ବୌଦ୍ଧ ପାଇଁ ଗୌରବ : ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବାକୁ ଯାଉଛନ୍ତି ବୌଦ୍ଧ ରୁ ତିନି ନୃତ୍ୟଶିଳ୍ପୀ
ସୁବର୍ଣ୍ଣପୁର – ପ୍ରଣାମ ନୃତ୍ୟାନୁଷ୍ଠାନ ବୌଦ୍ଧର ତିନିଜଣ ଓଡିଶୀନୃତ୍ୟ ଶିଳ୍ପୀ ଦିଲ୍ଲୀରେ ପାଳନ ହେବାକୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ଚୟନ ହୋଇ ଦିଲ୍ଲୀଠାରେ କ୍ଷେତ୍ରୀୟ ଅଭ୍ୟାସରେ ଭାଗ ନେଉଛନ୍ତି । ସେମାନେ ହେଲେ ସ୍ନେହାରାଣୀ ମିଶ୍ର ,ପିତା –ସୁଶାନ୍ତ ମିଶ୍ର ଓ ମାତା – କାମିନି ମିଶ୍ର ଓ ଅନ୍ୟ ଦୁଇ ଭଉଣୀ ହଂସିକା ମନ୍ତ୍ରୀ ଓ ଆଶ୍ଳେଷା ମନ୍ତ୍ରୀ,ପିତା- ବାବୁଲି ଘିବିଲା, ମାତା – ରୂପସୀ ସିଂହ l ଦିଲ୍ଲୀ ଠାରେ ପାଳନ ହେବାକୁ ଥିବା ଜାତୀୟ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆଗେଟ ପରିବ୍ୟାପ୍ତ କର୍ତ୍ତବ୍ୟମାର୍ଗରେ ଆୟୋଜିତ ହେବାକୁ ଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାରା ଭାରତରୁ ୨୫ ହଜାର ବିଶିଷ୍ଠ ନୃତ୍ୟଶିଳ୍ପୀ ବିଭିନ୍ନ ନୃତ୍ୟ ପରିବେଷଣ କରିବେ ତନ୍ମଧ୍ୟରେ ଓଡ଼ିଶାର ଓଡିଶୀ ନୃତ୍ୟ ଶିଳ୍ପୀ ଅନ୍ତର୍ଭୁକ୍ତ । ଏହି ତିନି ଜଣ ନୃତ୍ୟଶିଳ୍ପୀ ପ୍ରଣାମ ନୃତ୍ୟାନୁଷ୍ଠାନରେ ଗୁରୁ ପ୍ରଶାନ୍ତ କୁମାର ଭାଇନାଙ୍କ ତତ୍ୱାବଧାନରେ ନିୟମିତ ଓଡିଶୀ ନୃତ୍ୟ ଅଭ୍ୟାସ କରୁଥିବାବେଳେ ଜାତୀୟ ଓ ରାଜ୍ୟସ୍ତରୀୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଅନେକ ସୁନାମ ସାଉଁଟି ଛନ୍ତି । ଉକ୍ତ ଭବ୍ୟ ଜାତୀୟ କାର୍ଯ୍ୟକ୍ରମକୁ ଦେଖିବାକୁ ସାରା ବିଶ୍ଵର ଦର୍ଶକ ଅନାଇବସିଥାନ୍ତି । ଅନ୍ତର୍ଜାତୀୟ ସ୍ତରରୁ ମଧ୍ୟ ଭାରତ ସରକାରଙ୍କ ତରଫରୁ ଅନେକ ଅତିଥିଗଣଙ୍କୁ ଏହି ଭବ୍ୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନିମନ୍ତ୍ରଣ କରାଯାଇଥାଏ । ଏହିପରି ଏକ ଜାତୀୟ ସ୍ତରୀୟ ଗୌରବମୟ କାର୍ଯ୍ୟକ୍ରମରେ ଭାଗନେଉଥିବା ପ୍ରଣାମ ନୃତ୍ୟାନୁଷ୍ଠାନ, ବୌଦ୍ଧର ଏହି ତିନି ଜଣ ନୃତ୍ୟଶିଳ୍ପୀଙ୍କୁ ନୃତ୍ୟାନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ସୁକାନ୍ତି ସିଂ ଓ ସଭାପତି ଶ୍ରୀ ବସନ୍ତ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି । କେବଳ ବୌଦ୍ଧ ନୁହେଁ ଆମ ଓଡ଼ିଶା ପାଇଁ ଏହା ଏକ ବଡ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ଓ ଜନସାଧାରଣ ମହଲରେ ଚର୍ଚ୍ଚା ହେଉଛି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
