February 3, 2026
Home » ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬ ପାଇଁ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠ ଅନୁକୂଳ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬ ପାଇଁ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠ ଅନୁକୂଳ

0
Screenshot 2026-01-25 163438

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬ ପାଇଁ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠ ଅନୁକୂଳ କରାଯାଇଛି।ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ତ ୧୨ ଫୁଟିଆ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି। ଏହା ପୂର୍ବରୁ ସକାଳୁ ରଥ ତତ୍ତ୍ବାବଧାରକଙ୍କ ତତ୍ତ୍ଵାବଧାନରେ ଭୋଇ ସର୍ଦ୍ଦାରଙ୍କ ସହ ଭୋଇ ସେବକମାନେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜା କରାଯିବା ସ୍ଥାନରେ ଆଣି ରଖିଥିଲେ। ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିବା ତିନୋଟି ଧଉରା କାଠର ଚତୁଃପାର୍ଶ୍ଵରେ ଚୂନପାଣି ପକାଯାଇ ପବିତ୍ର କରାଯିବା ପରେ କାଠ ତିନୋଟିକୁ ମାଜଣା କରାଯାଇଥିଲା। ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠତ୍ରୟର ପୂଜାର୍ଚ୍ଚନା କରାଯାଇଛି।ତେବେ ଏହି ତିନୋଟି କାଠରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ଗୁଜ ଅନୁକୂଳ କରାଯିବ। ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ତ କାଠ ଆବଶ୍ୟକ । ପ୍ରଥମ ପର୍ଯ୍ୟାୟରେ ଗତ ନୟାଗଡ଼ ବନଖଣ୍ତରୁ ରଥକାଠ ପୁରୀ ଆସି ସାରିଛି। ପୂର୍ବ ବର୍ଷର କାଠ ବଳକା ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ରଥକାଠ ଆସି ପହଞ୍ଚିବ। ସେପଟେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବାର ମଧ୍ୟ ବିଧି ରହିଛି। ତେବେ ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।ପ୍ରତିବର୍ଷ ରଥଯାତ୍ରା ପାଇଁ ସରସ୍ୱତୀ ପୂଜାରୁ ହିଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ରାମନବମୀ ଅବସରରେ କଟକ ଖପୁରୀଆ ସ୍ଥିତ କରତକଳରେ ରଥକାଠ ଚିରଟ କରାଯିବାର ପରମ୍ପରା ରହିଛି।ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଧି ଅନୁଯାୟୀ ୨୦୨୬ ରଥଯାତ୍ରା ପାଇଁ ଆଜି ଶ୍ରୀପଞ୍ଚମୀ ତିଥି ରେ ରଥ କାଠ ଅନୁକୂଳ ହୋଇଚି। ରାଜ ପୁରୋହିତ ଓ ବ୍ରାହ୍ମଣ ଙ୍କ ଦ୍ଵାରା ରଥ କାଠ ପୂଜାର୍ଚ୍ଚନା କରାଯାଇଥିଲା। ଆଗାମୀ ରାମ ନବମୀ ରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ । ପରେ ଆଗାମୀ ଅକ୍ଷୟ ତୃତୀୟା ରେ ରଥ ନିର୍ମାଣ ର ଶୁଭ ଅନୁକୂଳ ଅନୁଷ୍ଠିତ ହେବ । ଚଳିତ ବର୍ଷ ରଥ ଯାତ୍ରା ପାଇଁ ଆବଶ୍ୟକ ଥିବା କାଠ କିଭଳି ସୁରୁଖୁରୁରେ ଆସିବ ସେ ନେଇ ସବୁ ପ୍ରସ୍ତୁତି ହୋଇଛି । ଫାଶୀ କାଠ ଦେବା ପାଇଁ ଇଛୁକ ଦାତା ଙ୍କ ସହ ଆମେ ଯୋଗାଯୋଗ ରେ ଅଛୁ। ତେବେ ରଥ ନିର୍ମାଣ ଯାହା କାଠ ଆବଶ୍ୟକ ଏବଂ ଅନ୍ୟାନ୍ୟ ଜିନିଷ ଯାହା ଦରକାର ତାହା ସବୁ ସୁରୁଖୁରୁରେ ହେଉ ବୋଲି ଆମେ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରୁଛୁ।

ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୁଦନ ସିଂହାରୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ଚଳିତ ବର୍ଷ ରଥ ଯାତ୍ରା ପାଇଁ ଶ୍ରୀ ପଞ୍ଚମୀ ତିଥି ରେ ରଥ କାଠ ଅନୁକୂଳ ହୋଇଚି। ଆଗାମୀ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଅନୁକୂଳ ହେବ। ବିଧି ଅନୁଯାୟୀ ରାଜଗୁରୁ ଓ ମୁକ୍ତି ମଣ୍ଡପ ବ୍ରହ୍ମଣ ମାନେ ରଥ କାଠ ପୂଜା କରିଥିଲେ। ତେବେ ମହାପ୍ରଭୁ ଙ୍କୁ ଆମେ ପ୍ରାର୍ଥନା କରିଛୁ ଚଳିତ ବର୍ଷ ରଥ ଯାତ୍ରା ଭଲ ରେ ଅନୁଷ୍ଠିତ ହେଉ। ସାରା ଜଗତ ର ମଙ୍ଗଳ ହେଉ।

 

 

Leave a Reply

Your email address will not be published. Required fields are marked *