ବିନିଶପୁର ଗ୍ରାମରେ ଅଜଣା ଜ୍ୱର ର ଆତଙ୍କ,ଘରେ ଘରେ ବ୍ୟାପିଛି ଜ୍ୱର , ୬୦ ରୁ ଉର୍ଦ୍ଧ ଆକ୍ରାନ୍ତ

ରାୟଗଡା : ରାୟଗଡ଼ା ଜିଲ୍ଲାରେ ବ୍ୟାପୁଛି ଅଜଣା ଜ୍ଵରର ଆତଙ୍କ ଦେଖାଯାଇଛି। ଘରେ ଘରେ ୨/୩ ଜଣ ଜ୍ୱରରେ ଆକ୍ରାନ୍ତ ହୋଇ ପଡିରହିଥିବା ବେଳେ ସଂଖ୍ୟା ଦିନକୁ ଦିନ ଵଡ଼ିବାରେ ଲାଗିଛି। ଜ୍ୱର ହେଲେ ଗୋଡ଼, ହାତ, ଦରଜ ହେବା, ଭୋକ ନ ଲାଗିବା, ଦୁର୍ବଳ ଭଳି ଲକ୍ଷଣ ଗୁଡିକ ଦେଖାଯାଉଛି। ଏପରି ଅବସ୍ଥା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲୋନରା ବ୍ଳକ ଗାଡି ଶେଷଖାଲ ପଞ୍ଚାୟତ ଅନ୍ତର୍ଗତ ବିନିଶପୁର ଗ୍ରାମରେ ଗତ ୮ ଦିନ ଧରି ଘରେ ଘରେ ଜ୍ୱରରେ ଆକ୍ରାନ୍ତ ହୋଇ ଅନେକ ଘରେ ପଡିରହିଛନ୍ତି । ଗୋଟିଏ କି ଦୁଇଟି ନୁହେଁ ଗାଁ ରେ ପାଖାପାଖି ୬୦ରୁ ୭୦ ଜଣ ଲୋକ ଅଜଣା ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ୱର ହେଲେ ଚାଲିବା କଷ୍ଟକର ହୋଇପଡୁଥିବା ବେଳେ କିଛି ଖାଇବା ପାଇଁ ଇଛା ହଉନାହିଁ ବୋଲି କହିଛନ୍ତି ରୋଗୀ। ଔଷଧ ଖାଇଲେ କିଛି ସମୟ ପାଇଁ ଜ୍ୱର କମିଯାଉଛି କିନ୍ତୁ ପୁଣି ଜ୍ୱର ହେଉଛି ବୋଲି କହିଛନ୍ତି ସ୍ଥାନିୟ ଲୋକେ । ଏହିପରି ଘରକୁ ଘର ଏହି ଜ୍ୱର ବ୍ୟାପିବାରେ ଲାଗିଛି । ଗୁରୁତର ୩ ଜଣ ସନାଇ ପେଦେଟିଂ, ବିଶ୍ୱନାଥ ମୁଶୁକା ଓ ବର୍ଷା ମୁଶୁକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଅଜଣା ଜ୍ଵରରେ ଆକ୍ରାନ୍ତ ଯୋଗୁଁ ଗାଁ ଶୁନ୍ଶାନ ହୋଇଯାଇ ଥିଵା ଦେଖିବାକୁ ମିଳିଛି।ଗତକାଲି ରାତିରେ କଲୋନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଜ୍ୟୋସ୍ନାମୟୀ ରାଉତଙ୍କ ନେତୃତ୍ୱରେ ଏକ ୪ ଜଣିଆ ଦଳ ଉକ୍ତ ଗ୍ରାମରେ ପହଚିଂ ରକ୍ତ ପରିକ୍ଷା କରିବା ସହ ଔଷଧ ପ୍ରଦାନ କରିଛନ୍ତି । ରକ୍ତ ପରିକ୍ଷାରେ ମ୍ୟାଲେରିଆ ନେଗେଟିଭ ବାହାରୁଥିବା ଏବଂ ରୋଗର ଲକ୍ଷଣ ଦେଖି କି ରୋଗ ଜଣାପଡୁନଥିବା କହିଛନ୍ତି। ଡେଙ୍ଗୁ କି ଚିକେନଗୁନିଆ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି ଟିମ । । ତେଣୁ ରୋଗ କଣ ଜଣା ପଡୁନଥିବାରୁ ପୁଣି ରକ୍ତ ନମୂନା ସଙ୍ଗ୍ରହ କରାଯାଇ ପରିକ୍ଷା ପାଇଁ ବାହାରକୁ ପଠାଯାଇଛି,ରିପୋର୍ଟ ଆସିବା ପରେ ରୋଗର କାରଣ ଜଣାପଡିବ ବୋଲି କହିଛନ୍ତି। ଏଠାରେ ସୂଚନା ଅନୁସାରେ ଗ୍ରାମରେ ପ୍ରାୟ ୮୦ଟି ପରିବାର ବାସ କରୁଥିବା ବେଳେ ଜନସଂଖ୍ୟା ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ । ଏମାନେ ସମସ୍ତେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ଦୀନ ମଜୁରିଆ କାମ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ବର୍ତମାନ ଜ୍ୱରରେ ଆକ୍ରାନ୍ତ ଯୋଗୁଁ ଏମାନେ ଭଲରେ ଚାଲିପାରୁନଥିବା କାରଣରୁ ମୁଲ ଲାଗିବା ପାଇଁ ଯାଇପାରୁ ନାହାନ୍ତି । ଯାହାରିଫଳରେ ଓଳିଏ ଚୁଲି ଜଳିଲେ ଓଳିଏ ଉପାସ ରହୁଛନ୍ତି ବୋଲି କହିଛନ୍ତି ଗାଁ ଲୋକେ । ଦୀର୍ଘ ୮ ଦିନ ଧରି ଏହି ଜ୍ୱର କମୁନଥିବାରୁ ଏକ ବିଶେଷଜ୍ଞ ଡାକ୍ତରି ଦଳକୁ ପଠାଇ ଚିକିତ୍ସା କରାଇବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ଏହି ଅଜଣା ଜ୍ୱର ବିନିଶପୁର ଗ୍ରାମରୁ ଅନ୍ୟ ଗ୍ରାମକୁ ବ୍ୟାପିଵା ପୁର୍ବରୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଏକ ବିଶେଷଜ୍ଞ ଡାକ୍ତରି ଦଳକୁ ପଠାଇ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି।