February 3, 2026
Home » ମୁକ୍ତିସଂଗ୍ରାମୀ ପଣ୍ଡିତ ନାରାୟଣ(୧୧୦ତମ ଜୟନ୍ତୀ ସମାରୋହ ଉପଲକ୍ଷେ)

ମୁକ୍ତିସଂଗ୍ରାମୀ ପଣ୍ଡିତ ନାରାୟଣ(୧୧୦ତମ ଜୟନ୍ତୀ ସମାରୋହ ଉପଲକ୍ଷେ)

0
WhatsApp Image 2025-12-09 at 9.32.49 AM

ଦେଶ ତଥା ଜନ୍ମମାଟିର ମୁକ୍ତି ପାଇଁ ଲଢେଇ କରି ଅନେକ ସ୍ବାଧୀନତା ସଂଗ୍ରାମୀ ଜୀବନକୁ ବଳି ଦେଇଛନ୍ତି । ଇଂରେଜ ଶାସନକୁ ପ୍ରତିହତ କରି ଅନ୍ୟମାନଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଏମିତି ଜଣେ ବୀର ସନ୍ତାନ ହେଉଛନ୍ତି ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର। ଅବିଭକ୍ତ ପୁରୀ ଜିଲା (ବର୍ତ୍ତମାନ ଖୋର୍ଦ୍ଧା) ଅନ୍ତର୍ଗତ ବାଜପୁର ମାଟିର ବରପୁତ୍ର ପଣ୍ଡିତ ମିଶ୍ର ଦେଶ ଏବଂ ଜାତି ପାଇଁ ଜୀବନକୁ ବଳିଦାନ ଦେଇଥିଲେ ।ମୁକ୍ତିସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର ୧୯୧୫ ଡ଼ିସେମ୍ବର ୯ ତାରିଖରେ ଅବିଭକ୍ତ ପୁରୀ ଜିଲା ( ସମ୍ପ୍ରତି ଖୋର୍ଦ୍ଧା) ଅନ୍ତର୍ଗତ ବାଜପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ତାଙ୍କ ପିତାଙ୍କ ନାମ ଦିଗମ୍ବର ମିଶ୍ର ଓ ମାତାଙ୍କ ନାମ ମୁକୁତା ଦେବୀ । ତାଙ୍କର ଅନ୍ୟ ଦୁଇ ବଡ଼ଭଉଣୀ ସେବତୀ ଦେବୀ ଓ ଅପସରା ଦେବୀ। ମାତ୍ର ୩ ବର୍ଷ ବର୍ଷ ବୟସରେ ସେ ତାଙ୍କର ପିତା ଦିଗମ୍ବର ମିଶ୍ରଙ୍କୁ ହରାଇଥିଲେ। ୧୯୧୯ ବାଜପୁର କେନ୍ଦ୍ର ବିଦ୍ୟାଳୟରେ ଶିଶୁଶ୍ରେଣୀରେ ସେ ନାମ ଲେଖାଇଥିଲେ। ପରେ ବଡ଼ମାମୁଁ ବିଶ୍ବନାଥ ମିଶ୍ରଙ୍କ ପରାମର୍ଶ କ୍ରମେ ୧୯୨୨ରେ ପଞ୍ଚସଖାଙ୍କ ନେତୃତ୍ବରେ ଗଢ଼ି ଉଠିଥିବା ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ସାକ୍ଷୀଗୋପାଳ ଅଭିମୁଖେ ଯାଇଥିଲେ। ପ୍ରଥମ ଥର ପଞ୍ଚସଖା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ ଓ କୃପାସିନ୍ଧୁ ମିଶ୍ରଙ୍କ ସଂସ୍ପର୍ଶରେ ଆସିଥିଲେ। ୧୯୨୬ରେ ଅଗ୍ରଣୀ ସାହିତ୍ୟ ପତ୍ରିକା ‘ନବଜୀବନ’ର ସମ୍ପାଦକ ଚିନ୍ତାମଣି ମିଶ୍ରଙ୍କ ପ୍ରେରଣା କ୍ରମେ କଟକରେ ପାଦଦେଲେ। ପରେ ରେଭେନ୍ସା ମହାବିଦ୍ୟାଳୟର ଖ୍ୟାତନାମା ପ୍ରଫେସରଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ୧୯୨୭ରେ ‘ନବଜୀବନ’ ପ୍ରେସ୍‌ରେ ପ୍ରୁଫରିଡ଼ର ଭାବେ ଯୋଗ ଦେଇଥିଲେ। ୧୯୨୮ରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଖ୍ୟାତ କବି ଡ଼.ମାୟାଧର ମାନସିଂହଙ୍କ ନେତୃତ୍ବରେ ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ ସଂକଳନ କାର୍ଯ୍ୟରେ ଅସ୍ଥାୟୀ ନକଲ ନବିସ ଭାବେ ଯୋଗ ଦେଇଥିଲେ। ୧୯୩୦ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ପାଠପଢ଼ା, ପରିବାର, ଭବିଷ୍ୟତ ଜୀବନର ସୁଖ ସ୍ବାଚ୍ଛନ୍ଦ୍ୟ ଆଦି ପରିତ୍ୟାଗ କରି ଗତିଧାରାରେ ସମ୍ପୂର୍ଣ ପୂର୍ଣ୍ଣଚ୍ଛେଦ ଟାଣି ବାନରସେନାରେ ସାମିଲ ହୋଇଥିଲେ ମୁକ୍ତିସଂଗ୍ରାମୀ କବିଗୌରବ ପଣ୍ଡିତ ମିଶ୍ର।

ପ୍ରବଳ ପ୍ରତାପୀ ବ୍ରିଟିଶ ଶାସକ ନିଃଶେଷ କରି ଦେଇଥାଏ ଭାରତୀୟ ଜନଜୀବନକୁ । ବରୁଣେଇ ପାହାଡ଼ ପାଦଦେଶରେ ଥିବା ବାଜପୁର ତାଙ୍କର ଜନ୍ମଭୂମି ଥିଲେ ହେଁ କର୍ମଭୂମି ଥିଲା ଖୋର୍ଦ୍ଧା । ସେ ସ୍ବାଧୀତନା ସଂଗ୍ରାମୀ ଗୋକୁଳମୋହନ ରାୟଚୁଡ଼ାମଣି ଓ କୁନ୍ଦନ ରାମ୍‌ ପ୍ରମୁଖଙ୍କ ମୁଖ୍ୟ ସହଯୋଗୀ ଥିଲେ । ବିଦ୍ରୋହୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଜମିଦାର ପରମ୍ପରାର ଅନେକ ପରିବାରକୁ ଆଣି ବାଜପୁର ଗ୍ରାମରେ ବସତି କରାଇଥିଲେ । ଏମାନେ ବରୁଣେଇ ପାହାଡ଼ରେ ଏଣେତେଣେ ପଡ଼ିଥିବା ଲୋୖହକଣିକା ସଂଗ୍ରହ କରି ତାକୁ ତରଳାଇ ସେଥିରୁ ଉନ୍ନତମାନର ଲୁହା ତିଆରି କରି ପାରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେହି ଲୁହାରେ ଖଣ୍ଡା, ଢାଲ, ବର୍ଚ୍ଛା, ତୀର ଆଦି ତିଆରି କରୁଥିଲେ । ଏହି ବିପ୍ଳବୀଙ୍କ ହାତରେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଦେଖି ଇଂରେଜ ସେନାପତିମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ପଣ୍ଡିତ ମିଶ୍ର ବିଭିନ୍ନ ଅଞ୍ଚଳର ବିପ୍ଳବୀଙ୍କୁ ଅଧିକାଂଶ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଇଂରେଜମାନେ ଜାଣିବାକୁ ପାଇଥିଲେ । କହିବାକୁ ଗଲେ, ତାଙ୍କୁ ଇଂରେଜମାନେ ପ୍ରାଣ ପଣେ ଭୟ କରୁଥିଲେ । ଖୁବ ପରାକ୍ରମୀ ଭାବରେ ଜଣାଶୁଣା ଇଂରେଜ ସେନାପତିମାନେ ପଣ୍ଡିତ ମିଶ୍ରଙ୍କୁ ପ୍ରତିହତ କରିବା ପାଇଁ ସର୍ବଦା ଉଦ୍ୟମ କରିଆସୁଥିଲେ।ଲବଣ ସତ୍ୟାଗ୍ରହରେ ସାମିଲ ହୋଇ ସେହିବର୍ଷ ନଭେମ୍ବର ୧୬ରେ କଟକ ଓ ପାଟଣା କ୍ୟାମ୍ପ ଜେଲ୍‌ରେ ବନ୍ଦୀ ଜୀବନ ବିତାଇଥିଲେ। ୧୯୩୪ରେ ଚମ୍ପାପୁର ଗାନ୍ଧୀ ଆଶ୍ରମରେ ଲୁଗାବୁଣା ଶିଖିବା ସହ ଖଦୀକାମ କରିବାରେ ମନୋନିବେଶ କରିଥିଲେ। ସେହି ସମୟରେ ଦଳିତଙ୍କ ସେବା କରିଥିଲେ। ପରେ ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ପଣ୍ଡିତ ନାରାୟଣ ଗୋପବନ୍ଧୁ ଚୋୖଧୁରୀ ଓ ରମାଦେବୀଙ୍କ ସହିତ ବରୀ ଆଶ୍ରମରେ ରହି ନିଜକୁ ସମାଜସେବାରେ ଉତ୍ସର୍ଗ କରିଥିଲେ। ପିତୃହୀନ ନାରାୟଣଙ୍କୁ ସଂସାର ବନ୍ଧନରେ ବାନ୍ଧିବା ପାଇଁ ମାମୁଁ ଅନନ୍ତ ମିଶ୍ର ଓ ପଦ୍ମନାଭ ମିଶ୍ର ପ୍ରମୁଖ ଉଦ୍ୟମ କରିଥିଲେ। ୧୯୩୫ରେ ବାଣପୁର ନିକଟବର୍ତ୍ତୀ ତୁମୁରାପୁଟ ଶାସନର ନୀଳକଣ୍ଠ ମହାପାତ୍ର ଓ ସୁନାଦେବୀଙ୍କ କନ୍ୟା ଲକ୍ଷ୍ମୀଦେବୀଙ୍କୁ ବିବାହ କରିଥିଲେ। ଏହି ବିବାହରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସମେତ ଅନେକ ତୁଙ୍ଗ ବ୍ୟକ୍ତିତ୍ବ ଯୋଗ ଦେଇଥିଲେ। ୧୯୩୯ରେ ଗାନ୍ଧିଜୀଙ୍କ ନେତୃତ୍ବରେ ଗାନ୍ଧୀ ସେବା ସଂଘ ନାମରେ ଯେଉଁ ସର୍ବଭାରତୀୟ ସଂସ୍ଥା ଗଠନ କରାଯାଇଥିଲା, ପଣ୍ଡିତ ନାରାୟଣ ସେହି ସଂଘର ସଦସ୍ୟ ହୋଇଥିଲେ। ୧୯୪୦ରେ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିଷ୍ଠିତ ‘ନବଭାରତ’ ପ୍ରେସ୍‌ରେ ସେ କିଛିଦିନ କାର୍ଯ୍ୟ କରିଥିଲେ। ୧୯୪୨ରେ ସେ ବାଜପୁରରେ ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ ପ୍ରତିଷ୍ଠା କରିଥିଲେ। ସ୍ବାଧୀନତା ସଂଗ୍ରାମ ପାଇଁ ବାନରସେନା ଯୋଗାଡ଼ କରିବା ଅଭିଯୋଗରେ ତାଙ୍କୁ ଏହି ବର୍ଷ ଅଗଷ୍ଟ ୨୫ରେ ପୁଣି ଗିରଫ କରାଯାଇଥିଲା। ପରେ ତାଙ୍କୁ କଟକ ଜେଲ୍‌ରେ ରଖାଯାଇଥିଲା। ଖୋର୍ଦ୍ଧାରୁ ଜନ୍ମମାଟି ବାଜପୁରକୁ ଯିବା ଆସିବା ପାଇଁ ଭଲ ରାସ୍ତା ନଥିବାରୁ ସେ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଉଦ୍ୟୋକ୍ତା ସାଜିଥିଲେ। ୧୯୪୭ରେ ଖଦଡ଼ ଓ ଧୋତି ପରିଧାନ କରି ହାତରେ ତ୍ରିରଙ୍ଗା ଧରି ଗାଁକୁ ଗାଁ ବୁଲିଲେ। ୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ସହକର୍ମୀମାନେ ପ୍ରବର୍ତ୍ତାଇ ଥିଲେ ହେଁ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ। ୧୯୬୧ରେ କାବ୍ୟ ‘ଚିଲିକା ଦର୍ଶନ’, ‘ଭୋଟର ଭାବନା’, ‘ପୁଣ୍ୟଶ୍ଲୋକ’, ‘ସାମୟିକୀ’ ଓ ‘ଦଶଦିଗ’ ଆଦି ରଚନା କରି ସାହିତ୍ୟ ଆକାଶକୁ ରୁଦ୍ଧିମନ୍ତ କରିଥିଲେ। ୧୯୬୭ରେ ପାଟଣା ମହାରାଜା ତଥା ନୂତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରୟଣ ସିଂହଦେଓଙ୍କ ସମ୍ପକରେ ଲିଖିତ ‘ପୁଣ୍ୟଶ୍ଲୋକ’ ଆତ୍ମପ୍ରକାଶ କରିଥିଲା। ୧୯୬୮ ମେ ୨ରେ ସେ ପରଲୋକ ଗମନ କରିଥିଲେ। ତାଙ୍କ ବୀରତ୍ବର ଅମର ଗାଥା ସ୍ବରୁପ, ୨୦୧୩ ମସିହାରେ ତତ୍କାଳୀନ ଜିଲାପାଳ ନିରଞ୍ଜନ ସାହୁଙ୍କ ସହଯୋଗରେ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ତୈଳଚିତ୍ର ଜିଲା ସଂସ୍କୃତି ଭବନ ପରିସରରେ ଅନାବରଣ କରାଯାଇଛି। ସେହିପରି ୨୦୨୨ରେ ଜନ୍ମମାଟି ବାଜପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବାଧୀନତା ସଂଗ୍ରାମ ସ୍ମାରକ ପ୍ରତିଷ୍ଠା କରାଯାଇଛି। ସେହିପରି ୨୦୨୫ ଏପ୍ରିଲ ୧୪ରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଠାରୁ ଚଣ୍ଡିଚୁଆକୁ ଯାଇଥିବା ରାସ୍ତାର ଟିଏଲ୍‌ସି ନିକଟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି।

Leave a Reply

Your email address will not be published. Required fields are marked *