February 19, 2026
Home » ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ–୨୦୨୬ ପାଳନ ନେଇ ପ୍ରସ୍ତୁତି ବୈଠକ

ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ–୨୦୨୬ ପାଳନ ନେଇ ପ୍ରସ୍ତୁତି ବୈଠକ

0
WhatsApp Image 2026-02-19 at 4.23.27 PM

ଛତ୍ରପୁର: ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ବହୁ ପ୍ରତିକ୍ଷିତ ଚୈତ୍ର ପର୍ବ ଆରମ୍ଭ ହେବାକୁ ଯାଉଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଓ୍ବି କୀର୍ତ୍ତି ଓ୍ବାସନଙ୍କ ଅଧ୍ୟକ୍ଷତାରେ ଚୈତ୍ର ପର୍ବ ସଫଳତାର ସହ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମାର୍ଚ୍ଚ ମାସର ୪ ଟି ମଙ୍ଗଳବାର ଯଥା ୧୦, ୧୭, ୨୪ ଏବଂ ୩୧ ତାରିଖ ଦିନ ଏହି ପର୍ବ ମହାଆଡମ୍ବରରେ ଅନୁଷ୍ଠିତ ହେବ । କ୍ରମଶଃ ମାଙ୍କ ପୀଠକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାକୁ ଲାଗିଛି । ତେଣୁ, ଚଳିତ ବର୍ଷ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବିଗତ ବର୍ଷ ତୁଳନାରେ ଅଧିକ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁ ତଥା ମାନସିକଧାରୀଙ୍କ ସମାଗମ ହେବାର ସମ୍ଭାବନା ରହିଛି ଏହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗୀୟ ଅଧିକାରୀମାନେ ପ୍ରାକ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଜ଼ିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।ଭକ୍ତମାନଙ୍କ ଯାତାୟତ ପାଇଁ ଅଧିକ ବସର ବ୍ୟବସ୍ଥା, ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ, ଅନ୍ନ ପ୍ରସାଦ, ମୁଣ୍ଡନ ସକାଶେ ଉପଯୁକ୍ତ ସ୍ଥାନ ନିରୂପଣ, ସାଜସଜ୍ଜା ଓ ଆଲୋକୀକରଣ, ତୋରଣ ନିର୍ମାଣ, ଦୈନିକ ପୂଜାବିଧି, ଚଣ୍ଡୀ ଯଂଜ୍ଞ, ଆଇନ ଶୃଙ୍ଖଳା ପରିସ୍ଥିତି, ଦୀପ ଲଗାଇବା ସ୍ଥାନ, ଟ୍ରାଫିକ ନିୟନ୍ତ୍ରଣ, ଭ୍ରାମ୍ୟମାଣ ଶୌଚାଳୟ, ପରିମଳ, ଅଗ୍ନିଶମ ନିର୍ବାପକ, ପ୍ରାଥମିକ ଚିକିତ୍ସା ସମେତ ଅଂଶୁଘାତ ଚିକିତ୍ସା ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଦାନ, ରାସ୍ତା ମରାମତି, ଅସ୍ଥାୟୀ ସୂଚନା କେନ୍ଦ୍ର, ଭଜନ ସମାରୋହ, ରୋପୱେ ଯାତ୍ରୀ ପରିବହନ ବ୍ୟବସ୍ଥା ଆଦି ସମସ୍ତ ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ବିଗତ ବର୍ଷ ମାନଙ୍କରେ ଯେଉଁ ସବୁ ଅସୁବିଧା ପରିଲିକ୍ଷିତ ହୋଇଥିଲା ତାହା ଯେପରି ଏ ବର୍ଷ ପୁନରାବୃତ୍ତି ହେବ ନାହିଁ ସେଥିନିମନ୍ତେ ବିଶେଷ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।ବିଗତ ବର୍ଷ ଭଳି ଚାରୋଟି ସ୍ଥାନରେ ମୁଣ୍ଡନ କରାଯିବ । ସେଠି ଭକ୍ତମାନଙ୍କ ପାଇଁ ଆଲୋକୀକରଣ ଓ ସୁରକ୍ଷାବ୍ୟବସ୍ଥା କରାଯିବ। ନଦୀ କୂଳରେ ଭକ୍ତଗଣ ଯେପରି ସୁବିଧାରେ ସ୍ନାନ କରିବା ସହିତ ଜଳ ଉଠାଇ ପାରିବେ ସେଥିପାଇଁ ଆବଶ୍ୟକୀୟ ଆଲୋକୀକରଣ ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରାଯିବ । ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତାୟତ ନିମନ୍ତେ ବିଗତ ବର୍ଷ ଠାରୁ ଅଧିକ ସଂଖ୍ୟକ ବସ ନିୟୋଜିତ କରାଯିବ । ମନ୍ଦିର ଉପରକୁ ଯିବାପାଇଁ ବର୍ତ୍ତମାନ ବସ ଟିକଟ ୪୦ ଟଙ୍କା ରହିଛି ତାସହିତ ରୋପୱେ ଟିକଟ ୬୦ ଟଙ୍କା ରହିଛି ଚୈତ୍ର ପର୍ବ ସମୟରେ ମଧ୍ୟ ଏହି ମୂଲ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ ।ଜିଲ୍ଲାର ମାନ୍ୟବର ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ନିଆଯିବ ବୋଲି ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି ।ଆରକ୍ଷୀ ଅଧିକ୍ଷକ, ଗଂଜାମ ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପଜ଼ିଲ୍ଲାପାଳ ଶୁଭାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବିଡ଼ିଓ ପୁରୁଷୋତ୍ତମପୁର ଶରତ କୁମାର ପତ୍ର , ଟ୍ରଷ୍ଟର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ପଣ୍ଡା,ବରିଷ୍ଠ ସେବାୟତ ବାପୁଜୀ ରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ସେବାୟତ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *