August 27, 2025
Home » ଭାରତୀୟ ମଜଦୂର ସଂଘ କନ୍ଧମାଳ ପକ୍ଷରୁ ୭୧ତମ ପ୍ରତିଷ୍ଠା ଦିବସ ପାଳିତ

ଭାରତୀୟ ମଜଦୂର ସଂଘ କନ୍ଧମାଳ ପକ୍ଷରୁ ୭୧ତମ ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2025-07-24 at 4.49.38 PM

ଭାରତୀୟ ମଜଦୂର ସଂଘ (ବି ଏମ ଏସ)ର ୭୧ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ହାଟପଦା ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି। ଗତ ସତୁରି ବର୍ଷ ଧରି ରାଷ୍ଟ୍ର ହିତ,ଉଦ୍ୟୋଗ ହିତ, ଓ ଶ୍ରମିକ ହିତରେ ଭାରତୀୟ ମଜଦୂର ସଂଘ କାର୍ଯ୍ୟ କରିଆସୁଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଏମଏସର ଜିଲା ସଭାପତି ଅଶୋକ ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ସଂଘର ୨ୟ ସଂଘ ଚାଳକ ମାଧବ ସଦାସିବ ଗୋଲୱାଲକର (ଗୁରୁଜୀ)ଙ୍କ ମାର୍ଗ ଦର୍ଶନରେ ଭାରତୀୟ ମଜଦୂର ସଂଘ(ବି ଏମ ଏସ) ୧୯୫୫ମସିହା ଜୁଲାଇ ମାସ ୨୩ତାରିଖରେ ଦତ୍ତୋପନ୍ତ ଠେଙ୍ଗଡୀଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଶ୍ରୀ ପରିଡା ସୂଚନା ଦେଇଥିଲେ। ରାଷ୍ଟ୍ର ପ୍ରତି ପ୍ରତିବଦ୍ଧତା ନେଇ ଉଦ୍ୟୋଗ ଓ ଶ୍ରମିକଙ୍କ ହିତସାଧନ ପାଇଁ ବି ଏମ ଏସ ଏକମାତ୍ର ଶ୍ରମିକ ସଂଗଠନ ଆରମ୍ଭ ହୋଇଥିଲା।ତା ପୂର୍ବରୁ ବାମପନ୍ଥୀ ଶ୍ରମିକ ସଂଗଠନ ମାନେ କେବଳ ଶ୍ରମିକଙ୍କ ହିତ କଥା କହୁଥିଲେ। ଯାହା ଫଳରେ ଅନେକ ଉଦ୍ୟୋଗ ବୁଡିଯାଇଥିଲା। ଭାରତୀୟ ମଜଦୂର ସଂଘ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରର ସବୁଠାରୁ ବଡ ଶ୍ରମିକ ସଂଗଠନ ଭାବେ ବିଶ୍ୱରେ ସୁନାମ ଅର୍ଜନ କରିଥିବା ବେଳେ ବିଭିନ୍ନ ଦେଶରେ ଯାଇ ଶ୍ରମିକଙ୍କ ହିତରେ ସଂଗଠନ ପ୍ରତିଷ୍ଠା କରି ସଫଳତା ପାଇଛନ୍ତି।ଜିଲା ସଂଘଚାଳକ ରମେଶ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ,ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର ପଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ କାର୍ଯ୍ୟବାହ ପ୍ରିୟନାଥ ଶର୍ମା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଏମ ଏସର ଇତିବୃତି ସମ୍ପର୍କରେ ସୂଚନା ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ଜିଲା ସମାଜ ମଙ୍ଗଳ ଅଧିକାରୀ ସ୍ନେହଲତା ସାହୁ,ଜିଲା ସହ ଶ୍ରମ ଅଧିକାରୀ ପ୍ରମୋଦ କୁମାର ଦେହୁରୀ, ଫୁଲବାଣୀ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ବିଏମ ଏସର ଶୁଭଚିନ୍ତକ ତଥା ଆଇନଜୀବୀ ରମେଶ ମହାନ୍ତି ପ୍ରମୁଖ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆଶା କର୍ମୀ ସଂଘର ଜିଲା ସଭାପତି ଅମ୍ବିକା ବେହେରା ,ଅଙ୍ଗନବାଡି କର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଜାତା ଦାସ ଫୁଲବାଣୀ ବ୍ଲକ ସଭାନେତ୍ରୀ ଆରତୀ ବେହେରା ପ୍ରମୁଖ ଆଶା ଅଙ୍ଗନବାଡି କାର୍ଯ୍ୟକ୍ରମରେ ବିଏମ ଏସର ସହଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମରେ ବିଏମ ଏସର ପୂର୍ବତନ କାର୍ଯ୍ୟକର୍ତ୍ତା ବିପ୍ରଚରଣ ସାହୁ ବିଏମ ଏସର ଆଇନ ସେଲର ସଦସ୍ୟ କୃଷ୍ଣ ଚନ୍ଦ୍ର ସେନାପତି, ମିଟୁ ମହାପାତ୍ର ଓ ନମିତା ସାହୁଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ବିଏମଏସର କାର୍ଯ୍ୟକାରୀ ସଭାପତି ଗୋପାଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କଠିନ ପରିଶ୍ରମ କରୁଥିବା ଶ୍ରମିକଙ୍କ ଯୋଗୁଁ ଦେଶର ବିକାଶ ସମ୍ଭବ ହୋଇପାରିଛି। ତେଣୁ ଆସନ୍ତୁ ଶ୍ରମିକଙ୍କ ହିତ ଉଦ୍ଦେଶ୍ୟରେ ସବୁଶ୍ରମିକ ସଂଗଠନ ସମ୍ମିଳିତ ହୋଇ ଲଢେ଼ଇ ଜାରି ରଖିବା।

Leave a Reply

Your email address will not be published. Required fields are marked *