July 1, 2025
Home » ମହାପ୍ରଭୁଙ୍କ ଘୋଷଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ମହାପ୍ରଭୁଙ୍କ ଘୋଷଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

0
vlcsnap-2025-06-15-14h48m24s208

ମହାପ୍ରଭୁଙ୍କ ଘୋଷଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ମହାପ୍ରଭୁଙ୍କ ନୀତି କାନ୍ତି ସହିତ ପହଣ୍ଡି ବିଜେ ନୀତି ଶୃଙ୍ଖଳିତ ଭାବେ ହେବା ପାଇଁ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ସ୍ବତନ୍ତ୍ର ବୈଠକରେ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ, ଚାରି ବାଡ଼ଗ୍ରାହୀଙ୍କ ସମେତ ଯୁବ ଓ ବରିଷ୍ଠ ଦଇତାପତି ମାନେ ଯୋଗ ଦେଇଥିଲେ। ସେପଟେ ବୈଠକ ଶେଷ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଚଳିତ ବର୍ଷ ରଥଯାତ୍ରାରେ ଶୃଙ୍ଖଳିତ ନୀତି କାନ୍ତି ସହିତ ଶୃଙ୍ଖଳିତ ପହଣ୍ଡି ନୀତି କିଭଳି ହୋଇପାରିବ ସେନେଇ ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି। ପୂର୍ବବର୍ଷ ଆଡ଼ପ ପହଣ୍ଡି ବିଜେ ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ରଥରେ ଯେଉଁ ଅଘଟଣ ଘଟିଥିଲା ତାହାର ଯେପରି ପୁନରାବୃତ୍ତି ନଘଟେ ସେନେଇ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବୈଠକରେ କୁହାଯାଇଛି। ସେହିପରି ଚଳିତ ବର୍ଷ ଠାକୁରଙ୍କର ନବଯୌବନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ପଡ଼ିଥିବାରୁ ଶୃଙ୍ଖଳିତ ନୀତି କାନ୍ତି ଏବଂ ଦର୍ଶନ ପାଇଁ ମଧ୍ୟ ଆଲୋଚନା ହୋଇଛି। ସେହିପରି ସ୍ନାନ ମଣ୍ଡପରେ କେତେକ ଅନଧିକୃତ ବ୍ୟକ୍ତି ପ୍ରବେଶ କରିଥିବା ଅଭିଯୋଗ ଆସିଥିବା ବେଳେ ଭିଡିଓ ଫୁଟେଜକୁ ତନଖି କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ରଥ ଉପରେ ଅଣ ସେବାୟତ ଚଢିବା, ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ରଥ ଉପରେ ଅଣ ସେବାୟତ ଧରାପଡିଲେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ। ରଥଯାତ୍ରା ପରଦିନ ଠାରୁ ନିଳାଦ୍ରୀ ବିଜେର ପୂର୍ବଦିନ ପର୍ଯ୍ୟନ୍ତ ଯେଉଁ ସମୟ ରହିଛି ସେହି ସମୟ ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେବାକୁ ଏଏସଆଇକୁ କୁହାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ସହିତ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଆଗାମୀ ଦିନରେ ଆଲୋକୀକରଣ କରିବା ନିମନ୍ତେ ଏଏସଆଇ ସହିତ ଆଲୋଚନା ହୋଇଛି। ଗୁଣ୍ଡିଚା ମନ୍ଦିରର ବାହାର ପଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ଦୁଇଟି ସୂଚନା କେନ୍ଦ୍ର ସହିତ ଏକ ଏଲଇଡି ବୋର୍ଡରେ ସୂଚନା ପ୍ରଦାନ ନେଇ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉତ୍ତର ଦ୍ବାର ଠାରେ ରାମ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିଳାଦ୍ରୀ ବିଜେ ପରେ ବିଭିନ୍ନ ସେବାୟତ ନିଯୋଗ ସହିତ ଆଲୋଚନା କରାଯାଇ ଏହାର ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *