February 22, 2026
Home » ମକର ଲାଗି ଜୁଆଙ୍ଗ ସାହିରେ କମ୍ବଳ ପୋଷାକ ବାଣ୍ଟିଲା ସ୍ବେଚ୍ଛାସେବୀ ସଂଗଠନ ‘ଆଶା’

ମକର ଲାଗି ଜୁଆଙ୍ଗ ସାହିରେ କମ୍ବଳ ପୋଷାକ ବାଣ୍ଟିଲା ସ୍ବେଚ୍ଛାସେବୀ ସଂଗଠନ ‘ଆଶା’

0
WhatsApp Image 2026-01-11 at 8.39.38 AM

ଆଉ ଅଳ୍ପଦିନ ପରେ କେନ୍ଦୁଝରର ଗଣପର୍ବ ମକର। କେନ୍ଦୁଝର, ମୟୂରଭଞ୍ଜ ପରି ଆଦିବାସୀ ବହୁଳ ଜିଲ୍ଲାରେ ଏହା ବେଶ୍ ଏକ ମୁଖ୍ୟ ପର୍ବ। ସାଧାରଣ ବର୍ଗର ଲୋକଙ୍କ ଅପେକ୍ଷା, ଆଦିବାସୀ ଶ୍ରେଣୀର ଲୋକେ ବେଶି ଆନନ୍ଦ ଉଠାନ୍ତି ଏହି ପର୍ବରେ। ପ୍ରାୟ ଏକ ସପ୍ତାହ ଧରି ଚାଲେ ଏ ପରବ। କିଛି ଦିନ ତଳୁ ପ୍ରସ୍ତୁତି ଆରମ୍ଭ ହୁଏ, ଘର ଲିପାପୋଛା ହୁଏ, ନୂଆ ପୋଷାକ ଆସେ, ପିଠାପଣାର ଆୟୋଜନ କରାଯାଏ, ଦୁଇ ତିନି ଓଳି ମାଂସର କଥା ବି ପ୍ରସ୍ତୁତି ଭିତରେ ଥାଏ। ହେଲେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ରର ଘୁଙ୍ଗି ଗାଁର ସ୍ଵର୍ଗତ ଈଶ୍ୱର ଜୁଆଙ୍ଗର ବାପ, ମା’ ଛେଉଣ୍ଡ ପିଲା, ଅଧା ଭଙ୍ଗା ଦଦରା ଘରେ ରହୁଥିବା ସୁରେନ ଜୁଆଙ୍ଗର ଛୁଆ କେମିତି ପାଳିବେ ଏହି ମହାନ ଗଣପର୍ବ ଚିନ୍ତାରେ ଅଛନ୍ତି। ପିନ୍ଧିବେ କ’ଣ , ଖାଇବେ କ’ଣ ସେମାନେ। ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଶା”ର ମନରେ ଏ ପ୍ରଶ୍ନ ଆସିବାରୁ ସ୍ଵେଚ୍ଛାସେବୀ ମାନେ ବାହାର କରିଛନ୍ତି ଏହାର ସମାଧାନ।‌ ସ୍ଵର୍ଗତ ଈଶ୍ୱର ଜୁଆଙ୍ଗର ଚାରି ଛେଉଣ୍ଡ ପିଲାଙ୍କୁ ମକର ସଂକ୍ରାନ୍ତି ଉପଲକ୍ଷେ ପୋଷାକ, ସ୍ଵେଟର, ଶାଲ୍, କମ୍ବଳ ସହିତ ଖାଦ୍ୟ ସାମଗ୍ରୀ, ପ୍ରସାଧନ ସାମଗ୍ରୀ, ଚପଲ, ସପ ସାଙ୍ଗକୁ ଆଉ କିଛି ଜିନିଷ ଯୋଗାଇ ଦେବାକୁ ଆଶା ସ୍ଥିର କଲା। ସେହିପରି ସୁରେନ ଜୁଆଙ୍ଗର ଚାରି ପିଲାଙ୍କ ପାଇଁ ସ୍ଵେଟର, କମ୍ବଳ ସହିତ ତା’ ସ୍ତ୍ରୀକୁ ଶାଲ୍ ଦେବାକୁ ଆଶା ନିଷ୍ପତ୍ତି ନେଲା। ଏହାବାଦ୍ ନଟ ଜୁଆଙ୍ଗର ଚାରି ଭିନ୍ନକ୍ଷମ ପିଲାଙ୍କୁ କମ୍ବଳ ଯୋଗାଇ ଦେବାକୁ ଠିକ୍ କରାଯାଇଛି। ଏଥିସହିତ ଗାଁର ସାରା ଛତିଶ ଗୋଟି ପରିବାରକୁ କମ୍ବଳ ଦିଆଯିବ। ଆଜି “ଆଶା”ର ଏକ ସ୍ଵେଚ୍ଛାସେବୀ ଦଳ ଘୁଙ୍ଗି ଗାଁକୁ ଯାଇ ଏସବୁ ଜିନିଷ ବିଚରଣ କରିବା ସହିତ ଗ୍ରାମବାସୀଙ୍କୁ ଏକ ହସ, ଖୁସି ଓ ଆନନ୍ଦର ମକର ସକାଶେ ଶୁଭେଚ୍ଛା ଜଣାଇଛନ୍ତି। ସ୍ଵେଚ୍ଛାସେବୀଙ୍କ ମଧ୍ୟରେ ଥିଲେ ସର୍ବଶ୍ରୀ ରମେଶ ଚନ୍ଦ୍ର ନାଏକ, ରାଜ କିଶୋର ବାରିକ, ବନମାଳୀ ମହାନ୍ତ, ଦୁଃଶାସନ ମହାନ୍ତ, ତୁଷାର ଭୁଷଣ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ବିଜୟ କୁମାର ଘଣା, ସନ୍ତୋଷ କୁମାର ଘଣା, ହିରୋ ମହାକୁଡ, ଶ୍ରୀମତୀ ମିନତୀ ମହାନ୍ତ, ଶ୍ରୀମତୀ ସତ୍ୟଭାମା ମହାନ୍ତ ଓ ଶ୍ରୀମତୀ ସୁଲୋଚନା ମହାନ୍ତ ପ୍ରଭୃତି।‌

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *