ବିଜେପି ବିଜେଡି ମଧ୍ୟରେ ନୂଆଗାଁ ଓ ଗଣିଆରେ ପାଠାଗାରକୁ ନେଇ ରାଜନୀତି ଜୋର ଧରିଲା

ଦୁଇ ପାଠାଗାରକୁ ଥରେ ଉଦ୍ଘାଟନ କଲେ ବିଧାୟକ, ପ୍ରମୁହୁର୍ତରେ ଉଦ୍ଘାଟନ କଲେ ସାଂସଦ ଏବଂ ଗଣଶିକ୍ଷା ମନ୍ତ୍ରୀ ।
ନୟାଗଡ଼:ନୟାଗଡ ଜିଲ୍ଲା ନୂଆଗାଁ ଏବଂ ଗଣିଆରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା | କଲେଜ ପାଠାଗାର ଉଦ୍ଘାଟନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଦୁଇଦିନ ଧରି ଚାଲିଛି ସଂଘର୍ଷା ଉପରୋକ୍ତ ଦୁଇଟି ବିଦ୍ୟାଳୟ ପରିସରରେ ନୂତନ ପାଠାଗାର ଉଦଘାଟନ ପାଇଁ ବିଦ୍ୟାଳୟ ତରଫରୁ ନିମନ୍ତ୍ରଣ ପତ୍ର ଛପା ଯାଇଥିଲେ ମଧ୍ୟ ସେଥିରେ ବିଧାୟକଙ୍କ ନାମ ନଥିବାରୁ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା I

ବିଧାୟକଙ୍କ ନିଜସ୍ବ ପାଣ୍ଠି ତଥା ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଥିବା ଉକ୍ତ ପାଠାଗାର ଉଦ୍ଘାଟନ ଉତ୍ସବକୁ ବିଧାୟକଙ୍କୁ ନିମନ୍ତ୍ରଣ ନଥିବାରୁ ଶୁକ୍ରବାର ବିଧାୟକ ରମେଶ ବେହେରା ତାଙ୍କ ବିଜେଡି ସମର୍ଥକ କର୍ମୀମାନଙ୍କୁ ନେଇ ନୂଆଗାଁ ଓ ଗଣିଆ ଉଭୟ ପାଠାଗାରକୁ ବେସରକାରୀଭାବେ ଉଦ୍ଘାଟନ କରିଥିଲେ। ବିଧାୟକ ଉଦଘାଟନ କରିବା ପରେ କେହି ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନାମ ଫଳକକୁ ଭାଙ୍ଗି ଦେଇଥିବା ଜଣାପଡିଥିଲା I ଶନିବାର ବିଜେଡି ତରଫରୁ ଆଡକଟା ଛକଠାରୁ ପ୍ରାୟ ୫ ଶହରୁ ଅଧିକ ବାଇକ୍ ଶୋଭାଯାତ୍ରାରେ ବାହାରି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଉପାଧ୍ଯକ୍ଷ ରାଜକିଶୋର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ,ବିଜୁ ଜନତା ଦଳର ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଏକତ୍ରିତ ହୋଇଥିଲେ। ବିଶୃଙ୍ଖଳା ଘଟିବା ଆଶଙ୍କାରେ ପଦଯାତ୍ରା ଆଗକୁ ନଯିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଥିଲା ।

ଅନ୍ୟପକ୍ଷରେ ଶୁକ୍ରବାରଠାରୁ ବିଧାୟକଙ୍କ ଦ୍ବାରା ଉଦଘାଟନ ସରିଥିବା ପାଠାଗାରକୁ ଦ୍ଵିତୀୟ ଥର ପୁଣି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବିଜେପି କର୍ମୀ ମାନଙ୍କୁ ନେଇ ଦୁଇଟିଯାକ ପାଠାଗାରକୁ ଉଦଘାଟନ କରିଥିଲେ । ବିଜେପି କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ଆସି ବିଦ୍ୟାଳୟ ପରିସରରେ ପହଞ୍ଚି ନୂତନ ପାଠାଗାରକୁ ଉଦଘାଟନ କରିବା ସହିତ ବିଦ୍ୟାଳୟର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଗଣିଆ ଏବଂ ନୂଆଗାଁରେ ଫଳକ ରାଜନୀତି ଦେଖା ଦେଇଥିବା ବେଳେ ବିଧାୟକଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ନଡାକିବାର କାରଣ କ’ଣ ବୋଲି ବିଜେଡି ପକ୍ଷରୁ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ନେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ଓ ଗଣିଆରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।ଘଟିଥିବା ଘଟଣାକୁ ନେଇ ନୂଆଗାଁ ଓ ଗଣିଆ ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ସୂଚନା ମିଳିଛି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।