ବିଶ୍ୱକର୍ମା ପୂଜା ଟ୍ରାଫିକ ଜାମରେ ଫସି ରହିଲା ଆମ୍ବୁଲାନ୍ସ : ଚିକିତ୍ସା ବିଳମ୍ବରୁ ଚାଲିଗଲା ଯୁବକର ଜୀବନ

ପାରାଦୀପ – ପାରାଦୀପ ବିଶ୍ଵକର୍ମା ପୂଜା ଟ୍ରାଫିକ ପରିଚାଳନାରେ ତ୍ରୁଟି ଓ ରାସ୍ତା ଜାମ୍ ହେବାରୁ ଅଢେଇ ଘଣ୍ଟା ଧରି ଫସି ରହିଲା ଆମ୍ବୁଲାନ୍ସ । ଚିକିତ୍ସାରେ ବିଳମ୍ୱ ହେବାରୁ ଚାଲିଗଲା ଯୁବକ ଙ୍କ ଜୀବନ । ମୃତକ ମହେଶ୍ୱର ଦାସଙ୍କ ପୁଅ ରାକେଶ ଦାସ (୨୧ବର୍ଷ) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ରବିବାର ଅହେତୁକ ଭିଡ଼ ଯୋଗୁ ଅପରାହ୍ନ ୫ ଟାରୁ ଥାନା ଛକଠାରୁ ଦୋଛକି ପର୍ୟ୍ୟନ୍ତ ଟ୍ରାଫିକ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ସେହି ସମୟରେ ନେହେରୁ ବଙ୍ଗଳାର ମହେଶ୍ୱର ଦାସଙ୍କ ପୁଅ ରାକେଶ ଦାସ ଦୁର୍ଘଟଣାରେ ଗୁରୁତର ହୋଇ ଅଠରବାଙ୍କି ମେଡ଼ିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ଡ଼ାକ୍ତର ତୁରନ୍ତ କଟକ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଡ଼ାକି ଅପରାହ୍ନ ୫ ଟାରେ କଟକ ଅଭିମୁଖେ ବାହାରିଥିଲେ। କିନ୍ତୁ ଜାତୀୟ ରାଜପଥ ୫୩ ଜାମ୍ ହୋଇଯାଇଥିଲା। ସେହି ଭିଡ଼ରୁ ମୁକୁଳିବା ପାଇଁ ଆମ୍ବୁଲାନ୍ସକୁ ଦୀର୍ଘ ଅଢେଇ ଘଣ୍ଟା ଲାଗିଥିଲା। ଅଠରବାଙ୍କିରୁ ୫ ଟାରେ ବାହାରି ଦୋଛକିରେ ସନ୍ଧ୍ୟା ୭ ଟା ୩୦ ରେ ପହଞ୍ଚିଥିଲା। ସେହି ଅଢେଇ ଘଣ୍ଟା ମଧ୍ୟରେ ଗୋଟିଏ ଅକ୍ସିଜେନ ସରି ଆଉ ଗୋଟିଏ ଅକ୍ସିଜେନ ଲଗାଯାଇଥିଲା। ଯିବା ବାଟରେ କନ୍ଦରପୁର ନିକଟରେ ଗୁରୁତର ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ କଟକ ବଡ ମେଡିକାଲରେ ପହଞ୍ଚି ଡ଼ାକ୍ତରଙ୍କୁ ଦେଖାଇଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ମୃତକଙ୍କ ଭାଇ ସୂଚନା ଦେବା ସହ ଟ୍ରାଫିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି l ସୂଚନାଥାଉକି, ବିଶ୍ୱକର୍ମା ପୂଜା ମହୋତ୍ସବ ପୂର୍ବରୁ ଜିଲ୍ଲା ପ୍ରଶାସନ ବାରମ୍ବାର ପ୍ରସ୍ତୁତି ବୈଠକ କରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅପରାହ୍ନ ଠାରୁ ରାସ୍ତାରେ ଭାରୀଯାନ ପରିବହନ ବନ୍ଦ କରିବା, ରାସ୍ତା କଡରେ ଭାରୀଯାନ ପାର୍କିଙ୍ଗ ହଟାଇବା ନେଇ ନିଷ୍ପତି ନେଇଥିବା ବେଳେ କିପରି ସନ୍ଧ୍ୟାରେ ଭାରୀଯାନ ଚଳାଚଳ କରୁଥିଲା ତାହା ଏବେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି l ଅନ୍ୟପକ୍ଷରେ ଏହି ଭାରୀଯାନ ଚଳାଚଳ ଏବଂ ଇଫକୋ ଛକରେ ସିଗନାଲ ଟ୍ରାଫିକିଙ୍ଗ ଯୋଗୁଁ ଏପରି ଟ୍ରାଫିକ ଜାମ ଲାଗି ରହିଥିଲା l ଯେଉଁଥିପାଇଁ ଦୀର୍ଘ ଘଣ୍ଟା ଧରି ଟ୍ରାଫିକ ଜାମ ଲାଗିରହି ଏହିପରି ଅଭାବଣୀୟ ଘଟଣା ଘଟିଥିବା କୁହାଯାଉଛି l ତେବେ ଏହି ଘଟଣା ଯୋଗୁଁ ଆମ୍ବୁଲାନ୍ସ ସମେତ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ସାଧାରଣ ଜନତା ଦୀର୍ଘ ଘଣ୍ଟା ଫସି ରହିଥିଲେ l ଯାହାକୁ ନେଇ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି l