ଭବାନୀପାଟଣା ଠାରେ ପୂଜ୍ୟ ପୂଜକ ବାବା ବଳିଆଙ୍କ ମାର୍ଗଦର୍ଶନରେ “ଶ୍ରୀ ଗୁରୁ କୃପା ମହୋତ୍ସବ-୨୦୨୫”
।
ଭବାନୀପାଟଣା: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ପରିସରରେ ୨୬ ତାରିଖ ଶୁକ୍ରବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜ୍ୟ ଶ୍ରୀ ଗୁରୁଦେବ ପଦ୍ମଶ୍ରୀ ବାବା ବଳିଆଙ୍କ ପବିତ୍ର ସତସଙ୍ଗ ଓ ଦିବ୍ୟ ପ୍ରବଚନକୁ ନେଇ “ଶ୍ରୀ ଗୁରୁ କୃପା ମହୋତ୍ସବ-୨୦୨୫” ର ଶୁଭାରମ୍ଭ ହୋଇଛି। ଏହି ପୁଣ୍ୟ ଭଗବତ କାର୍ଯ୍ୟକ୍ରମ ୨୮ ତାରିଖ ରବିବାର ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ।ଏହି ମହୋତ୍ସବରେ ଅଂଶ ଗ୍ରହଣ କରିଥିବା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ସରସ୍ବତୀ ବିଦ୍ୟାମନ୍ଦିର ଠାରେ ନିବାସ ଓ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଛି।

ସେଠାରେ ପ୍ରତିଦିନ ପ୍ରତ୍ୟୁଷରୁ ସେବକ ଗୋପାଳ ଦାସଙ୍କ ତତ୍ଵାବଧାନରେ ପ୍ରାର୍ଥନା, ଭଜନ, ଯୋଗାଭ୍ୟାସ ଓ ପ୍ରାଣାୟାମ, ପୂର୍ବାହ୍ନରେ ଆଶ୍ରମର ସଞ୍ଜୟ ଭାଇଙ୍କ ଦ୍ଵାରା ଶିଷ୍ୟଙ୍କ କର୍ତ୍ତବ୍ୟ ସମ୍ପର୍କିତ ଆଲୋଚନା ଓ ସନ୍ଧ୍ୟା ୬ ଘଣ୍ଟା ଠାରୁ ରାତ୍ର ୯ ଟା ପର୍ଯ୍ୟନ୍ତ ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ଦିବ୍ୟ ପ୍ରବଚନ ମାଧ୍ୟମରେ ” ଆମ ଜୀବନ ଓ ଗୀତା”ର ଅମୃତମୟ ବାଣୀ ପ୍ରଦାନର କାର୍ଯ୍ୟକ୍ରମ ଚାଲିଛି। ଶିଶୁ ଅନନ୍ତ ଆଶ୍ରମ, ଅରିଲୋ ଓ ଅନନ୍ତ ବଳିଆ ସେବାସଙ୍ଘ, କଳାହାଣ୍ଡି, ଭବାନୀପାଟଣା ଦ୍ଵାରା ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମଟି ଶ୍ରୀ ଗୁରୁଦେବଙ୍କ ନିର୍ଦେଶାନୁଯାୟୀ ଶ୍ରୀ ଆଶୀର୍ବାଦ ମହାରାଜ ଜୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିଲାବେଳେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ପ୍ରତିଦିନ ସନ୍ଧ୍ୟାରେ ଶହଶହ ଭକ୍ତ ପ୍ରବଳ ଶୀତରେ ମଧ୍ୟ ବାବାଙ୍କ ଦିବ୍ୟ ପ୍ରବଚନ ଶୁଣିବା ପାଇଁ ଭିଡ ଲଗାଉଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
