ମାଟିର କବି ଚିନ୍ତାମଣି ବେହେରାଙ୍କ ୯୯ ତମ ଜୟନ୍ତୀ ପାଳିତ
ଉଦଳା: କବି ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଉଦଳା ତରଫରୁ ଆଧୁନିକ ଓଡିଆ ଭାଷା ସାହିତ୍ୟର ଏକ ନିଷ୍ଠ କାବ୍ୟଶିଳ୍ପୀ, ଧୂରିଣ ସମାଲୋଚକ ପ୍ରବିଣ ଅନୁସ୍ରଷ୍ଟା, ସୁଯୋଗ୍ୟ ସଂକଳକ, ସୁସମ୍ପାଦକ, ଲୋକପ୍ରିୟ ଶିଶୁ ସାହିତ୍ୟିକ ତଥା ପ୍ରାକ୍ତନ ପ୍ରାଧ୍ୟାପକ କବି ଚିନ୍ତାମଣି ବେହେରାଙ୍କ ୯୯ ତମ ଜନ୍ମ ଜୟନ୍ତୀ ଉଦଳାସ୍ଥ ସନ୍ଧାନ ଗୃହ କକ୍ଷରେ ପାଳିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ସାରସ୍ୱତ ସାଧକ ରବିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଡ. ଦିଲ୍ଲୀପ କୁମାର ଦିକ୍ଷୀତ ମୁଖ୍ୟ ଅତିଥି ଉଦଘାଟକ ଭାବେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ମୁଖ୍ୟବକ୍ତା ଡ. ଶ୍ୟାମସୁନ୍ଦର ପଣ୍ଡା, ବରେଣ୍ୟ ଅତିଥି ପଣ୍ଡିତ ଲକ୍ଷ୍ମୀଧର ପୁଥାଳ, ସମ୍ମାନିତ ବକ୍ତା ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ, ସମ୍ମାନିତ ଅତିଥି କିଶୋର ଚନ୍ଦ୍ର ଦାସବାବୁ, ଆଲୋଚକ ଭୋଳାନାଥ ସାହୁ, ସଙ୍ଗଠନର ସମ୍ପାଦକ ପ୍ରଫୁଲ୍ଲ ଖିଲାର ମଞ୍ଚାସୀନ ହୋଇ ମାଟିର କବି ଚିନ୍ତାମଣି ବେହେରାଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିବା ସହ ଅନୁଷ୍ଠାନର ସ୍ରଷ୍ଟା ୰ ପ୍ରଶାନ୍ତ କୁମାର ବେହେରାଙ୍କ ସ୍ମୃତିଚାରଣ କରୀଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାକ୍ତନ ସଂସ୍କୃତ ଶିକ୍ଷକ ବେଦ ପାଠ ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୋତାମଣ୍ଡଳୀ ମଧ୍ୟରୁ କବିଙ୍କ ପୌତ୍ର ରତିକାନ୍ତ ବେହେରା ଜେଜେଙ୍କ ସହିତ ଥିବା କିଛି ସ୍ମୃତିର ଝଲକ ପ୍ରଦାନ କରିଥିଲେ ଓ ଶିଶୁ ସାହିତ୍ୟିକ ଶ୍ରୀକାନ୍ତ ବେହେରା, ସାମ୍ବାଦିକ ସୁବ୍ରତ ମହାନ୍ତି, କୃଷି ବୈଜ୍ଞାନିକ ପରେଶ ପାତ୍ର ପ୍ରମୁଖ ନିଜର ଅନୁଭୂତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ ଭୋଳାନାଥ ସାହୁଙ୍କୁ ସାହିତ୍ୟ କ୍ଷେତ୍ରରେ ସମାଜସେବା ଓ ନିଶା ନିବାରଣ ପାଇଁ ସୁନା ହାଁସଦାଙ୍କୁ ମାନପତ୍ର ତଥା ଉତ୍ତରୀୟ ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନ୍ୟ ଯେଉଁମାନେ ଥିଲେ, ସେମାନେ ମନୋଋଞ୍ଜନ ମଲ୍ଲିକ, ସନାତନ ରାଉତ, ଆଶୁକବି ଯୋଗେନ୍ଦ୍ର ପଣ୍ଡା, ସାମ୍ବାଦିକ ଆଶିଷ କୁମାର ମଲ୍ଲିକ, ମିନତୀ ପରିଡା, କାଶୀନାଥ ଦାସ, ନମିତା ରାଉତ, ରୁକ୍ମଣୀ ସାହୁ, ଅବନ୍ତୀ ବେହେରା ଓ ନୟନା ବେହେରା ଆଦି ପ୍ରମୁଖ ଥିଲେ । କାର୍ଯ୍ୟକ୍ରମ ଶେଷରେ ରଜତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦଳା ଇପିଏ ରୁ ସର୍ବେଶ୍ୱର ମହାପାତ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
