March 14, 2026
Home » ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ୨୦୨୬ ପାଳନ ସକାଶେ ମନ୍ଦିର ପ୍ରାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ

ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ୨୦୨୬ ପାଳନ ସକାଶେ ମନ୍ଦିର ପ୍ରାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ

0
WhatsApp Image 2026-03-14 at 1.27.25 PM

 

ପ୍ରତିବର୍ଷ ଭଳି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ଚଳିତ ବର୍ଷ ୨୦୨୬ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଶୁକ୍ରବାର ସକାଳେ ମା’ ମଝିଘରିଆଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଚଳିତ ବର୍ଷ ତା.୨୯.୦୩.୨୦୨୬ ଠାରୁ ୦୨.୦୪.୨୦୨୬ ରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ରାୟଗଡ଼ ଅଧିଷ୍ଠାତ୍ରୀଦେବୀ ଶ୍ରୀ ଶ୍ରୀ ମଝିଘରିଆଣୀ ମା’ଙ୍କର ଚୈତ୍ରପର୍ବ ଓ ଝାମୁଯାତ୍ରା ସମସ୍ତ ପାରମ୍ପରିକ ପୂଜାବିଧି ସହ ମା’ଙ୍କ ଘଟପୂଜା ଓ ଯଜ୍ଞପୂଜା ହେବ । ମଣ୍ଡଳ ବିନ୍ୟାସ ତା:୨୮୦୩-୨୦୨୬ ରିଖରେ ହେବା ପରେ ଶନିବାର ଦିବା ଘ. ୧୧.୩୦ମି. ରେ ଦୀକ୍ଷାଗ୍ରହଣ ଓ ସନ୍ଧ୍ୟା ଘ.୦୫.୧୫ ମି.ରେ ଝଞ୍ଜାଜାବତୀ ନଦୀରୁ ଜଳଯାତ୍ରା କରାଯାଇ ଘ.୦୬.୨୦ମି.ରେ ଆଙ୍କୁଲାରୋପଣ ଆରମ୍ଭ ହେବ ।

ରବିବାର ଦିବା ଘ.୦୮.୪୦ମି ସମୟରେ ମାଆଙ୍କ କର୍ମାରମ୍ଭ, ସୂର୍ଯ୍ୟପୂଜା, ଶାଳାପୂଜା, ଚଣ୍ଡିପାଠ, ମୁଖ୍ୟଦେବୀଙ୍କ ମହାସ୍ନାନ ପୂର୍ବକ ଷୋଡ଼ଶ ଉପଚାର ପୂଜା, ଆରତୀ ପୁଷ୍ପାଞ୍ଜଳି ସରିବା ପରେ ଅପରାହ୍ନ ୪-୨୦ ମି.ରେ କୁଣ୍ଡାଗ୍ନି ସଂସ୍କାର, ଚଣ୍ଡୀହୋମ, ତର୍ପଣ ଆରତୀ ଓ ପୁଷ୍ପାଞ୍ଜଳି ହେବ। ଉକ୍ତ ପାଞ୍ଚଦିନ ପଣ୍ଡିତମାନଙ୍କ ଦ୍ଵାରା ସମସ୍ତ ପ୍ରକାର ରୀତିନୀତି ଅନୁସାରେ ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ଘ.୦୮.୪୦ ମି. ଠାରୁ ସୂର୍ଯ୍ୟପୂଜା, ଶାଳା ପୂଜା, ଚଣ୍ଡୀପାଠ, ମୁଖ୍ୟ ଦେବୀଙ୍କ ମହାସ୍ନାନ ପୂର୍ବକ ଷୋଡ଼ଶ ଉପଚାର ପୂଜା, ଆରତୀ, ପୁଷ୍ପାଞ୍ଜଳି ହେବା। ଅପରାହ୍ନ ୪.୩୦ ମି ଠାରୁ ଚଣ୍ଡୀହୋମ ତର୍ପଣ, ଆରତୀ, ପୁଷ୍ପାଞ୍ଜଳି ହେବା ପରେ ରାତ୍ର ଘ- ୮.୨୫ ମି ରେ ପୂର୍ଣ୍ଣାହୁତି ହେବ। ରବିବାର ସନ୍ଧ୍ୟା ୬.୪୮ ରୁ ରାତ୍ର ୯-୧୭ ମଧ୍ୟରେ ମାଙ୍କ ପାଦ ଉଠାଣି ଏବଂ ଘଟ ସ୍ଥାପନ ପୂଜା ହେବ । ମା’ଙ୍କ ଘଟ ଉକ୍ତ ପାଞ୍ଚ ଦିନ ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟା ୫ ଘଟିକା ଠାରୁ ରାତ୍ର ୯-୪୫ ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା କରିବ । ଅନ୍ତିମ ଦିବସ ତା:୦୨-୦୪-୨୦୨୬ ଗୁରୁବାର ଅପରାହ୍ନ ୩.୨୭ ଠାରୁ ସନ୍ଧ୍ୟା ୭.୨୫ ମଧ୍ୟରେ ମାଙ୍କ ଝାମୁଯାତ୍ରା ପାଇଁ ଅଗ୍ନି ସଂଯୋଗ ପରେ ରାତ୍ର ୮.୩୦ ରୁ ରାତ୍ର ୧୦.୫୫ ମଧ୍ୟରେ ପୂଜକ କଣ୍ଟା ଦୋଳିରେ ଝୁଲଣ ଏବଂ ଅଗ୍ନିରେ ଚାଲିଵେ । ତାପରେ ପୂର୍ଣ୍ଣାହୁତି ସହ ଚରୁ ବିତରଣ କରାଯିବ ।

ଉକ୍ତ ପାଞ୍ଚଦିନ ମାଁ ସୁନାବେଶରେ‌ ଭକ୍ତ ମାନଙ୍କୁ ଦର୍ଶନ ଦେବେ ।‌ ଏଥି ସହ ଉତ୍ସବକୁ ଧୁମଧାମରେ ପାଳନ କରିବାକୁ ନିଷ୍ପତି ହୋଇଛି । ମାଆଙ୍କ ଦର୍ଶନ ସକାଶେ ଓଡ଼ିଶା ତଥା ଆଖପାଖ ରାଜ୍ୟ ଅନ୍ଧ୍ରପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରୁ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହ ଦର୍ଶନ ମା’ଙ୍କ ଆଶୀର୍ବାଦ ଓ କୃପାଲାଭ ଗ୍ରହଣ କରିବେ । ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ପୋଲିସ ମୁତୟନ କରାଯିବ। ଏଥିସହ ଆସନ୍ତା ମାସ ଏପ୍ରିଲରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସକାଶେ ଦୈନନ୍ଦିନ ଭକ୍ତ ପ୍ରସାଦ ସେବନ/ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା,ରହିବା ପାଇଁ ଆଶ୍ରୟସ୍ଥଳୀ ,ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଇତ୍ୟାଦିର ସୁବିଧା କରାଯିବ ବୋଲି ପରିଚାଳନା କମିଟିର ଅଧ୍ୟକ୍ଷ ରାୟସିଙ୍ଗ ବିଡିକା କହିଛନ୍ତି ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *