ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ମୂଳ ରୂପରେ ଫେରାଇ ଅଣାଯାଉ
ସୁବର୍ଣ୍ଣପୁର:ୟୁପିଏ ସରକାର ଦ୍ୱାରା 2005 ମସିହାରେ ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତ ଆଇନ (MGNREGA) ଏକ ଅଧିକାର-ଆଧାରିତ ଆଇନ। ଏହା ପ୍ରତିବର୍ଷ ୫-୬ କୋଟି ଗ୍ରାମୀଣ ପରିବାରକୁ ମଜୁରୀ ଭିତ୍ତିକ ରୋଜଗାର ଦାବି କରିବାର ଆଇନଗତ ଅଧିକାର ଦେଇଆସିଥିଲା। ଦାବି ପରେ ୧୫ ଦିନ ମଧ୍ୟରେ ଜୀବିକା ଯୋଗାଇବା ରାଜ୍ୟର ଆଇନଗତ କର୍ତ୍ତବ୍ୟ ଥିଲା; ତାହା ବିଫଳ ହେଲେ ବେରୋଜଗାର ଭତ୍ତା ଦେବାକୁ ପଡ଼ୁଥିଲା। ଏହି ଆଇନଗତ ଅଧିକାର ଥିଲା MGNREGAର ମୂଳ ପରିଚୟ। MGNREGA ଗ୍ରାମୀଣ ସୁରକ୍ଷାର ମୂଳ ଆଧାର ଭାବେ ଦୁଃଖଦ ଦାଦନ (ଡିଷ୍ଟ୍ରେସ ମାଇଗ୍ରେସନ) କମାଇଆସିଛି, ଗ୍ରାମୀଣ ମଜୁରୀ ବଢ଼ାଇଛି ଏବଂ ସାମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଆସିଥିଲା। ଏହାର ଚାହିଦା-ଭିତ୍ତିକ ରୂପରେଖ, ନିଶ୍ଚିତ ମଜୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା, ବିଶେଷକରି ମହିଳା, ଦଳିତ, ଆଦିବାସୀ ଓ ପ୍ରାନ୍ତବର୍ତ୍ତୀ ସମୁଦାୟଙ୍କୁ ଲାଭାନ୍ବିତ କରିଥିଲା। ସମୁଦାୟ କାର୍ଯ୍ୟଦିନର ପ୍ରାୟ ୬୦% ମହିଳାମାନଙ୍କର ରହିଆସିଥିଲା l ନୂତନ VB-G RAM-G ଯୋଜନା ଏହି ଆଇନରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ। ଏହା କାମର ଆଇନଗତ ନିଶ୍ଚିତତାକୁ ହଟାଏ। ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିକୁ କେନ୍ଦ୍ରୀଭୂତ କରେ, ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ ୯୦% ରୁ ୬୦% କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦିଦିଏ। କୃଷି ଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମଧନ୍ଦା ନ ମିଳିବାର ଆଶଂକା ସ୍ପଷ୍ଟ। ମଜୁରୀ ସୁରକ୍ଷାର ଶିଥିଳତା ଯୋଗୁଁ ରୋଜଗାର କମିବା ଥୟ। ମଜୁରୀ କମିଲେ ଗ୍ରାମୀଣ ଦୁଃଖ ବଢ଼ିବା ନିଶ୍ଚିତ। କାର୍ଯ୍ୟକ୍ରମରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ବାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି। ଗ୍ରାମ୍ୟ ସ୍ୱୟଂଶାସନ ପାଣିଚିଆ ହେବା ସହ MGNEGAର ମୂଲ୍ୟବୋଧକୁ ଶିଥିଳ କରିବାର ଏହା ଏକ ଷଡ୍ଯନ୍ତ୍ର। ଗ୍ରାମୀଣ ଜୀବିକା ଉପରେ ଏହି ଆକ୍ରମଣର ଗମ୍ଭୀରତାକୁ ଧ୍ୟାନରେ ରଖି, କଂଗ୍ରେସ ପକ୍ଷରୁ “MGNREGA ବଞ୍ଚାଅ ସଂଗ୍ରାମ” ନାମକ ଦେଶବ୍ୟାପୀ ଜନଆନ୍ଦୋଳନ ଆରମ୍ଭ ହୋଇଛି, ଯାହାର ଉଦ୍ଦେଶ୍ୟ କାମର ଅଧିକାରକୁ ସୁରକ୍ଷା କରିବା ଓ MGNREGAକୁ ତାହାର ମୂଳ ଅଧିକାର-ଆଧାରିତ ରୂପରେ ଫେରିପାଇବା।ଏହି ନୁଆ ଆଇନ କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି l ମେହନତି ଲୋକଙ୍କର ପେଟରେ ଲାତ l ଗରିବମାନଙ୍କର କାମ ମାଗିବାର ଅଧିକାରକୁ ଛଡ଼େଇ ନିଆଯାଇଛି l SC / ST / OBC ସମାଜର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ l ଏହି ନୂଆ ଆଇନ ସମ୍ପୂର୍ଣ୍ଣ ଭାବେ କୋଟି କୋଟି ଶ୍ରମିକ ଓ ଗରିବମାନଙ୍କ ଅଧିକାରକୁ ସମାପ୍ତ କରିବା ପାଇଁ ୮ଟି ଶତୃତାପୂର୍ଣ୍ଣ ଆକ୍ରମଣ କରୁଛି l ରୋଜଗାର ଦେବା ଦାୟିତ୍ୱରୁ କେନ୍ଦ୍ର ସରକାର ପଳାୟନ କରୁଛନ୍ତି ମନରେଗା ଆଇନରେ ଶ୍ରମିକ ମଜୁରୀର ସମ୍ପୂର୍ଣ୍ଣ ବଜେଟ୍ କେନ୍ଦ୍ର ସରକାର ଦେଉଥିଲେ l ନୂଆ ଆଇନରେ କେନ୍ଦ୍ର ସରକାର କେବଳ ୬୦% ବଜେଟ୍ ଦେବେ ଏବଂ ୪୦% ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ l ଜିଏସ୍ଟି ଓ କେନ୍ଦ୍ରୀୟ ସେସ୍ ମାଧ୍ୟମରେ ପ୍ରତିବର୍ଷ ୫ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପରେ ମଧ୍ୟ ରାଜ୍ୟମାନଙ୍କ ପାଖରେ ଟଙ୍କା ନାହିଁ। ରାଜ୍ୟ ଟଙ୍କା ଦେଇପାରିବେ ନାହିଁ, ଶ୍ରମିକମାନେ ରୋଜଗାର ପାଇବେ ନାହିଁ। ମୁଣ୍ଡ ବିନ୍ଧିଲେ ମୁଣ୍ଡ କାଟ ପରି ଅବସ୍ଥା ଶ୍ରମିକଙ୍କର କାମ ମାଗିବା ଅଧିକାର ଛଡ଼େଇନିଆଯାଉଛି l ମନରେଗା ଏକ ଦାବି-ଭିତ୍ତିକ ଆଇନ—ଶ୍ରମିକ କାମ ମାଗିଲେ କାମ ଦେବାକୁ ପଡ଼ିବ l ନୂଆ ଆଇନରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ କେଉଁ ରାଜ୍ୟରେ, କେଉଁ ଅଞ୍ଚଳରେ, କେତେ ଦିନ କାମ ଦିଆଯିବ। ସମସ୍ତ ଅଧିକାର କେନ୍ଦ୍ର ପାଖରେ ଶ୍ରମିକଙ୍କ ପାଖରେ ନୁହେଁ l କେନ୍ଦ୍ର ସରକାରଙ୍କ ଦୟାରେ ବଜେଟ୍ ହେବ; ମନରେଗାରେ ବଜେଟ୍ର କୌଣସି ସୀମା ନଥିଲା।ନୂଆ ଆଇନରେ କେନ୍ଦ୍ର ସରକାର ଯାହାକୁ ଚାହିଁବେ ଦେବେ, ଯାହାକୁ ଚାହିଁବେ ଦେବେନି—“ମନମୁଖୀ ବାଣ୍ଟ, ନିଜ ଲୋକଙ୍କୁ ଲାଭ” l ‘ମନରେଗାର ଗ୍ୟାରେଣ୍ଟି ’ ବନାମ ‘କେନ୍ଦ୍ର ପ୍ରାୟୋଜିତ ଯୋଜନା’ ମନରେଗା ୧୦୦ ଦିନର କାମର ଆଇନଗତ ଗ୍ୟାରେଣ୍ଟି, ଯାହା ସଂବିଧାନର ଧାରା 39(a) ଓ 41ର ପ୍ରତିଫଳନ। ନୂଆ ଆଇନରେ ଏହାକୁ କେବଳ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା କରାଯାଇଛି l ରୋଜଗାରର ଅଧିକାର ସମାପ୍ତ ଆପଣଙ୍କୁ ଅନୁରୋଧ କରୁ କି, ଆପଣ ଉପରୋକ୍ତ ସମସ୍ତ ଦିଗକୁ ଅନୁଧ୍ୟାନ କରି ଆମ ଦଳର ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ବିଷୟରେ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ରକୁ ଜଣାନ୍ତୁ ଓ ତୁରନ୍ତ ଉକ୍ତ ଐତିହାସିକ ଆଇନର ପୁନଃସ୍ଥାପନ କରିବାରେ ସରକାର ଯେପରି ପଦକ୍ଷେପ ନିଅନ୍ତି, ସେ ଦିଗରେ ପ୍ରଚେଷ୍ଟା କରନ୍ତୁ ବୋଲି ଜିଲ୍ଲାପାଳ ଙ୍କ ନିକଟରେ ଜଣାଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
