July 27, 2025
Home » ମର୍ମନ୍ତୁଦ ଦୁର୍ଘଟଣା:କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ମର୍ମନ୍ତୁଦ ଦୁର୍ଘଟଣା:କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

0
WhatsApp Image 2025-06-17 at 10.25.42 AM

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ରେଳଷ୍ଟେସନ ତଥା ଓରିଅନ ହୋଟେଲ ଟ୍ରାଫିକ ଛକରେ ଏକ ଟ୍ରକ ଗୋଟିଏ ଅଟୋ ଓ ୨ଟି ବାଇକକୁ ଧକ୍କା ଦେଇଥିଲା। ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ବାଇକ ଆରୋହୀ ମଧ୍ୟ ଆହତ ହୋଇଛନ୍ତି।
ଜାତୀୟ ରାଜପଥ ନଂ୨୬ରେ ଏକ ଟ୍ରକ (ଓଆର୍ ୨୩ ଇ ୮୭୭୬)ଜୁନାଗଡ଼ରୁ ଭବାନୀପାଟଣା ପଟକୁ ଯାଉଥିବା ବେଳେ ଟ୍ରାଫିକ ସିଗ୍‌ନାଲକୁ ନ ମାନି ବେପରୁଆ ଭାବେ ଏକ ଅଟୋ (ଓଡି ୨୬ ଡି ୪୮୩୦) ଓ ୨ଟି ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଜୁନାଗଡ଼ ଥାନା ଅନ୍ତର୍ଗତ ଏକନାଗୁଡା ଗ୍ରାମର ଜଗଦୀଶ ଧଙ୍ଗଡ଼ାମାଝୀ (୪୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ବାଇକ ଆରୋହୀ ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଳ ଗ୍ରାମର ରାଜକୁମାର ମେହେରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଟୋ ଡ୍ରାଇଭର ତେତେଲପଡା ଗ୍ରାମର ମଞ୍ଚନ ଭୋଇ ଅଟୋ ରଖି ନିକଟ ପାନ ଦୋକାନକୁ ଯାଇଥିବା ବେଳେ ଅଟୋରେ ତାଙ୍କ ଭିଣୋଇ ଦେବଦତ୍ତ ମାଝୀ ଥିଲେ। ସେ କୌଣସି ମତେ ଅଟୋରୁ ଡେଇଁ ପଡ଼ିଥିଲେ। ଫଳରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର୍ ହୋଇଯାଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିଛି। ଟ୍ରକ୍‌ଟି ଜୁନାଗଡ଼ର ହୋଇଥିବା ଜଣା ପଡିଛି । ଶବ ବ୍ୟବଚ୍ଛେଦ ହେଲା ପରେ ଜୁନାଗଡ଼ ପୁଲିସ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲା। ପରିବାର ଲୋକେ କ୍ଷତିପୂରଣ ଦାବିରେ ଜୁନାଗଡ଼ ଥାନା ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଥିଲେ। ଜିଲ୍ଲା ପ୍ରଶାସନ ର ଅଧିକାରୀ ଓ ପୋଲିସ ଆନ୍ଦୋଳନକାରୀ ମାନଙ୍କୁ ବୁଝାଇବାରେ ସକ୍ଷମ ହୋଇ ନ ପାରିବାରୁ ବିଳମ୍ୱିତ ରାତି ପର୍ୟ୍ୟନ୍ତ ରାସ୍ତାରୋକ ଚାଲିଥିଲା। ଜାତୀୟ ରାଜପଥ ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା।

ଜୁନାଗଡ଼ ରୁ ସୁଜିତ ସିଂହଲ ଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *