ମାଛ ଓ ଚିଙ୍ଗୁଡ଼ି ଚାଷରେ ସ୍ବାବଲମ୍ବୀ ତଥା ସଫଳ ଉଦ୍ୟୋଗୀ ହେବାପାଇଁ ପରାମର୍ଶ

ମାଛ ଓ ଚିଙ୍ଗୁଡ଼ି ଚାଷରେ ସ୍ମାର୍ଟ୍ ହେବା ସମୟ ଆସିଯାଇଛି । ମାଛ ଓ ଚିଙ୍ଗୁଡ଼ି ଚାଷ କରି ସ୍ବାବଲମ୍ବୀ ହୋଇପାରିବେ ଏଵଂ ଜଣେ ଜଣେ ସଫଳ ଉଦ୍ୟୋଗୀ ହେବାପାଇଁ ମେଗା କର୍ମଶାଳାରେ ପରାମର୍ଶ ଦିଆଯାଇଛି ।
ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ଠାରେ ଅବସ୍ଥାପିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ସ୍ମାର୍ଟ୍ ଜଳକୃଷି ସମ୍ବନ୍ଧରେ ଗତ ୭ ଓ ୮ ତାରିଖ ଦୁଇ ଦିନିଆ କର୍ମଶାଳା ଜାତୀୟ କୃଷି ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ସୌଜନ୍ୟରେ ଆୟୋଜିତ ହୋଇଥିଲା ।
କେନ୍ଦ୍ରୀୟ କ୍ଷାର ଜଳ ମତ୍ସ୍ୟପାଳନ ଅନୁସନ୍ଧାନ ସଂସ୍ଥା (ଚେନ୍ନାଇ) ର ପ୍ରମୁଖ ବୈଜ୍ଞାନିକ ଡ଼ଃ. ଅକ୍ଷୟ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ତଥା ଏହି ବୈଷୟିକ ଆଲୋଚନା ର ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସ୍ମାର୍ଟ୍ ଜଳ କୃଷିର ବିଭିନ୍ନ ବିଭାଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟବକ୍ତା ଭାବେ ମତ୍ସ୍ୟ-ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ ପ୍ରଫେସର୍ ସୌମେନ୍ଦ୍ର ନନ୍ଦ ସ୍ମାର୍ଟ୍ ଜଳ କୃଷିର ବିଭାଗୀକରଣ ଯଥା ବାଇଓ ଫ୍ଲକ୍, ରିସର୍କୁଲାର ଅକ୍ୱା କଲଚର୍ ସିଷ୍ଟମ୍, ପ୍ରେଶିସନ୍ ଚାଷ, ଆଇ.ଓ.ଟି.ଓ.ଏ.ଆଇ.ର ଉପଯୋଗରେ ମାଛ ଓ ଚିଙ୍ଗୁଡ଼ି ଚାଷରେ କମ୍ ଶ୍ରମରେ ଅଳ୍ପ ସ୍ଥାନରୁ କମ୍ ଜଳ ବ୍ୟବହାର କରି କିପରି ଅଧିକ ମାଛ ଓ ଚିଙ୍ଗୁଡ଼ି ଚାଷ କରିହେବ ତାହା ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ କହିଥିଲେ ।
ରାଜ୍ଯ ସରକାରଙ୍କ ମତ୍ସ୍ୟ ବିଭାଗୀୟ ଉପନିର୍ଦ୍ଦେଶକ ଶ୍ରୀ କୁଅଁର ମାରଣ୍ଡି ସମ୍ମାନୀତ ଅତିଥି ଭାବେ ଯୋଗଦେଇ କ୍ଷାର ଜଳରେ ବର୍ତ୍ତମାନ ଓ ଭବିଷ୍ୟତରେ ଚିଙ୍ଗୁଡ଼ି ଚାଷର ଉତ୍ପାଦନ ବିଷୟରେ ଏକ ସନ୍ଦର୍ଭ ଉପସ୍ଥାପନା କରିଥିଲେ । ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟର ଡ଼ଃ. ଅରବିନ୍ଦ ଉପାଧ୍ୟାୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପେରି ଫାଇଟନ୍ ର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ ।
ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବା ବେଳେ ଡ଼ଃ. ସୁଶାନ୍ତ କୁମାର ପାତ୍ର ଏହି କାର୍ମଶାଳାରେ ସଂଯୋଜନା କରିଥିଲେ ।
ଏହି ମେଗା କର୍ମଶାଳାରେ ସର୍ବୋପରି ଗୋପାଳପୁର କେ.କେ.ଆର୍. ହ୍ୟାଚେରୀ ପ୍ରତିଷ୍ଠାନର କାମେଶ୍ୱର୍ ରାଓ, ହୁମ୍ମା ଶ୍ରୀ କନକ ମତ୍ସ୍ୟ ହ୍ୟାଚେରୀ ପ୍ରତିଷ୍ଠାନର ବିଜୟ କୁମାର ସାହୁ, ଅକ୍ୱାଟିକସ ଫାର୍ମ ର ତେଜସ ପ୍ରଧାନ ପ୍ରମୁଖ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମତ୍ସ୍ୟ ଚାଷର ବିଶେଷତ୍ବ ଉପରେ ଆଲୋକପାତ କରିଥିଲେ ।
ଡ଼ଃ. ଧରିତ୍ରୀ ଚୌଧୁରୀ ଏବଂ ସୁଶ୍ରୀ ଅଭିନନ୍ଦା ଜେନା ଏହି ଦୁଇଦିନିଆ କର୍ମଶାଳା କୁ ପରିଚାଳିତ କରିଥିଲେ ।
ଏହି କର୍ମଶାଳାରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା, ପ୍ରଫେସର୍, ପ୍ରମୁଖ ମତ୍ସ୍ୟ ବିଜ୍ଞାନୀ ,ପ୍ରମୁଖ ମତ୍ସ୍ୟ ପ୍ରଜନନ ସଂସ୍ଥାର ଉଦ୍ୟୋଗୀ ତଥା ମତ୍ସ୍ୟଚାଷୀ ଗଣ ଯୋଗଦେଇ ଏହି କର୍ମଶାଳାରେ ଆଗାମୀ ପୀଢ଼ି ଙ୍କୁ ସ୍ମାର୍ଟ୍ ଜଳକୃଷି ସମ୍ବନ୍ଧରେ ଆଲୋକପାତ କରି ମାଛ ଓ ଚିଙ୍ଗୁଡ଼ି ଚାଷ ଏକ ଲାଭଦାୟକ ବ୍ୟବସାୟ ଯାହା ମାଛ ଓ ଚିଙ୍ଗୁଡ଼ି ଚାଷରେ ସ୍ବାବଲମ୍ବୀ ତଥା ସଫଳ ଉଦ୍ୟୋଗୀ ହେବାପାଇଁ ପରାମର୍ଶ ଦେଇଥିଲେ । ମାଛ ଓ ଚିଙ୍ଗୁଡ଼ି ଚାଷରେ ସ୍ମାର୍ଟ୍ ହେବା ସମୟ ଆସିଯାଇଛି ବୋଲି ଅଭିଜ୍ଞ ବକ୍ତାମାନେ ମତପ୍ରକାଶ କରିଛନ୍ତି ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )