October 30, 2025
Home » ବୃନ୍ଦାବନ ମହୋତ୍ସବ : ହେମାମାଳିନୀଙ୍କ ଭାରତନାଟ୍ୟମ୍ ନୃତ୍ୟରେ ଦର୍ଶକ ବିମୋହିତ

ବୃନ୍ଦାବନ ମହୋତ୍ସବ : ହେମାମାଳିନୀଙ୍କ ଭାରତନାଟ୍ୟମ୍ ନୃତ୍ୟରେ ଦର୍ଶକ ବିମୋହିତ

0
WhatsApp Image 2025-03-14 at 10.28.42 PM

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଓ ଜୟଦେବଙ୍କ ଗୀତଗୋବିନ୍ଦ ଉପରେ ପର୍ଯ୍ୟବେସିତ ହେମାଙ୍କ ନୃତ୍ୟ ରହିଥିଲା ଆଜିର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ

ଗଣେଶ ଆରଧନା, ଲକ୍ଷ୍ମୀସ୍ତୁତି ଓ ତୁଳସୀ ଦାସଙ୍କ କାଳଜୟୀ ରଚନାରେ ପ୍ରଭୁଙ୍କ ଆରାଧନା କଲେ ନୃତ୍ୟଶିଳ୍ପୀ ହେମାମାଳିନୀ

ଓଡ଼ିଶାରେ ମିଳିଥିବା ଆତିଥ୍ୟ ପାଇଁ ଧନ୍ୟବାଦ ଅର୍ପଣ କଲେ; ରଙ୍ଗର ପର୍ବ ହୋଲି ଉପଲକ୍ଷେ ଦର୍ଶକ ଓ ଅତିଥିମାନଙ୍କ ସହ ରଙ୍ଗ ଖେଳିଲେ ହେମାମାଳିନୀ

ଓଡ଼ିଶା ହେଉଛି ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଭୂମି : ହେମାମାଳିନୀ

ଭୁବନେଶ୍ୱର, (୧୪/୩): ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ମଥୁରାର ସାଂସଦ ଓ ବିଶିଷ୍ଟ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଶ୍ରୀମତୀ ହେମାମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ନୃତ୍ୟଶିଳ୍ପୀ ହେମାମାଳିନୀ, ବିଶିଷ୍ଟ ସଂଗୀତଜ୍ଞ ଶ୍ରୀ ହରିପ୍ରସାଦ ଚୌରସିଆ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।

ସର୍ବପ୍ରଥମେ “ପୁଷ୍ପାଞ୍ଜଳି”, “ଗଣେଶ ଆରାଧନା”,”ଲକ୍ଷ୍ମୀ ସ୍ତୁତି”ରେ ନୃତ୍ୟ ଆରମ୍ଭ କରିଥିଲେ ନୃତ୍ୟଶିଳ୍ପୀ ହେମାମାଳିନୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏଥିସହ ଜୟଦେବଙ୍କ “ଗୀତଗୋବିନ୍ଦ” ଉପରେ ଆଧାରିତ ହେମାଙ୍କ ନୃତ୍ୟ ଆଜିର ସନ୍ଧ୍ୟାର ବିଶେଷ ଆକର୍ଷଣ ରହିଥିଲା।

ହେମାମାଳିନୀଙ୍କ ସହିତ ନାଟ୍ୟବିହାର କଳାକେନ୍ଦ୍ରର ନୃତ୍ୟଶିଳ୍ପୀମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ। ବୃନ୍ଦାବନ ଗୁରୁକୁଳର ଶିଷ୍ୟମାନଙ୍କ ବଂଶୀ ଓ ତବଲା ବାଦନ ମଧ୍ୟ ବେଶ ହୃଦୟସ୍ପର୍ଶୀ ହୋଇପାରିଥିଲା।

ଆଜିର କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ହେମାମାଳିନୀ କହିଥିଲେ ଯେ, “ଓଡ଼ିଶା ହେଉଛି ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଭୂମି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିକୁ ଆସି ନୃତ୍ୟ ପରିବେଷଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶାର ସଂଗୀତ, ନୃତ୍ୟ, ଖାଦ୍ୟ, ବସ୍ତ୍ର, କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ ସବୁକିଛି ବେଶ ନିଆରା”। ଏଥିସହ ଆଜିର କାର୍ଯ୍ୟକ୍ରମରେ ଦର୍ଶକମାନଙ୍କ ମଧ୍ୟରେ ରହିଥିବା ଉତ୍ସାହ ପରିଲକ୍ଷିତ କରି ସେ ବେଶ ଆନନ୍ଦିତ ବୋଲି ହେମାମାଳିନୀ ମତବ୍ୟକ୍ତ କରିଥିଲେ। ପୁରୀର ସାଂସଦ ଶ୍ରୀ ସମ୍ବିତ ପାତ୍ର ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ହେମାମାଳିନୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମର ଶେଷରେ ନୃତ୍ୟଶିଳ୍ପୀ ହେମାମାଳିନୀ ରଙ୍ଗର ପର୍ବ ହୋଲି ଉପଲକ୍ଷେ ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କ ସହ ରଙ୍ଗ ଖେଳିଥିଲେ ଓ ଓଡ଼ିଶାରେ ମିଳିଥିବା ଆତିଥ୍ୟ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *