ମିଳିତ ନାଗରିକ କମିଟି, କନ୍ଧମାଳ ପକ୍ଷରୁ ରାଜ୍ୟ ବାଣିଜ୍ୟ ଓ ସଡକ ପରିବହନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
କନ୍ଧମାଳ ଜିଲ୍ଲାର ଆଞ୍ଚଳିକ ସଡକ ପରିବହନ ବିଭାଗର ଉନ୍ନତି କରଣ ଓ ବିଭାଗର ପୁନର୍ଉଦ୍ଧାର ସମ୍ପର୍କରେ ମିଳିତ ନାଗରିକ କମିଟି ପକ୍ଷରୁ ଏକ ଦାବୀପତ୍ର ରାଜ୍ୟ ବାଣିଜ୍ୟ ଓ ସଡକ ପରିବହନ ମନ୍ତ୍ରୀଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରଦାନ କରାଯାଇଛି। ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡାଙ୍କ ସହ ,ପ୍ରମୋଦ କୁମାର ସାହୁ,ସତ୍ୟନାରାୟଣ ମହାନ୍ତି, ବଂଶୀଧର ପଣ୍ଡା ,ଅମୀୟ ଦାସ ,ରାଜୁ ପାଢୀ ପ୍ରମୁଖ ମାନ୍ୟବର ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାରେ ଆଞ୍ଚଳିକ ସଡକ ପରିବହନ ବିଭାଗର ଅବ୍ୟବସ୍ଥା ଓ ଅନିୟମିତତା ସମ୍ପର୍କରେ ଅବଗତ କରାଇଥିଲେ।
କନ୍ଧମାଳବାସୀଙ୍କ ଦୀର୍ଘ ଦିନର ଦାବୀ ମଧ୍ୟରେ ଫୁଲବାଣୀରୁ ବିଶାଖାପାଟଣା, ରାୟପୁର, ସମ୍ବଲପୁର ଏବଂ ଜଗନ୍ନାଥ ସଡକ ପ୍ରକଳ୍ପରେ ପୁରୀକୁ ଦୁଇଟି ଲେଖାଏଁ ବାତାନୁକୁଳ ବସ ପ୍ରଚଳନର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।ଫୁଲବାଣୀରୁ କେଉଁଝରକୁ ବନ୍ଦ ହୋଇଥିବା ବସ ମାଆ ତାରିଣୀଙ୍କ ପର୍ଯ୍ୟନ୍ତ ଯିବାକୁ ଦାବୀ ହୋଇଛି।
କନ୍ଧମାଳ ଜିଲ୍ଲାର ବିଭିନ୍ନ ରୁଟରେ ବନ୍ଦ ଥିବା ଯଥା ଫୁଲବାଣୀରୁ ଗଦାପୁର, ଶ୍ରୀରାମପୁର,ବେଲଘର,
ଖମଣଖୋଲ ଏବଂ ଭବାନୀପାଟଣା ରାୟଗଡାକୁ ଗାଡି ଚଳାଇବା ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଛି। ଅଭିଞ ଅଧିକାରୀଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ରୁଟରେ ଯାତ୍ରୀଙ୍କ ସଂଖ୍ୟା ସମୀକ୍ଷା କରି ଅଧିକ ବସ ଚଳାଚଳ କରିବାକୁ ମନ୍ତ୍ରୀଙ୍କୁ ସୂଚୀତ କରାଯାଇଛି।
ଏହା ବ୍ୟତୀତ ମାଲକନଗିରିରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା କୋରିଡରେ ରାୟଗଡ଼ା ଦେଇ ବାଲିଗୁଡା ଫୁଲବାଣୀକୁ ସଂଯୋଗ କରିବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଗୋଚର କରାଯାଇଛି।
ଅବ୍ୟବସ୍ଥାରେ ଥିବା ଲକ୍ଷ୍ମୀବସ ସେବାର ସମୀକ୍ଷା କରି କେବଳ ବ୍ଲକ ମଧ୍ୟରେ ସିମୀତ ନ କରି ଦୀର୍ଘ ରୁଟ ଯଥା ଫୁଲବାଣୀରୁ ଜିଲା ଶେଷ ପର୍ଯ୍ୟନ୍ତ ବିଭିନ୍ନ ରୁଟରେ ବସ ଯିବାର ବନ୍ଦୋବସ୍ତ କଲେ କ୍ଷତି ଭରଣା ହୋଇପାରିବ ବୋଲି କୁହାଯାଇଛି।ନୋଚେତ କିଛିଦିନ କ୍ଷତିରେ ଚାଲିବା ପରେ ଉକ୍ତ ବସସେବା ବନ୍ଦ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।
କନ୍ଧମାଳ ଜିଲାରେ ଓଡିଶା ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗରେ ପରିଚାଳକ ନଥିବାରୁ ଜଣେ ଅଭିଞ, ସଚ୍ଚୋଟ ମ୍ୟାନେଜରଙ୍କୁ ନିଯୁକ୍ତି ଦେବା ଓ ଦୁଇଜଣ ଫୋରମ୍ୟାନ ନିଯୁକ୍ତି ଦେବାକୁ କୁହାଯାଇଛି। ଉଭୟ ଲକ୍ଷ୍ମୀବସ ଓ ସଡକ ପରିବହନ ବିଭାଗ ରୁଟରେ ଦୈନିକ ଆଦାୟ ଅର୍ଥ ବାଟମାରଣା ରୋକିବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆଡେଣୀଗଡରୁ ଫୁଲବାଣୀ ଭାୟା ଖଜୁରିପଡା ରେଳପଥ (ମାତ୍ର୪୦କିମି) ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସଡକ ଓ ପରିବହନ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଜଗନ୍ନାଥ ମନ୍ଦିର ଠାରେ ଥିବା କନ୍ଧମାଳ ଆଞ୍ଚଳିକ ପରିବହନ ବିଭାଗକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ।