ବିକାଶ ମେଳା ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର: ( ଉଗ୍ରସେନ କର୍ମୀ) ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ “ବର୍ଷ ଏକ : ଉପଲବ୍ଧି ଅନେକ” କୁ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସୁବର୍ଣ୍ଣପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିକାଶ ମେଳାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୧୧ବର୍ଷର ବିକାଶ ଉପଲବ୍ଧି ସହ ଦେଶର ସୀମା ଓ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆତଙ୍କବାଦୀଙ୍କ ମୂଳତ୍ପାଟନ ପାଇଁ ଅପରେସନ ସିନ୍ଦୁର ଉପରେ ଆଲୋକପାତ କରିଥିବାବେଳେ ବିକଶିତ ଭାରତ ସହ ବିକଶିତ ଓଡିଶା ପାଇଁ ନିଆଯାଇଥିବା ସଂକଳ୍ପ ସମ୍ପର୍କରେ କହିଛନ୍ତି । ବିକଶିତ ଓଡ଼ିଶାର ସଂକଳ୍ପକୁ ନେଇ ବିଗତ ଏକବର୍ଷ ମଧ୍ୟରେ ରାଜ୍ୟ ବିକାଶର ବିଭିନ୍ନ ସଫଳତା ଉପରେ କହିଥିବାବେଳେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ବୃଦ୍ଧି,ମହିଳା ସଶକ୍ତିକରଣକୁ ନେଇ ପ୍ରବର୍ତ୍ତିତ ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସଫଳତାର ଫର୍ଦ୍ଦ ଉପରେ ସୂଚନା ଦେଇଛନ୍ତି । ବିଶେଷକରି,ଏବେ ଦେଶ ଏବଂ ଓଡ଼ିଶା ରାଜ୍ୟର କୃଷି,ଶିଳ୍ପ,ପ୍ରତିରକ୍ଷା ସହ ଦେଶର ଆର୍ଥିକ ଅଭିବୃଦ୍ଧିକୁ ନେଇ ହୋଇପାରିଥିବା ଉନ୍ନୟନ ଉପରେ କହିଥିବାବେଳେ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ନିଆଯାଇଥିବା ସଂକଳ୍ପ ଉପରେ ମନ୍ତ୍ରୀ ରବି ନାରାୟଣ ନାଏକ ଆଲୋକପାତ କରିଥିଲେ ।
ବର୍ଷ ଏକ :ଉପଲବ୍ଧି କୁ ନେଇ
ରାଜ୍ୟର ସମସ୍ତ ଜିଲ୍ଲାରେ ବିକାଶ ମେଳା – ୨୦୨୫ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ବିକାଶର ବାର୍ତ୍ତା ଓ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଜନାଭିମୁଖୀ ତଥା ବିକାଶରେ ଜନ ସହଭାଗୀତାକୁ ଦୃଢ଼ କରିବା ଲକ୍ଷ୍ୟରେ ୧୨ ରୁ ୨୧ ଜୁନ୍ ୨୦୨୫ ପର୍ଯ୍ୟନ୍ତ “ବିକାଶ ମେଳା – ୨୦୨୫” ଓ “ସୁଭଦ୍ରା ଶକ୍ତି ଫୁଡ୍ ଫେଷ୍ଟିଭାଲ୍” ଆୟୋଜନ ରୋୟାଲ୍ ଫିଲ୍ଡ, ସୁବର୍ଣ୍ଣପୁରରେ କରାଯାଉଛି। ଏହି ବିକାଶ ମେଳା ଅବସରରେ ୬୨ଟି ଷ୍ଟଲ୍ ସ୍ଥାପିତ ହେବା ସହ, ଅନେକ ପାରମ୍ପରିକ ଓ ନୂତନ ଉଦ୍ୟମ ପ୍ରଦର୍ଶିତ ହେବ। ମେଳାରେ ଓରମାସ ଦ୍ୱାରା ୩୭ ଓ ସୁଭଦ୍ରା ଶକ୍ତି ଷ୍ଟଲ୍ ଉଦ୍ୟମରେ ୨୫ଟି ସ୍ଥାପିତ କରାଯିବ ଯେଉଁଥିରେ ଜିଲ୍ଲାର ପାରମ୍ପରିକ ଖାଦ୍ୟ ଷ୍ଟଲ୍ ସହ ବିଭିନ୍ନ ସରକାରୀ ଯୋଜନାର ରୂପରେଖ ତଥା ଜିଲ୍ଲା ବିକାଶର ପ୍ରତିଛବିକୁ ଉପସ୍ଥାପିତ କରାଯିବ।