March 10, 2026
Home » ମହିଳା ମହାସଂଘର ନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ମହିଳା ମହାସଂଘର ନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

0
WhatsApp Image 2026-03-08 at 11.02.40 PM

 

ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀର ଦ୍ଵିତୀୟ ଦିବସ

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମିଶନ ଶକ୍ତି ବିଭାଗ ପକ୍ଷରୁ କୋଣାର୍କ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀର ଦ୍ୱିତୀୟ ଦିବସରେ ଓଡ଼ିଶାର ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ମହିଳା ମାନଙ୍କୁ ପ୍ରେରଣା ଦେଇଥିଲେ ।କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସମ୍ବୋଧନ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ମହିଳା କେବଳ ଘରେ ସୀମିତ ନୁହେଁ; ସେ ସମାଜ ଓ ଅର୍ଥନୀତିର ପରିବର୍ତ୍ତନର ଶକ୍ତି। ମିଶନ ଶକ୍ତି ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ଆତ୍ମନିର୍ଭର ହୋଇ ନୂଆ ଇତିହାସ ଗଢ଼ୁଛନ୍ତି। ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ମହିଳା ନେତୃତ୍ୱକୁ ଆହୁରି ସୁଦୃଢ଼ କରିବ ଯାହା ଦ୍ୱାରା ସେମାନେ ଏସ୍‌.ଏଚ୍‌.ଜି.ରୁ ଏସ୍‌.ଏମ୍‌.ଇ.ରେ ପରିଣତ ହୋଇ ସମାଜ ଓ ଗ୍ରାମୀଣ ଅର୍ଥନୀତିର ଉନ୍ନତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ।

ମହିଳାମାନଙ୍କ ନେତୃତ୍ୱ ଓ ସହଭାଗିତା ବୃଦ୍ଧି ହେଲେ ରାଜ୍ୟର ଉନ୍ନତି ଆହୁରି ଦୃତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ଏଥି ସହିତ ଆଗାମୀ ଦିନରେ ଅଧିକରୁ ଅଧିକ ଲକ୍ଷପତି ଓ ମହା ଲକ୍ଷପତି ଦିଦି ସୃଷ୍ଟି ହୋଇ, ନୂତନ ଉଦ୍ୟୋଗ ଆରମ୍ଭ କରି ଆର୍ଥିକ ରୂପେ ସ୍ୱାବଲମ୍ବୀ ହେବେ ବୋଲି ଶ୍ରୀମତୀ ପରିଡା ଦୃଢୋକ୍ତି ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ବରଗଡ଼, ରାୟଗଡ଼ା, ସମ୍ବଲପୁର ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ମହାସଂଘର ୯୦ ଜଣ ସଭାପତି ଓ ସମ୍ପାଦିକା ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ସେମାନଙ୍କୁ ନେତୃତ୍ୱ, ଦକ୍ଷତା ବିକାଶ, ଷ୍ଟାର୍ଟ-ଅପ୍ ସୁଯୋଗ ଏବଂ ଆର୍ଥିକ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।

 

ସମ୍ମିଳନୀରେ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମିଶନ ଶକ୍ତି ବିଭାଗର ଏହି ପ୍ରୟାସ ମହିଳାମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ ବିକାଶ କରିବା ସହିତ ସେମାନଙ୍କୁ ଆତ୍ମବିଶ୍ୱାସୀ, ସଶକ୍ତ ଓ ସାମାଜିକ ପରିବର୍ତ୍ତନର ପ୍ରେରକ ଭାବେ ଗଢ଼ି ତୋଳିବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *