July 5, 2025
Home » ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ

ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ

0
WhatsApp Image 2025-02-07 at 3.18.55 PM

ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ତୁରନ୍ତ ଆୟୋଜନ କରିବାକୁ ନିର୍ଦ୍ଦେଶ

ମାଲକାନଗିରି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ,୬/୨/୨୫ ତାରିଖ ଦିନ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୂପ ଭତ୍ରା,ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ପ୍ରମୁଖ ଉପସ୍ଥିତ ରହି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ,ଶ୍ରମ, କର୍ମ ନିଯୁକ୍ତି,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଭିନ୍ନ ନିଗମ ସମେତ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ସମୀକ୍ଷା କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଥିବା ବିଦ୍ୟାଳୟ ଗୁଡିକରେ ଖାଦ୍ୟର ମାନ ବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବା ସହ ସବୁ ଛାତ୍ରୀ ନିବାସରେ ସିସି କ୍ୟାମେରା ଲଗାଇବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷକ ମାନଙ୍କ ଉପସ୍ଥାନ ବାୟୋ ମେଟ୍ରିକ ପଦ୍ଧତିରେ ନିଆଯିବାକୁ ବାଧ୍ୟତା କରାଯିବା ସହ ସୁରକ୍ଷା ଦୃଷ୍ଟି କୋଣରୁ ଛାତ୍ରୀ ନିବାସ ପାଚେରୀ ଉଚ୍ଚତା କରିବା ଉପରେ କମିଟି ଗୁରୁତ୍ଵ ଦେଇଛି। ସେହିପରି ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ଅନୁଯାୟୀ ଖଟ ଯୋଗାଇ ଦେବା, ଶୈଖିକ ପରିବେଶ ସୃଷ୍ଟି କରିବା ପ୍ରତି ମଧ୍ୟ ବିଭାଗୀୟ ଅଧିକାରୀ ଗୁରୁତ୍ଵ ଦେବାକୁ କମିଟି ନିର୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରି ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ ନିଗମ ଗୁଡ଼ିକର କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ମାଧ୍ୟମରେ ବିଡ୍ ୱର୍କ କରୁଥିବା ବଣ୍ଡା ମହିଳାଙ୍କୁ ଅନ୍ତତଃ ସେଥିରେ ନିୟୋଜିତ ଥିବା ୩୦ ଜଣ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ରନ୍ଧାରି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଣ୍ଡା ଘାଟିର ସମସ୍ତ ଗ୍ରାମରେ ନଳକୂପ କିମ୍ବା କୂପ ଖନନ କରି ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ମଧ୍ଯ ସେ ନିର୍ଦ୍ଦେଶ ଦେଇଛନ୍ତି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଅନେକ ବର୍ଷ ହେବ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ କରାଯାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ସଦସ୍ୟ ମାନଙ୍କୁ ନେଇ ତୁରନ୍ତ ବୈଠକ ଅୟୋଜନ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।ବିଭାଗ ମାନଙ୍କରେ ଅର୍ଥ ପଡ଼ି ରହିଛି, ଠିକ୍ ସମୟରେ ଖର୍ଚ୍ଚ ହୋଇ ପାରି ନ ଥିବାରୁ କମିଟି କ୍ଷୋଭ ପ୍ରକାଶ କରି ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ସମସ୍ତ ଅନୁଦାନ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବାହ୍ନରେ କମିଟି ମୁଦୁଲିପଡ଼ା ଗସ୍ତ କରି ବଣ୍ଡା ମହିଳାଙ୍କ ବିଡ୍ ୱର୍କ୍ ଦେଖି ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ସିତାକୁଣ୍ଡ ଗସ୍ତ କରି ଏହାର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ କମିଟି ସମୀକ୍ଷା କରିଛନ୍ତି। କମିଟିର ନିର୍ଦ୍ଦେଶ କ୍ରମେ ସମସ୍ତ କାର୍ଯ୍ୟ ଯେପରି ଠିକ ସମୟରେ କରାଯାଇ ପାରିବ ସେଥିପ୍ରତି ସେ ଗୁରୁତ୍ଵ ଦେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସୂଚନା ଦେଇଛନ୍ତି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର,ଉପ ଜିଲ୍ଲାପାଳ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଦୁର୍ଯ୍ୟଧନ ଭୋଇଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *