ବିଜିନେସ୍ ସ୍କୁଲର ଛାତ୍ରଛାତ୍ରୀ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖିବା ଉଚିତ୍ : ୟୁସିସିଆଇ ଉପସଭାପତି

ଭୁବନେଶ୍ୱର, ଫେବୃଆରୀ ୧୪ : ବିଜିନେସ୍ ମ୍ୟାନେଜମେଂଟ ଶତ୍ତ୍ୱିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଚାକିରୀ ପଛରେ ନ ଧାଇଁ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖନ୍ତୁ ବୋଲି ଜଣେ ସଫଳ ଉଦ୍ୟୋଗୀ ଶୁକ୍ରବାର କହିଛନ୍ତି।
ଯଦିଓ ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି ତଥାପି ବିଜିନେସ୍ ସ୍କୁଲର ଛାତ୍ରଛାତ୍ରୀମାନେ ବ୍ୟବସାୟ ପ୍ରତି ଅଧିକା ଆଗ୍ରହୀ ହେବା ଉଚିତ୍। ଭବିଷ୍ୟତ ଗଢ଼ିବା ପାଇଁ ଅନେକ ସୁଯୋଗ ଅପେକ୍ଷା କରିଛି ବୋଲି କହିଛନ୍ତି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇ)ର ଉପସଭାପତି ଶ୍ରୀ ମୁରଲୀ ଜାମୁଲା। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘କନ୍ଭର୍ଜେନ୍ସ-୨୦୨୫’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କହିଛନ୍ତି ଶ୍ରୀ ଜାମୁଲା।
ଛାତ୍ରଛାତ୍ରୀମାନେ କେବଳ ପରୀକ୍ଷାରେ ଉତମ ମାର୍କ ପାଇବାକୁ ଲକ୍ଷ୍ୟ ନ ରଖି ଜ୍ଞାନ ଆହରଣ କରିବା ପାଇଁ ଶିକ୍ଷା ଗ୍ରହଣ କରିବା ଉଚିତ୍। ଶିକ୍ଷା ଆମ ଭାଗ୍ୟ ନିର୍ଦ୍ଧାରଣ କରି ନଥାଏ। ବରଂ ଛାତ୍ରଛାତ୍ରୀମାନେ ଏହାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ନିଜ ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିବା ଦରକାର ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ।
ପ୍ରଫେସର ପ୍ରଧାନ କହିଥିଲେ ଆଇବିସିଏସ୍ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ଖ୍ୟାତି ଅର୍ଜନ କରିଛନ୍ତି। ବର୍ତମାନର ଛାତ୍ରଛାତ୍ରୀ ସେମାନଙ୍କର ଅନୁକରଣ କରିବା ଉଚିତ୍ ବୋଲି ସେ କହିଥିଲେ ।
ପ୍ରଫେସର ମହାନ୍ତି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବିଚାର ଏବଂ ଚିନ୍ତାଧାରାର ଆଦାନପ୍ରଦାନ ହୋଇପାରିବ।
କାର୍ଯ୍ୟକ୍ରମର ସଂଚାଳକ ଡକ୍ଟର ରାମକୃଷ୍ଣ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଂଚାଳିକା ଡକ୍ଟର ପ୍ରୀତି ୱାଇ ଷଢ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।