February 5, 2026
Home » ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ କାର୍ଯ୍ୟକ୍ରମରେ ସୋଆ ଛାତ୍ରଙ୍କ କୃତିତ୍ୱ

ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ କାର୍ଯ୍ୟକ୍ରମରେ ସୋଆ ଛାତ୍ରଙ୍କ କୃତିତ୍ୱ

0
Akhilesh Dwivedi

ଭୁବନେଶ୍ୱର: ‘ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ)ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ କମ୍ପ୍ୟୁଟର ସାଇନସ୍ ଏବଂ ଇଞ୍ଜିନିୟରିଂ ବିଭାଗର ଛାତ୍ର ଏବଂ ତଥା ଏନ୍‌ଏସଏସ୍ ସ୍ୱେଚ୍ଛାସେବୀ ଶ୍ରୀ ଅଖିଳ କୁମାର ଦ୍ୱିବେଦୀ। ଭାରତକୁ ଏକ ବିକଶିତ ଜାତି ରୂପେ ଗଢି ତୋଳିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ଜାନୁଆରୀ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଜାତୀୟ ସ୍ତରର ‘ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ’ କାର୍ଯ୍ୟକ୍ରମରେ ସୋଆର ଛାତ୍ର ଶ୍ରୀ ଦ୍ୱିବେଦୀ ସାମିଲ ହୋଇଥିଲେ।ଶ୍ରୀ ଦ୍ୱିବେଦୀ “ବିକଶିତ ଭାରତ ପାଇଁ ଭବିଷ୍ୟତ ପ୍ରସ୍ତୁତ କାର୍ମିକ ଶକ୍ତି ଗଢିବା” ଥିମାଟିକ୍ ଟ୍ରାକ୍ ଅଧୀନରେ ଅଂଶଗ୍ରହଣ କରିଥିଲେ। ଚୟନ ପ୍ରକିୟା ଏକାଧିକ ପର୍ଯ୍ୟାୟରେ ହୋଇଥିଲା ଏବଂ ଏଥିରେ ଓଡିଶା ରାଜ୍ୟରୁ ୧୦,୦୦୦ରୁ ଅଧିକ ପ୍ରାର୍ଥୀ ଭାଗ ନେଇଥିଲେ। ଏହା କୁଇଜ୍ ରାଉଣ୍ଡରୁ ଆରମ୍ଭ ହୋଇଥିଲା, ଯାହାକୁ ସେ ସଫଳତାର ସହିତ ଉତୀର୍ଣ୍ଣ ହୋଇଥିଲେ। ପରବର୍ତୀ ପର୍ଯ୍ୟାୟରେ ରଚନା ରାଉଣ୍ଡରେ, ସେ କୃତ୍ରିମ ବୁଦ୍ଧିମତା (ଏଆଇ) ବ୍ୟବହାର କରି ମୂଳ ଦକ୍ଷତା, ଅନୁକୂଳ କ୍ଷମତା ଏବଂ ଦୀର୍ଘକାଳୀନ ନିଯୁକ୍ତି ଯୋଗ୍ୟତାକୁ ସୁଦଢ କରିବା ଉଦ୍ଦେଶ୍ୟରେ ଏକ ସଂରଚିତ, ପ୍ରଯୁକ୍ତି – ଆଧାରିତ ଫ୍ରେମୱାର୍କ ପ୍ରସ୍ତାବ ଦେଇଥିଲେ।ତାଙ୍କ ରଚନା ପ୍ରସ୍ତୁତି (ପିପିଟି) ରାଉଣ୍ଡ ପାଇଁ ମନୋନୀତ ହୋଇଥିଲା, ଯେଉଁଠାରେ ସେ ନିଜ ଧାରଣାକୁ ସଂଗଠିତ ଏବଂ ବିଶ୍ଳେଷଣାତ୍ମକ ପ୍ରସ୍ତୁତି ମାଧ୍ୟମରେ ବିସ୍ତାରିତ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ବିଶେଷଜ୍ଞମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବ୍ୟକ୍ତିଗତ ସାକ୍ଷାତ୍କାରରେ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ତାଙ୍କ ପ୍ରସ୍ତାବିତ ଫ୍ରେମୱାର୍କର ସାଧ୍ୟତା, ବିସ୍ତାରଣ ଯୋଗ୍ୟତା, ନବୀନତା ଏବଂ ଜାତୀୟ ସ୍ତରର ସମ୍ଭାବ୍ୟ ପ୍ରଭାବକୁ ମୂଲ୍ୟାୟନ କରାଯାଇଥିଲା। କୁଇଜ୍‌, ରଚନା ପ୍ରସ୍ତୁତି ଏବଂ ସାକ୍ଷାତାକାର – ଏହି ସମସ୍ତ ପର୍ଯ୍ୟାୟର ସମ୍ପୂର୍ଣ୍ଣ ମୂଲ୍ୟାୟନ ଆଧାରରେ, “ ମୁଁ ବିକଶିତ ଭାରତ ପାଇଁ ଭବିଷ୍ୟତ – ପ୍ରସ୍ତୁ୍‌ତ କାର୍ମିକ ଶକ୍ତି ଗଢିବା” ଥିମାଟିକ୍ ଟ୍ରାକ୍‌ରେ ଶ୍ରୀ ଦ୍ୱିବେଦୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରର କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗୀୟ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବିୟ ଏବଂ ଭାରତର ଜାତୀୟ ସୁରକ୍ଷା (ଏନ୍‌ଏସ୍‌ଏ)ର ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଭୁବନେଶ୍ୱର ଫେରିବା ପରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଛାତ୍ର ଶ୍ରୀ ଦ୍ୱିବେଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତରୋତର କାମନା କରିଛନ୍ତି। ପ୍ରଫେସର ନାୟକଙ୍କୁ ସାକ୍ଷାତ ସମୟରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଡିସ୍‌ନାଲ୍ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ର ଏବଂ ସୋଆ ଏନ୍‌ଏସ୍‌ଏସ୍‌ର କୋଅର୍ଡିନେଟର ଆସୋସିଏଟ ପ୍ରଫେସର କମଳଲୋଚନ ମହନ୍ତ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *