ବିଶ୍ୱଦରବାରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦ୍ୱାରା ହିଁ ଓଡ଼ିଆ ଜାତିର ଗୌରବ ବୃଦ୍ଧି ଘଟିବ
ଭୁବନେଶ୍ୱର; ବିଶ୍ୱଦରବାରରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଅଭିବୃଦ୍ଧି ଦ୍ୱାରା ହିଁ ଓଡ଼ିଆ ଜାତିର ଗୌରବ ବୃଦ୍ଧି ହୋଇଥାଏ ।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଆଜି ବିପର୍ଯ୍ୟୟ ଆଡ଼କୁ ଗତି କରୁଛି । ଅତୀତରେ ସଙ୍କଟ ମଧ୍ୟ ଦେଇ ଓଡ଼ିଆ ଭାଷା ଗତିକରି ଆସିଥିଲେ ମଧ୍ୟ ସେ ତାର ସ୍ୱତନ୍ତ୍ରୀୟତାକୁ ହରାଇ ନାହିଁ। ଆଜି ଓଡ଼ିଆ ଭାଷା ବିଶ୍ୱ ଦରବାରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ଆସିଛି । ଆଜି ଜାତିସଂଘର ଛାତି ଉପରେ ପ୍ରତି ଫଳିତ ହେଉଛି କବି ଭୀମଭୋଇଙ୍କର କାବ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମାତୃଭାଷା ଦିବସ ଅବସରରେ ଚଲାପଥ ପକ୍ଷରୁ ସଭାପତି ବିଜୟଲକ୍ଷ୍ମୀ ମହାନ୍ତିପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ର ଓ କବି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ଅଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ, ବରିଷ୍ଠ ସାମ୍ବାଦିକ ପାର୍ଥ ସାରଥୀ ଜେନା, ସ୍ମୃତିଲିପିର ସମ୍ପାଦକ ଭୁବନ ମୋହନ ମହାନ୍ତି, କବି ତରୁଣବାଳା ମହାପାତ୍ର ଓ ପ୍ରେମ ପ୍ରକାଶ ସିଂହ ଯୋଗ ଦେଇଥିଲେ । ଚଲାପଥର ପ୍ରତିଷ୍ଠାତା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହଳଧର ଧୀର ଚଲାପଥର ଆଭିମୁଖ୍ୟ ବର୍ଣ୍ଣନା କରିବା ସହିତ ଆସନ୍ତା ମାର୍ଚ୍ଚ ବାଇଶ ତାରିଖରେ ଭୁବନେଶ୍ୱର ଠାରେ ଚଲାପଥର ଚଉବନ ତମ ମହୋତ୍ସବ ପାଳନ ସଫଳ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । କବି ଶୁଭଶ୍ରୀ ସିଂହଙ୍କ ସଭାପତିତ୍ୱରେ ଆୟୋଜିତ କବିତା ପାଠୋତ୍ସବରେ ଅତିଥି କବି ଭାବେ ମଧୁସ୍ମିତା ଶା, ଗୀତାଞ୍ଜଳୀ ଦଳାଇ ଯୋଗ ଦେଇଥିଲେ । ଉପସ୍ଥିତ କବିମାନେ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ ।