ବିକାଶ ମେଳା ଅବସରରେ ୧୫ ଜୁନ ରେ ଖାଦ୍ୟ ପ୍ରତିଯୋଗିତା, ୧୬ ଜୁନରେ ଜିଲ୍ଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବା ସହିତ ବିଭିନ୍ନ ବିଭାଗୀୟ ପ୍ରୋତ୍ସାହନ ଓ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯିବ। କାର୍ଯ୍ୟକ୍ରର ସୁପରିଚାଳନା ନିମନ୍ତେ
ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କମିଟି ଗଠିତ ହୋଇଛି । ୭ ଦିନ ଧରି ପ୍ରତି ସନ୍ଧ୍ୟାରେ ସମ୍ବଲପୁରୀ, ଓଡ଼ିଶୀ, ଲୋକ କଳା ସଂଗୀତ ଓ ନୃତ୍ୟର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁନଶ୍ଚ ଏହି ବିଶେଷ
କାର୍ଯ୍ୟକ୍ରମ କୁ ଜନାଦୃତ, ଆକର୍ଷଣୀୟ ଓ ଚିତ୍ତାକର୍ଷକ କରିବା ନିମନ୍ତେ ରକ୍ତଦାନ ଶିବିର ,ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ (ଯେପରିକି “ସୀତା ବିବାହ”, “ଶଳା ବୁଢା”) ବିଭାଗୀୟ ବିକାଶ କାର୍ଯ୍ୟ ଉପରେ ଭିଡିଓ ପ୍ରଦର୍ଶନ | ମହାପୁରୁଷ ତଥା ବରପୁତ୍ରଙ୍କ ଉପରେ ଆଲୋଚନା ଚକ୍ରଅନୁଷ୍ଠିତ କରାଯିବ |ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଜାତୀୟତା ଭାବ ସହ ବିକାଶ ପ୍ରତିକୃତି କୁ ଉଦ୍ଭାସିତ କରିବା ଲକ୍ଷରେ “ସମୃଦ୍ଧ ଓଡ଼ିଶା” ଉପରେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ | ସେହିପରି ଓଡ଼ିଆ କବିତା ଆବୃତି ପାଇଁ ମଧ୍ୟ ବିଶେଷ ପ୍ରବଧାନ କରାଯାଇଥିବା ସୂଚିତ କରାଯାଇଛି। 12 ତାରିଖ ରୁ ସରକାରଙ୍କ ବିଭିନ୍ନ ଯୋଜନା ସହ ସରକାରଙ୍କ ସଫଳ ଏକ ବର୍ଷ ର ବାର୍ତ୍ତା କୁ ନେଇ ପ୍ରସ୍ତୁତ “ବିକାଶ ବାହାନ” ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତକୁ ପରିକ୍ରମା କରି ଜନସାଧାରଙ୍କୁ ସଚେତନତା କରିବ।
ଏହି ବିକାଶ ମେଳା ଜିଲ୍ଲାର ସ୍ୱାଭିମାନ, ସଂସ୍କୃତି ଓ ସ୍ଥାନୀୟ ସ୍ୱାବଲମ୍ବନର ଜୀବନ୍ତ ପ୍ରତିଚ୍ଛବି। ଏହାକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ଉତ୍ସାହ, ସହଯୋଗ ଓ ସହାଭାଗିତା ଅତ୍ୟନ୍ତ ଆବଶ୍ୟକ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ତଥା ଜିଲ୍ଲା ସ୍ତରୀୟ ବିକାଶ ମେଳା ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ଅନ୍ୟା ଦାସ ଓ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ନେତୃ ବୃନ୍ଦ, ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର