ମାୟାବର୍ହା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପାଇଲେ ଡକ୍ତରେଟ ଉପାଧି, ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ଅବସ୍ଥାପିତ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଡକ୍ଟରେଟ ଲାଭ କରିଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ବୃନ୍ଦ ସମ୍ବର୍ଦ୍ଧନା ଦେଇଛନ୍ତି। ଶ୍ରୀ ପଶାୟତ ମାୟାବର୍ହା ହାଇସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇବା ସହିତ ବିନିକା ବ୍ଲକ ଆଞ୍ଚଳିକ ହାଇସ୍କୁଲ, ସିଂହିଯୁବାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱ ନିର୍ବାହ କରୁଛନ୍ତି। ଶିକ୍ଷକତା ବୃତ୍ତିକୁ ସୁଚାରୁରୂପେ ସମ୍ପାଦନ କରିବା ସହିତ ଭାରତୀୟ ରେଡକ୍ରସର ଆଜୀବନ ସଦସ୍ୟ, ସେଣ୍ଟ ଜନ ଆମ୍ବୁଲାନ୍ସର ପ୍ରାଥମିକ ଚିକିତ୍ସା ଅଧ୍ୟାପକ, ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ଭାବେ ଦାୟିତ୍ଵ ନିର୍ବାହ କରି ଉତ୍କୃଷ୍ଟ ସେବା ପ୍ରଦାନ କରିଥିବା ଯୋଗୁଁ ମହାମହିମ ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ରେଡ଼କ୍ରସ କର୍ମୀ ଭାବରେ ତଥା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଦର୍ଶ ଶିକ୍ଷକ ଭାବରେ ପୂର୍ବରୁ ପୁରସ୍କୃତ ହୋଇସାରିଛନ୍ତି। ପୁରୀ ସହରର ଟାଉନ ହଲ ଠାରେ ବର୍ଣ୍ଣl ଢ୍ୟ କାର୍ଯ୍ୟକ୍ରମରେ ୱାର୍ଲ୍ଡ ଚାରିଟେବଲ୍ ଟ୍ରଷ୍ଟ ଓ ଆମେରିକାନ ମେରିଟ କାଉନସିଲ ତରଫରୁ ଶ୍ରୀପଶାୟତଙ୍କୁ ଉପଲବ୍ଧି ଓ ସାହିତ୍ୟରେ ମାନବୀୟ ମୁଲ୍ୟବୋଧର ଗତିଶୀଳତା ସନ୍ଦର୍ଭ ପ୍ରସ୍ତୁତି ନିମନ୍ତେ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି। ଉତ୍ସବରେ ନୂଆଦିଲ୍ଲୀ ସ୍ଥିତ ଚେରିଟି ୱେଲଫାୟାର ତରଫରୁ ଆଲିଗଡ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଜାକିର ହୁସେନ, ଭୁବନେଶ୍ବର ଜେପି କରାଉନ୍ସର ସିଇଓ ତଥା କି ନୋଟ୍ ସ୍ପିକର ମିସ ଡ.ଜ୍ୟୋତିର୍ମୟୀ ପଣ୍ଡା ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଉପସ୍ଥିତ ରହି ଶ୍ରୀପଶାୟତଙ୍କୁ ଡକ୍ଟରେଟ ଡିଗ୍ରୀ ସାର୍ଟିଫିକେଟ, ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉପଲବଧିକୁ ଦୃଷ୍ଟିରେ ରଖି ମାୟାବର୍ହା ହାଇସ୍କୁଲ ତରଫରୁ ଶ୍ରୀ ପଶାୟତଙ୍କୁ ପ୍ରାକ୍ତନ ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନରେନ୍ଦ୍ର ସାହୁ, ନନ୍ଦୀ ଘୋଷ ବାରିକ, ସଞ୍ଜୀବ ପୂଜାରୀ, ସ୍ନିଗ୍ଧା ପ୍ରଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ, ସମୀର କଠାର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ଆଲୁମିନି କିରଣ କୁମାର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର