August 27, 2025
Home » “ମଧୁଲିତା”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

“ମଧୁଲିତା”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

0
WhatsApp Image 2025-08-17 at 3.14.40 PM

ଭୁବନେଶ୍ୱର – ମନନଶୀଳ ପାରିବାରିକ ପତ୍ରିକା “ମଧୁଲିତା”ର ସ୍ୱତନ୍ତ୍ର ସଂଖ୍ୟା ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବର୍ଷିୟାନ୍ ଭୂଦାନ ଓ ସର୍ବୋଦୟ ନେତା, ବିଶିଷ୍ଟ ଶିକ୍ଷାବିତ୍‌, ସମାଜ ସଂସ୍କାରକ, ବରିଷ୍ଠ କବି ଓ ଲେଖକ ତଥା କୋରାପୁଟର ଗାନ୍ଧୀ ଭାବେ ସୁ-ପରିଚିତ କୃଷ୍ଣ ସିଂହଙ୍କୁ ୨୦୨୫ ମସିହା ପାଇଁ “ମଧୁଲିତା ଶ୍ରେଷ୍ଠ ସମାଜ ସଂସ୍କାରକ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।
ଏହି ଉତ୍ସବରେ ଉଦ୍‌ଘାଟକଭାବେ ଯୋଗଦାନ କରି ପ୍ରଖ୍ୟାତ ଭାଷାବିତ୍ ଡ଼ଃ ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ, “ନାରୀମାନେ ନିଜର ସୁରକ୍ଷା ନିମନ୍ତେ ନିଜକୁ ସଶକ୍ତ କରିବା ସହ ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ୍ ।” ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବରିଷ୍ଠ କବି ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡଃ ଅଲେଖ ଚନ୍ଦ୍ର ପଢିଆରୀ ନାରୀ ସୁରକ୍ଷା ଓ ଆମ ସାମାଜିକ ବ୍ୟବସ୍ଥା ଉପରେ ଆଲୋକପାତ କରି କହିଲେ, “ଆମେ ଏକ ଅସୁସ୍ଥ ସମାଜ ମଧ୍ୟ ଦେଇ ଗତି କରୁଛେ । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଦୂର କରିପାରିଲେ ଏକ ଉତ୍ତମ ସମାଜ ଗଠନ ହୋଇପାରିବ ।” ବିଶିଷ୍ଟ କବି ଓ ସ୍ତମ୍ଭକାର ନିରାକାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତାଭାବେ ଯୋଗଦାନ କରି ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଏସ୍‌.ସି.ବି. ମେଡ଼ିକାଲ୍ କଲେଜ ନ୍ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ଡାକ୍ତର ସଂଜୟ ଚୌଧୁରୀ ସଚେତନ ନାଗରିକଟିଏ ସ୍ୱାସ୍ଥ୍ୟ ସଚେତନ ହେବା ଖୁବ୍ ଜରୁରୀ ବୋଲି କହିଥିଲେ । ସେହିପରି ବିଶିଷ୍ଟ ଅତିଥି, ଦୂରଦର୍ଶନ ଖବର ପାଠିକା ଶ୍ରୀମତୀ କଳ୍ପନା ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ଚିତ୍ରକର ଓ ସାହିତ୍ୟିକା ଶ୍ରୀମତୀ ନଳିନୀ ମିଶ୍ର ମହିଳା ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଲେଖିକା ଓ ସାମ୍ବାଦିକା ଶ୍ରୀମତୀ ମଧୁଲିତା ପରିଡ଼ା ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ସାମ୍ବାଦିକା ଦିପ୍ତୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କବି ମଧମିତା ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ଶ୍ରୀମତୀ ନଳିନୀ ମିଶ୍ରଙ୍କ ଚିତ୍ରକର ଜୀବନ ଉପରେ ଏହି ସ୍ୱତନ୍ତ୍ର ବିଶେଷାଙ୍କ କରାଯାଇଛି । ଶେଷରେ ସାମ୍ବାଦିକା ଦିପ୍ତୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *