନିଆଯିବା ଆଦି ପ୍ରସଙ୍ଗ ଆଜିର ଆଲୋଚନା ଚକ୍ରରେ ଉପସ୍ଥାପିତ ହୋଇଥିଲା। ଏଥିସହ ସଂସ୍କୃତି ଓ ଐତିହ୍ୟ କେନ୍ଦ୍ର, ପାଠଗାର ନିର୍ମାଣ, ଡ଼କୁମେଣ୍ଟେସନ୍‌, କୁଟୀରଶିଳ୍ପ, ବୟନ ଶିଳ୍ପ, ହସ୍ତକଳା ଆଦିର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରଦର୍ଶନୀର ଆୟୋଜନ ହେବା ଆଦି ବିଷୟବସ୍ତୁ ଉପରେ ବିଶେଷଜ୍ଞମାନେ ନିଜର ମତାମତ ରଖିଥିଲେ।

ଓଡ଼ିଆ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିବାରେ ବିଭାଗ ସଦାସର୍ବଦା କାର୍ଯ୍ୟରତ ବୋଲି ମତପୋଷାଣ କରିଥିଲେ। ଏଥିସହ ଆଜିର ପରାମର୍ଶ ବୈଠକରେ ଆଲୋଚନା ହୋଇଥିବା ବିଷୟବସ୍ତୁ ଉପରେ ଆଗକୁ କାର୍ଯ୍ୟ କରାଯିବ ବୋଲି କହିଥିଲେ।

ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଶ୍ରୀ ଦେବପ୍ରସାଦ ଦାଶ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗର ସମସ୍ତ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *