ମୁଁ ବିଜେପି ଦଳର ଜଣେ ତଡ଼ା ଖିଆ ନେତା
କଟକ : ବିଜେପି ବିରୋଧରେ ବିଷ ଉଗାରିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ଦଳର ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଦଳର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ଉପସ୍ଥିତିରେ ସାଙ୍ଘାତିକ ବୟାନ ଦେଇଛନ୍ତି ଜୟନାରାୟଣ। ମୁଁ ବିଜେପିର ତଡ଼ାଖିଆ ନେତା, ବିଜେପିରୁ ସାଇଡ୍ ଲାଇନ୍ ହୋଇ ରହିଛି। ଏବିଭିପିରୁ ମୁଁ ତଡ଼ା ଖାଇଥିଲି, ବିଜେପିରୁ ମଧ୍ୟ ତଡ଼ା ଖାଇଛି ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।
ଆଜି କଟକରେ ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ଶୋକ ସଭାରେ ଯୋଗଦେଇ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ଜୟନାରାୟଣ ମିଶ୍ର। ଦଳର ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଜ ମନ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଝାଡିବା ସହ ଦଳକୁ ପରୋକ୍ଷରେ ତେରଛା ବାଣ ମାରିଛନ୍ତି ସମ୍ବଲପୁର ବିଧାୟକ।
ଦିବଙ୍ଗତ ସମୀର ଦେଙ୍କ ଶୋକ ସଭାରେ ଯୋଗ ଦେଇ ଜୟନାରାୟଣ କହିଛନ୍ତି, ମୁଁ ଗୋଟିଏ ତଡାଖିଆ ଲୋକ। ଏବିଭିପିରୁ ତଡା ଖାଇଛି, ବିଜେପିରୁ ମଧ୍ୟ ତଡା ଖାଇଛି। ଏବେ ବିଜେପିରୁ ସାଇଡଲାଇନ ହୋଇ ରହିଛି। ଏହାସହ ପୂର୍ବରୁ ସମୀର ଦେଙ୍କ ସହ ଯାହା ଘଟିଥିଲା ତାହା ଏବେ ମୋ ସହ ଘଟୁଛି। ସମୀରଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା। ତାଙ୍କ ବିରୋଧରେ ଲୋକ ଲଗାଯାଉଥିଲା। ଏବେ ମୋ ବିରୋଧରେ ମଧ୍ୟ ଲୋକ ଲଗାଯାଉଛି। ମୋ ବିରୋଧରେ ଜଣେ ଲୋକ ରହିଛି। ଏହା ଆମ ପାର୍ଟିର ଯୋଜନା ବଦ୍ଧ କାର୍ଯ୍ୟକ୍ରମ। ମୋତେ ମଧ୍ୟ ଦଳ ସମ୍ମାନ କି ଗୁରୁତ୍ବ ଦେଉନାହିଁ ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର