January 7, 2026
Home » ବିଦ୍ୟୁତ୍ ମିଟର ରିଡର ସମେତ ୨ଜଣ ଚୋର ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଗିରଫ,

ବିଦ୍ୟୁତ୍ ମିଟର ରିଡର ସମେତ ୨ଜଣ ଚୋର ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଗିରଫ,

0
WhatsApp Image 2026-01-05 at 11.57.32 AM

୯କେଜି ରୂପା ଓ ୧୦ତୋଳା ସୁନା ଅଳଙ୍କାର ସମେତ ୨ଗାଡି ଜବତ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସ ବିଭିନ୍ନ ଥାନାଞ୍ଚଳର ଏକାଧିକ ସିରିଜ୍ ଚୋରୀ ଘଟଣାରେ ସାମିଲ ଥିବା ଟିପିଏସଓଡିଏଲ ର ମିଟର ରିଡର ସମେତ୨ଜଣଙ୍କୁ ଗିରଫ କରିବା ସମେତ ସେମାନଙ୍କ ନିକଟରୁ ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର,୨ଟି ଗାଡି ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ପାରଳାଖେମୁଣ୍ଡି କଣ୍ଡରା ସାହିର ଦୁର୍ଗା ପ୍ରସାଦ ବେଣିଆ(୨୮) ଓ ଦେବ ମଣ୍ଡଳ(୩୫) । ଦୁର୍ଗା ପ୍ରସାଦ ବେଣିଆ ଟିପିଏସଓଡିଏଲ ର ମିଟର ରିଡର ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ନାଥ ପଣ୍ଡା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ ଗତ ତା.୧୨-୧୨-୨୦୨୫ରିଖ ଦିନ ପାରଳାଖେମୁଣ୍ଡି ସହରର ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଛାତ୍ରାବାସ ପାଶ୍ୱର୍ର ରହୁଥିବା ବରିଷ୍ଠ ସାମ୍ବାଦିକ ଡ୍ୱିଜେନ ପାଢୀଙ୍କ ଘରୁ ତାଙ୍କ ପରିବାରର ଅନୁପସ୍ଥିତିରେ ଚୋରୀ ହୋଇଥିଲା । ଏ ନେଇ ଶ୍ରୀ ପାଢୀ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ତା.୧୩.୧୨-୨୦୨୫ରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ଥାନା କେସ୍ ନଂ-୪୦୦/୨୫ ଭାରତୀୟ ନ୍ୟାୟ ସଂହିତାର ୩୩୧(୪) ଓ ୩୦୫ ଧାରାରେ ମାମଲା ରୁଜୁ କରିଥିଲା । ପୋଲିସ ସିସିଟିଭି ଫୁଟେଜ୍ ଠୁ ଆରମ୍ଭ ବିଭିନ୍ନ ପ୍ରକାର ବୈଷୟିକ ଜ୍ଞାନର ପ୍ରୟୋଗ କରି ଦୁର୍ଗା ପ୍ରସାଦ ବେଣିଆ ଓ ଦେବ ମଣ୍ଡଳକୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୧୦ତୋଳା ସ୍ୱର୍ଣ୍ଣ ଅଳଙ୍କାର, ୯କେଜି ରୂପା ଅଳଙ୍କାର,୩୩ହଜାର ଟଙ୍କା, କିଛି ବିଦେଶୀ ଟଙ୍କା, ୨ଟି ମୋବାଇଲ ଫୋନ୍‌,ଚୋରୀରେ ବ୍ୟବହୃତ ହୋଇଥିବା ଗାଡି ନଂ-ଓଡି୨୦ଡି-୭୩୪୦ ହାର୍ଲି ଡାବିସନ ଏକ୍ସ୪୦୦ ବାଇକ୍ , ଗାଡି ନଂ- ଓଡି୨୦ବି-୩୧୨୭ ସ୍କୁଟି ସମେତ ଏକ ଗୋଜିଆ ଲୁହା ଛଡ, ସ୍କୃ ଡ୍ରାଇଭର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ଥାନାରେ ପୋଲିସ ସେମାନଙ୍କୁ ଜେରା କଲାବେଳେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ଭଳି ତଥ୍ୟ ପ୍ରଘଟ ହୋଇଥିଲା ।

ଦୂର୍ଗା ପ୍ରସାଦ ବେଣିଆ ଟିପିଏସଓଡିଏଲ ର ମିଟର ରିଡର ଥିବାରୁ ସେ ଘରକୁ ଘର ବୁଲି ମିଟର ରିଡିଂ ନେବା ସମୟରେ କେଉଁ ଘରେ ତାଲାବନ୍ଦ ରହୁଛି ସେ ବିଷୟରେ ଅତି ସହଜରେ ଜାଣିପାରୁଥିଲେ । ତା ପରେ ତାଲା ପଡିଥିବା ଘର ଗୁଡିକ ବିଷୟରେ ରେକି କରି ଦେବ ମଣ୍ଡଳ ମିଶି ଚୋରୀ କରୁଥିଲେ ବୋଲି ଜଣାପଡିଥିଲା । ଏମାନେ ପାରଳାଖେମୁଣ୍ଡି ସହର ସମେତ ଗୁରାଣ୍ଡି ଥାନା ଅଞ୍ଚଳରେ ହୋଇଥିବା ୪ଟି ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଥିଲା । ତା.୨୨-୦୬-୨୦୨୫ରିଖ ବିଳମ୍ବିତ ରାତ୍ର ସମୟରେ ପାରଳାଖେମୁଣ୍ଡି ସହରର ଆରୋଗ୍ୟ ସାହିର ଏକ ଦୋକାନ, ତା.୨୩-୧୨-୨୦୨୫ରିଖ ରାତ୍ର ସମୟରେ କୁମୁଟୁ ସାହିର ଏକ ଘରୁ ଏବଂ ଗୁରାଣ୍ଡି ଥାନା ଅନ୍ତର୍ଗତ ଏମ.ଏନ.ପେଟା ଗ୍ରାମରେ ନଭେମ୍ବର ମାସରେ ହୋଇଥିବା ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଥିଲା ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ଘରକୁ ଆସି ମିଟର ରିଡିଂ ନେଉଥିବା ବ୍ୟକ୍ତି, ଡେଲିଭରି ଦେଉଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସତର୍କ ରହିବାକୁ ମଧ୍ୟ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ଜିଲ୍ଲାବାସୀଙ୍କୁ କହିଛନ୍ତି । ସମ୍ମିଳନୀ ବେଳେ ଅତିରିକ୍ତ ଜିଲ୍ଲା ଅଧୀକ୍ଷକ ସୁନୀଲକାନ୍ତ ମହାନ୍ତି, ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି, ଗୁରାଣ୍ଡି ଥାନାଧିକାରୀ ଓମ୍ ନାରୟଣ ପାତ୍ରଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପୋଲିସର ଏହି ସଫଳତା ପାଇଁ ବରିଷ୍ଠ ସାମ୍ବାଦିକ ଡିଜେନ ପାଢୀ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ତଦନ୍ତରେ ସାମିଲ ଥିବା ସମସ୍ତ ପୋଲିସ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *